ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁପ ସାଏଙ୍କର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଏବେ ନାର୍କୋ ଟେଷ୍ଟକୁ ଅପେକ୍ଷା!

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ରାଇଗଡ଼ ଚକ୍ରଧରନଗର ଥାନା ପୋଲିସ ହମିରପୁର ଡବଲ ଘଟଣାର ଖୋଳତାଡ଼ କରୁଥିଲା ପୋଲିସ। ହେଲେ ରିମାଣ୍ଡ ସମୟରେ ଅନୁପଙ୍କଠାରୁ ପୋଲିସ ସେମିତି କିଛି ସୁରାକ୍‌ ବାହାର କରିପାରି ନଥିବା କୁହାଯାଉଛି। ଖୋଳତାଡ଼ରେ ଯେତିକି ସୁରାକ୍‌ ମିଳିଛି କୋର୍ଟରେ ତାହା ଯଥେଷ୍ଟ ହେବ ନାହିଁ ବୋଲି କୁହାଯାଉଛି। ଏଣୁ ଅନୁପଙ୍କ ନାର୍କୋ ଟେଷ୍ଟ କରିବାକୁ ପୋଲିସ ଚାହୁଁଛି।

ଅନୁପଙ୍କ ନାର୍କୋ ଟେଷ୍ଟ କରିବା ପାଇଁ ପୋଲିସ ରାଇଗଡ଼ କୋର୍ଟରେ ଆବେଦନ କରିଛି। ତେବେ ନାର୍କୋ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଉଛନ୍ତି କି ନାହିଁ ତାହା ସୋମବାର ଦିନ ଜଣାପଡ଼ିବ।

କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟାକାଣ୍ଡ ମାମଲାରେ ଅନୁପଙ୍କୁ ଗିରଫ କରିଛି ପୋଲିସ। ଅନୁପ ଏବେ ରାଇଗଡ଼ ଜେଲ୍‌ରେ ଅଛନ୍ତି। କୋର୍ଟରେ ମାମଲା ଚାଲିଛି। ପୋଲିସ ପାଖରେ ଯେତିକି ପ୍ରମାଣ ଅଛି ତାହା କୋର୍ଟରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସମର୍ଥ ହେବନି। ସବୁଠୁ ବଡ଼ କଥା ହେଉଛି ଚାରି ବର୍ଷ ତଳେ ହୋଇଥିବା ଏହି ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ଏଣୁ ନାର୍କୋ ଟେଷ୍ଟ କଲେ ହିଁ ଅନୁପଙ୍କ ମୁହଁରୁ ସବୁ ସତ କଥା ବାହାରିବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି। ଅନୁପଙ୍କ ମୁହଁରୁ ଯାହା ବାହାରିବ ତାକୁ ପୋଲିସ କୋର୍ଟରେ ଉପସ୍ଥାପନ କରିବ।

ଏପଟେ ଏହି ହତ୍ୟାକାଣ୍ଡରେ ପୋଲିସ ଅନୁପଙ୍କ ଡ୍ରାଇଭର ବର୍ଦ୍ଧମାନ ଟପ୍ପୋଙ୍କୁ ଗିରଫ କରିଛି। ତାଙ୍କୁ ମଧ୍ୟ ଦିନିକିଆ ରିମାଣ୍ଡରେ ଆଣି ପୋଲିସ ଛାଡ଼ି ଦେଇଛନ୍ତି। ରିମାଣ୍ଡ ବେଳେ ବର୍ଦ୍ଧମାନ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଥିବା କୁହାଯାଉଛି। ହେଲେ ଅନୁପ ଏହାକୁ ସ୍ଵୀକାର କରୁ ନଥିବାରୁ ନାର୍କୋ ଟେଷ୍ଟ ଶେଷ ଆଶା ବୋଲି ଆଲୋଚନା ହେଉଛି।

ଏହି ହତ୍ୟାକାଣ୍ଡରେ କେବଳ ଦୁଇ ଜଣ ନୁହନ୍ତି, ତୃତୀୟ ବ୍ୟକ୍ତି ସାମିଲ ଥିବା ପୋଲିସ ଆଶଙ୍କା କରୁଛି। ତେବେ ଏହି ତୃତୀୟ ବ୍ୟକ୍ତି ଜଣକ କିଏ ତାହା ଏପର୍ଯ୍ୟନ୍ତ ଖୁଲାସା ହୋଇପାରି ନାହିଁ। ନାର୍କୋ ଟେଷ୍ଟ ବେଳେ ତୃତୀୟ ବ୍ୟକ୍ତି ଚେହେରା ଉପରୁ ପରଦା ହଟିପାରେ ବୋଲି ପୋଲିସ ଆଶଙ୍କା କରୁଛି।

ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଗାଡ଼ି ଏବଂ ଲୁହା ରଡ୍‌ର ବି ପତ୍ତା ମିଳୁନି। ଏହି ବୋଲେରୋ ଗାଡ଼ି ଏବେ ଅନୁପଙ୍କ ପାଖରେ ନାହିଁ। ବୋଲେରୋ ଗୁଜରାଟର ଜଣେ ବ୍ୟକ୍ତି କିଣିଥିବା ପୋଲିସ ଜାଣିବାକୁ ପାଇଛି। ଏଣୁ ବୋଲୋରୋ ଗାଡ଼ିର ସନ୍ଧାନ ପାଇଁ ପୋଲିସ ଟିମ୍‌ ଗୁଜରାଟ ଯିବାର ସମ୍ଭାବନା ରହିଛି।

ଏପଟେ ଇନୋଭା ଗାଡ଼ିର ବ୍ୟବହାର ହୋଇଥିବା କୁହାଯାଉଛି। ହେଲେ ଏହି ଗାଡ଼ି ସମ୍ପର୍କରେ ପୋଲିସ ପାଖରେ କିଛି ବି ପତ୍ତା ନାହିଁ। ଏସବୁ ଗୁଢ଼ ରହସ୍ୟର ପରଦାଫାଶ୍‌ ନାର୍କୋ ଟେଷ୍ଟରୁ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

୨୦୧୬ରେ ଝାରସୁଗୁଡ଼ା ସୀମାନ୍ତ ହମିରପୁରରେ ଏକ ନୃଶଂସ ହତ୍ୟାକାଣ୍ଡ ହୋଇଥିଲା। ଦୁଇ ଜଣ ମହିଳାଙ୍କ ବୀଭତ୍ସ ମୃତଦେହ ଚକ୍ରଧରନଗର ଥାନା ପୋଲିସ ଉଦ୍ଧାର କରିଥିଲା। ହେଲେ ମୃତକଙ୍କ ମୁହଁ ବୀଭତ୍ସ ହୋଇଯାଇଥିବାରୁ ସେମାନଙ୍କ ପରିଚୟ ଠିକ୍‌ରେ ମିଳିପାରି ନଥିଲା।

ଏହି ମୃତଦେହ କାହାର ଏବଂ କେମିତି ଛତିଶଗଡ଼ ସୀମାନ୍ତକୁ ଆସିଲା ତାହା ଜାଣିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କଲା। ଏଥିପାଇଁ ୬ଟି ରାଜ୍ୟର ୭୦୦ ଲୋକଙ୍କୁ ପଚରା ଉଚରା କରିଥିଲା ଛତିଶଗଡ଼ ପୋଲିସ। ଶେଷରେ ମୃତକଙ୍କ ପରିଚୟ ମିଳିଥିଲା। ମୃତକ ଝାରସୁଗୁଡ଼ା ବ୍ରଜରାଜନଗରର କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କର ବୋଲି ପୋଲିସ ପ୍ରାୟ ବର୍ଷକ ପରେ ଜାଣିଥିଲା। ଏହା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ବୋଲି ପୋଲିସର ସନ୍ଦେହ ବଢ଼ିଲା।

ସ୍ୱତନ୍ତ୍ର ଟିମ୍‌ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କଲା। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚ କରିବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ପୋଲିସ ସ୍କାନରକୁ ଆସିଥିଲେ। ଅନୁପଙ୍କ ବିରୋଧରେ ପ୍ରମାଣ ଠୁଳ କରିବାରେ ଲାଗିପଡ଼ିଲା ପୋଲିସ। ଶେଷରେ ଅନୁପଙ୍କୁ ପୋଲିସ ଗତ କିଛିଦିନ ତଳେ ଝାରସୁଗୁଡ଼ାରୁ ଉଠାଇ ନେଇ ଗିରଫ କରିଥିଲା। ଅନୁପ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲେ ତାହା ପୋଲିସ ଜାଣିଛି। ହେଲେ ଏବେ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ ଅଭିଯାନ ଆରମ୍ଭ କରିଛି। ନାର୍କୋ ଟେଷ୍ଟ କରି ଅନୁପଙ୍କ ମୁହଁରୁ ଅଧିକ ତଥ୍ୟ ବାହାର କରିବାକୁ ପୋଲିସ ଚାହୁଁଛି।

Comment