ଓଡ଼ିଶାଲାଇଭ ବ୍ୟୁରୋ

  • ବିଡିଏ ଓ୍ଵେବସାଇଟରେ ସିଧାସଳଖ ଆବେଦନ କରିବେ ଘର ପ୍ଲାନ
  • ଓ୍ଵେବସାଇଟରେ ଉପଲବ୍ଧ ହେବ ୧୦୦ଟି ଡମି ପ୍ଲାନ
  • ସେପ୍ଟେମ୍ଵର ପହିଲାରୁ ଲାଗୁ ହେବ ଏହି ବ୍ୟବସ୍ଥା

ଏଣିକି ଘର ପ୍ଲାନ ପାଇଁ ଆଉ ଆର୍‌କିଟେକ୍ଟଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ସେପ୍ଟେମ୍ଵର ମାସରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ନୂଆ ପ୍ଲାନିଂ ଆଣୁଛନ୍ତି। ଏଥିରେ ନିଜ ଘର ପ୍ଲାନ ନିଜେ ଆବେଦନ କରିପାରିବେ। ବିଡିଏ ଅଧିନରେ ଘର ତିଆରି କରିବାକୁ ଚାହୁଁଥିଲେ ବିଡିଏ ଓ୍ଵେବସାଇଟକୁ ଯାଇ ନିଜ ଘର ପ୍ଲାନ ନିଜେ ଆବେଦନ କରିପାରିବେ। ଘରର ବିଭିନ୍ନ ଡମି ଡିଜାଇନ ଓ୍ଵେବସାଇଟରେ ଉପଲବ୍ଧ ହେବ। ନିଜ ପସନ୍ଦର ଡିଜାଇନ ଉପରେ କ୍ଲିକ କରିଦେଲେ ଆବେଦନ ହୋଇଯିବ। ଏହାପରେ ବିଡିଏ ଅନୁମୋଦନ କରିବ।

ଏବେ ବିଡିଏ ଅଧିନରେ ଘର କରିବାକୁ ହେଲେ ଲୋକମାନଙ୍କୁ ଆରକିଟେକ୍ଚଙ୍କ ମାଧ୍ୟମରେ ପ୍ଲାନ ଆବେଦନ କରିବାକୁ ପଡ଼ୁଛି। ଏହାସହ ପ୍ଲାନ ପ୍ରସ୍ତୁତ କରିବା ପାଇଁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ୁଥିଲା। ହେଲେ ଏହି ପ୍ଲାନ ଲାଗୁ ହେବା ପରେ ଲୋକେ ବିଡିଏ ଓ୍ଵେବସାଇଟକୁ ଯାଇ ସିଧାସଳଖ ନିଜ ପ୍ଲାନ ଆପ୍ରୁଭାଲ କରିବା ପାଇଁ ନିଜେ ଆବେଦନ କରିପାରିବେ। ଏହାସହ ଓ୍ଵେବସାଇଟରେ ୧୦୦ଟି ଡମି ପ୍ଲାନ ମଧ୍ୟ ଉପଲବ୍ଧ ରହିବ।

ଏନେଇ ବିଡିଏ ପ୍ଲାନିଂ ମେମ୍ଵର ଗୌରଶଙ୍କର ଭୂୟାଁ କହିଛନ୍ତି, “ଇଜ୍‌ ଅଫ ଡୁଇଙ୍ଗ ବିଜନେସ ଅନୁୟାୟୀ ଆମେ ପ୍ଲାନ ଆବେଦନ ଓ ଅନୁମୋଦନ ପ୍ରକ୍ରିୟାକୁ ସହଜ ଓ ସରଳ କୁରୁଛୁ। ଏହା ଦ୍ଵାରା ଲୋକେ ଘରେ ବସି ପ୍ଲାନ ଆବେଦନ କରିବେ। ଏଥିପାଇଁ ବିଡିଏ ଓ୍ଵେବସାଇଟକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି।”

ବିଡିଏ ପକ୍ଷରୁ ଓ୍ଵେବସାଇଟରେ କିଛି ପ୍ଲାନର ସାଇଜ ପ୍ରସ୍ତୁତ କରି ଛଡ଼ାଯିବ। ଏଥିରେ ୪୦ରେ ୩୦ଫୁଟ, ୫୦ରୁ ୩୦ଫୁଟ, ୬୦ରେ ୩୦ଫୁଟ, ୪୫ରେ ୩୦ ଫୁଟ, ୬୦ରେ ୩୦ ଫୁଟ, ୪୫ରେ ୩୦ଫୁଟ, ୬୦ରେ ୩୦ଫୁଟ, ୫୦ରେ ୪୦ ଫୁଟ ଭଳି କିଛି ଡମି ଡିଜାଇନ ପ୍ରସ୍ତୁତ କରାଯାଇଛି। ଗୋଟିଏ ପ୍ଲଟରେ ୫ରୁ ୬ ପ୍ରକାର ଡିଜାଇନ ରହିବ। ସର୍ବାଧିକ ୩ହଜାର ବର୍ଗଫୁଟ ଜମିରେ ଏହି ବ୍ୟବସ୍ଥା ଲାଗୁ ହେବ।

ଏହାସହ ଘରର ଫ୍ରଣ୍ଟ ଏଲିଭେସନ୍‌, ଥ୍ରୀଡି ଇମେଜ, ଫର୍ଣ୍ଣିଚର ଡିଜାଇନ ବି ରହିବ। ଥ୍ରୀଡି ଇମେଜ ରହିଲେ ଲୋକେ ଯେଉଁ ପ୍ଲାନ ନେବେ ସେଥିରେ ଘର କିପରି ଦେଖାଯିବ ତାହା ଦେଖିପାରିବେ। ଏପରିକି ଫର୍ଣ୍ଣିଚର ଡିଜାଇନ ଦେଖିଲେ ଘରେ କେଉଁଠି ଟିଭି ଲଗାଇବେ, କେଉଁଠି ସୋଫା ପକାଇବେ, କେଉଁଠି ବେଡ୍‌ ପକାଇବେ ତାହା ଜାଣି ପାରିବେ। ସେହିପରି ଫ୍ରଣ୍ଟ ଏଲିଭେସନରେ ଲୋକ ତାଙ୍କ ଘରର ସମ୍ମୁଖ ଭାଗର ଡିଜାଇନ ବାଛି ପାରିବେ।

ଏହି ଡିଜାଇନରେ ଅନୁମୋଦନ କରିବାକୁ ହେଲେ ୟେଲୋଜୋନରେ ଜମି ଥିବା ଦରକାର। ଏହାସହ ଘର ଆଗରେ ୩୦ଫୁଟର ରାସ୍ତା ଥିବ। ଯେଉଁଠି ୨୦ଫୁଟ ରାସ୍ତା ଥିବ ସେଠାରେ ୩୦ ଫୁଟ ହେଲା ପରେ ଯାଇ ପ୍ଲାନ ଅନୁମୋଦନ ହେବ।

Comment