ଓଡ଼ିଶାଲାଇଭ ବ୍ୟୁରୋ

ବ୍ରାଜିଲର ଆମାଜାନ ଜଙ୍ଗଲରେ ଲଗିଥିବା ନିଆଁ ଥମିବାର ନାଁ ଧରୁନାହିଁ। ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଜଙ୍ଗଲରେ ଗତ ୩ ସପ୍ତାହ ହେବ ନିଆଁ ଲାଗିଛି। ଦକ୍ଷିଣ ଆମେରିକାର ବ୍ରାଜିଲରେ ଥିବା ବିଶ୍ୱର ଏହା ସବୁଠାରୁ ବଡ଼ ଜଙ୍ଗଲ। ନିଆଁର ପରିମାଣ ଏତେ ଭୟାଭୟ ଅଛି ଯେ, ଏହାର ଧୁଆଁରେ ବ୍ରାଜିଲର ସହର ଘୋଡେଇ ହୋଇଯାଇଛି। ଏହି ନିଆଁକୁ ଆୟତ୍ତ କରିବାକୁ ବ୍ରାଜିଲ ସରକାର ଆମଜାନକୁ ସେନାକୁ ପଠାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଆଁ ଲିଭି ପାରିନାହିଁ।

ବ୍ରାଜିଲର ସାଓପାଓଲୋ ସହରର ଆଖପାଖ ଅଞ୍ଚଳରେ ଏହି ନିଆଁ ବହୁତ ଉଗ୍ରରୂପ ଧାରଣ କରିଛି। ଆମାଜନ ଓ ରୋଣ୍ଡାନିଆ ରାଜ୍ୟରେ ଲାଗିଥିବା ଏହି ନିଆଁରୁ ବାହାରୁଥିବା ଗରମ ପବନ ତା ଆଖପାଖର ୨୭୦୦ କିଲୋମିଟର ଅଞ୍ଚଳକୁ ପ୍ରଭାବିତ କରୁଛି। ଏହାସହ ନିଆଁ ଲାଗିବାର ୩ ସପ୍ତାହ ପରେ ଏବେ ଜଙ୍ଗଲର କିଛି ଫଟୋ ସୋସିଆଲ ମିଡିଆ ଦେଖିବାକୁ ମିଳୁଛି। ନିଆଁରେ ଜଙ୍ଗଲର ଅନେକ ଜୀବଜନ୍ତୁ ମୃତ୍ୟୁ ବରଣ କରିଛନ୍ତି।

ପୃଥିବୀର ୨୦ ପ୍ରତିଶତ ଅମ୍ଲଜାନ ଏହି ଆମାଜନ ଜଙ୍ଗଲରୁ ମିଳିଥାଏ। ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବର୍ତ୍ତମାନର ଏହି ନିଆଁ ପୂର୍ବ ତୁଳନାରେ ବହୁତ ଭୟଙ୍କର ବୋଲି କୁହାଯାଉଛି। ଏହି ଜଙ୍ଗଲରେ ୧୬ ହଜାରରୁ ଅଧିକ ପ୍ରଜାତିର ଗଛଲତା ଓ ୨୫ ଲକ୍ଷରୁ ଅଧିକ ପ୍ରଜାତିର କୀଟପତଙ୍ଗ ଜୀବଜନ୍ତୁ ବସବାସ କରନ୍ତି। ଯଦି ଏମିତି ନିଆଁ ଲାଗି ରହିଥିବ ତେବେ ବିଶ୍ୱର ଭବିଷ୍ୟତ କ’ଣ ହେବ ତାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।

ଏହାସହ ଆମାଜାନ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ପ୍ରଭାବିତ ହୋଇଥିବ ଜୀବଜନ୍ତୁ ଓ ପ୍ରାକୃତିକ ପରିବେଶ ପାଇଁ ସାରା ବିଶ୍ଵ ପ୍ରାର୍ଥନା କରୁଛି। ଅନେକ ଦେଶ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମେ ବ୍ରାଜିଲ ତରଫରୁ ନିଆଁକୁ ଆୟତ୍ତ କରିବାକୁ କୌଣସି ପଦକ୍ଷେପ ନିଆନିଯିବାରୁ ଅନ୍ତରାଷ୍ଟ୍ରିୟ କ୍ଷେତ୍ରରେ କୁହାଯିବା ପରେ ବର୍ତ୍ତମାନ ବ୍ରାଜିଲ ସରକାର ଆମାଜନକୁ ସେନା ପଠାଇଛନ୍ତି। ହେଲେ ଏଯାଏ ନିଆଁକୁ ଆୟତ୍ତ କରାଯାଇ ନାହିଁ।

Comment