ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଶ୍ୱର ସବୁଠାରୁ ବଡ଼ ଆମାଜନ ଜଙ୍ଗଲରେ ଲାଗିଛି ନିଆଁ
  • ନିଆଁର ପ୍ରଭାବ ତାର ଆଖପାଖର ୨୭୦୦ କିଲୋମିଟର ଅଞ୍ଚଳକୁ ପ୍ରଭାବିତ କରୁଛି
  • ବିପଦରେ ୧୬ ହଜାରରୁ ଅଧିକ ଗଛଲତା ଏବଂ ୨୫ ଲକ୍ଷରୁ ଅଧିକ ପ୍ରଜାତିର ଜୀବଜନ୍ତୁ

ବିଶ୍ୱର ସବୁଠାରୁ ବଡ଼ ଜଙ୍ଗଲ ଆମାଜନରେ ଲାଗିଛି ନିଆଁ। ଦକ୍ଷିଣ ଆମେରିକାର ବ୍ରାଜିଲରେ ଥିବା ବିଶ୍ୱର ଏହି ସବୁଠାରୁ ବଡ଼ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିରହିଛି।  ନିଆଁର ପରିମାଣ ଏତେ ଭୟାଭୟ ଅଛି ଯେ, ଏହାର ଧୁଆଁରେ ବ୍ରାଜିଲର ସହର ଦେଖା ନଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବ୍ରାଜିଲର ସାଓପାଓଲୋ ସହରର ଆଖପାଖ ଅଞ୍ଚଳରେ ଏହି ନିଆଁ ବହୁତ ଉଗ୍ରରୂପ ଧାରଣ କରିଛି। ଆମାଜନ ଓ ରୋଣ୍ଡାନିଆ ରାଜ୍ୟରେ ଲାଗିଥିବା ଏହି ନିଆଁରୁ ବାହାରୁଥିବା ଗରମ ପବନ ତା ଆଖପାଖର ୨୭୦୦ କିଲୋମିଟର ଅଞ୍ଚଳକୁ ପ୍ରଭାବିତ କରୁଛି।

ପୃଥିବୀର ୨୦ ପ୍ରତିଶତ ଅମ୍ଲଜାନ ଏହି ଆମାଜନ ଜଙ୍ଗଲରୁ ମିଳିଥାଏ। ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବର୍ତ୍ତମାନର ଏହି ନିଆଁ ପୂର୍ବ ତୁଳନାରେ ବହୁତ ଭୟଙ୍କର ବୋଲି କୁହାଯାଉଛି। ଏହି ଜଙ୍ଗଲରେ ୧୬ ହଜାରରୁ ଅଧିକ ପ୍ରଜାତିର ଗଛଲତା ଓ ୨୫ ଲକ୍ଷରୁ ଅଧିକ ପ୍ରଜାତିର କୀଟପତଙ୍ଗ ଜୀବଜନ୍ତୁ ବସବାସ କରନ୍ତି। ଏବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଗଛଲତା ଓ କୀଟପତଙ୍ଗଙ୍କ ପାଇଁ ବିପଦ ସୃଷ୍ଟି କରିଛି।

ଆମାଜନରେ ଲାଗିଥିବା ଏହି ନିଆଁ ଗତ ଦୁଇ ସପ୍ତାହ ଧରି ଲାଗିଥିବା ଅନୁମାନ କରାଯାଉଛି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲର ବହୁ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି। ଜୀବଜନ୍ତୁ ନିଆଁରେ ପୋଡି ହୋଇ ମରିପଡିଥିବାର ଫଟୋ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।

୨୦୧୩ ମସିହା ପରଠାରୁ ଲଗାତାର ଭାବରେ ବର୍ଷର ଜାନୁଆରୀ ଓ ଅଗଷ୍ଟ ମାସରେ ନିଆଁ ଲାଗୁଛି। ୨୦୧୯ ମସିହାରେ ମଧ୍ୟ ବହୁଥର ସେଠାରେ ନିଆଁ ଲାଗିଥିଲା। ସାଟେଲାଇଟ୍‌ ଫଟୋ ଅନୁଯାୟୀ, ପୂର୍ବବର୍ଷ ତୁଳନାରେ ଆମାଜନ ଜଙ୍ଗଲରେ ୮୩ ପ୍ରତିଶତ ଅଧିକ ନିଆଁ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଆମାଜନ ଜଙ୍ଗଲରେ ୭୩ ହଜାରରୁ ଅଧିକ ଥର ନିଆଁ ଲାଗିଛି।

ଏହି ଘଟଣା ଘଟିବା ପରେ ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସନାରୋ ତାଙ୍କର ବନ ସଂରକ୍ଷଣ ଏଜେନ୍ସିର ମୁଖ୍ୟଙ୍କୁ ପଦରୁ ହଟାଇଦେଇଛନ୍ତି। ନିଆଁ ଲାଗିବା ଫଳରେ ବ୍ରାଜିଲ ସହ ଏହି ବିପଦ ଅନ୍ୟ ସହରମାନଙ୍କୁ ବ୍ୟାପିବାର ଆଶଙ୍କା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଜିଲ ସରକାରଙ୍କ ପକ୍ଷରୁ କୌଣସି ସଠିକ୍ ପଦକ୍ଷେପ ଗ୍ରହଣ କରାଯାଇନଥିବା ଖବର ମିଳିଛି।

Comment