ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଛାତ୍ର ନେତା ଆସନ୍ତୁ ଜାଣିବା।

ଚଳିତ ବର୍ଷ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜରେ ହେବନି ଛାତ୍ର ସଂସଦ ନିର୍ବାଚନ। ଏହା ବଦଳରେ କ୍ୟାମ୍ପସରେ ଛାତ୍ର ପ୍ରତିନିଧି ଚୟନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଗୁରୁବାର ସଂଧ୍ୟାରେ ଏନେଇ ନିଷ୍ପତି ନିଆଯିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଛାତ୍ରଗୋଷ୍ଠୀ ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲାବେଳେ, ଅନ୍ୟ କେତେକ ଛାତ୍ରଗୋଷ୍ଠୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି।

“ ଛାତ୍ର ସଂସଦ ନିର୍ବାଚନ ନହେବା ଅତ୍ୟନ୍ତ ଦୁଃଖର ବିଷୟ। ଏହି ନିଷ୍ପତି ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଅଧିକାର କ୍ଷୁର୍ଣ୍ଣ ହୋଇଛି। ଏଭଳି ଅଗଣତାନ୍ତ୍ରିକ ନିଷ୍ପତିକୁ ଛାତ୍ରସମାଜ ବିରୋଧ କରୁଛି। ଛାତ୍ର ବିଜେଡି ସମସ୍ତ ବିଶ୍ୱବିଦ୍ୟାଳୟରେ ହାରିବା ଭୟରେ ଏଭଳି ନିଷ୍ପତ୍ତି ନିଆଯାଇଛି”,  କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଏବିଭିପି ଛାତ୍ର ନେତା କିରନ ପ୍ରଧାନ।

ସେହିଭଳି ଭୁବନେଶ୍ୱର ରାଜଧାନୀ ମହାବିଦ୍ୟାଳୟ ଛାତ୍ରୀ ବିପାସାରାଣୀ ବଳିୟାରସିଂହ କହିଛନ୍ତି, “ଏହି ନିଷ୍ପତିକୁ ନେଇ ଆମେ କଲେଜରେ ବିକ୍ଷୋଭ କରିବୁ। ଛାତ୍ର ବିଜେଡିର ସଂଗଠନ ଏହି ବର୍ଷ ସମସ୍ତ କଲେଜରେ ଦୁର୍ବଳ ଥିଲା ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସିଲେକ୍ସନ ପ୍ରକିୟାରେ ଠିକ୍ ଭାବରେ ସ୍ୱଚ୍ଛତା ରହିପାରିବ କି ନାହିଁ ସେ ନେଇ ସେ ପ୍ରଶ୍ନ କରିଛନ୍ତି। ”

ଅନ୍ୟପଟେ ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେତେକ ଛାତ୍ରଗୋଷ୍ଠୀ। ଏହାଦ୍ୱାରା କ୍ୟାମ୍ପସରେ ହେଉଥିବା ହିଂସାର ପରିମାଣ କମିବା ସହ ସିଲେକ୍ସନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ହୋଇପାରିବ ବୋଲି ସେମାନେ ମତ ରଖିଛନ୍ତି।

“ବିଭାଗର ଏଭଳି ନିଷ୍ପତି ନିହାତି ଭାବରେ ସ୍ୱାଗତଯୋଗ୍ୟ। ରାଜ୍ୟରେ ଏବେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏଥିସହ ପରୀକ୍ଷାକୁ ବହୁତ କମ୍ ସମୟ ଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ୍। ଅନ୍ୟ ଛାତ୍ରଗୋଷ୍ଠୀମାନେ ବିନା କିଛି ନଜାଣି ବିକ୍ଷୋଭ କରିବା ନିନ୍ଦନୀୟ” କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ୱୀକୃତି ମିଶ୍ର।

ବିଶ୍ୱବିଦ୍ୟାଳୟରେ ଇଲେକ୍ସନ୍ କିମ୍ବା ସିଲେକ୍ସନ ଯାହା ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ହେବା ନିହାତି ଆବଶ୍ୟକ। କର୍ତ୍ତୃପକ୍ଷ ଯେଉଁଭଳି ଭାବରେ ଶୋଇ ରହି କାମ କରୁଛନ୍ତି ତା ବଦଳରେ ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବା ଦରକାର। ଏହାସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହ ଯୋଗଯୋଗ ରକ୍ଷା କରି ପ୍ରତିନିଧି ଚୟନ କରିବା ଆବଶ୍ୟକ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ପ୍ରଶନଜିତ୍ କୁଣ୍ଡୁ।

Comment