ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ୍ ୨୦୨୨ରେ ଗୁରୁବାର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚରେ ସୁଇଜରଲ୍ୟାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚଟି ଉରୁଗୁଏ ଓ ଦକ୍ଷିଣ କୋରିଆ ମଧ୍ୟରେ ବିନା ଗୋଲରେ ଡ୍ର ରହିଛି। ସେହିପରି ତୃତୀୟ ମ୍ୟାଚରେ ପର୍ତ୍ତୁଗାଲ, ଘାନାକୁ ୩-୨ ଗୋଲରେ ପରାସ୍ତ କରିଛି। ଶେଷ ମ୍ୟାଚରେ ବ୍ରାଜିଲ ୨-୦ ଗୋଲରେ ସର୍ବିଆକୁ ପରାସ୍ତ କରିଛି।

ଗୁରୁବାର ଦିନ ୩ଟା ୩୦ ମିନିଟରେ ଗ୍ରୁପ୍ –ଜି ରେ ସୁଇଜରଲ୍ୟାଣ୍ଡ ଓ କାମେରୁନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୁଇଜରଲ୍ୟାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି। ଏହି ମ୍ୟାଚଟି ଅତି ସଂଘର୍ଷପୂର୍ଣ ଥିଲା। ଏହି ମ୍ୟାଚରେ ଉଭୟ ସୁଇଜରଲ୍ୟାଣ୍ଡ ଓ କାମେରୁନ ବହୁତ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ୪୮ତମ ମିନିଟରେ ସୁଇଜରଲ୍ୟାଣ୍ଡର ଜେର୍ଡାନ ସାକିରି ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ପରେ କାମେରୁନ ଆଉ କୌଣସି ଗୋଲ କରିପାରିନଥିଲା।

ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ଏଚ ରେ ଉରୁଗୁଏ ଓ ଦକ୍ଷିଣ କୋରିଆ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯାଇଥିଲା।ଏହି ମ୍ୟାଚରେ ଉଭୟ ଦଳ କୌଣସି ଗୋଲ କରିପାରିନଥିଲେ। ଫଳରେ ମ୍ୟାଚଟି ଡ୍ର ରହିଥିଲା। ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ।

ତୃତୀୟ ମ୍ୟାଚ ମ୍ୟାଚ୍ ଗ୍ରୁପ୍–ଏଚ ରେ ପର୍ତ୍ତୁଗାଲ ଓ ଘାନା ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯାଇଥିଲା। ଫୁଟବଲ ତାରକା କ୍ରିଷ୍ଟିଅନୋ ରୋନାଲ୍ଡୋଙ୍କ ବିଶ୍ଵ ରେକର୍ଡ ସହ ଦଳ ଘାନାକୁ ୩-୨ ଗୋଲରେ ପରାସ୍ତ କରିଛି। କ୍ରିଷ୍ଟିଅନୋ ରୋନାଲ୍ଡୋ କ୍ରମାନ୍ୱୟରେ ୫ଟି ବିଶ୍ଵକପରେ ଗୋଲ ସ୍କୋର କରି ରେକର୍ଡ ସ୍ଥାପନ କରିଛନ୍ତି। ମ୍ୟାଚରେ ଉଭୟ ଦଳ ପ୍ରଥମରୁ ଲଢୁଆ ଖେଳ ପ୍ରଦର୍ଶନ ଆରମ୍ଭ କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ୬୫ତମ ମିନିଟର କ୍ରିଷ୍ଟିଅନୋ ରୋନାଲ୍ଡୋ ପେନାଲ୍ଟିରୁ ଏକ ଗୋଲ କରିଥିଲେ। କିନ୍ତୁ ୭୩ତମ ମିନିଟର ଘାନାର ଆନ୍ଦ୍ରେ ଏୟୁ ଏକ ଗୋଲଦେଇ ସ୍ଥିତି ବରାବର କରିଦେଇଥିଲେ।  ଏହାର ୫ ମିନିଟ ଭିତରେ ପର୍ତ୍ତୁଗାଲ ଆଉ ୨ଟି ଗୋଲ ଦେଇ ମ୍ୟାଚକୁ ନିଜ ହାତକୁ ନେଇଥିଲା। ପରେ ଘାନା ପକ୍ଷରୁ ୮୯ତମ ମିନିଟରେ ଆଉ ଗୋଟିଏ ଗୋଲ ଦିଆଯାଇଥିଲେ ମଧ୍ୟ ଏହା ସେମାନଙ୍କୁ ମ୍ୟାଚ୍ ଜିତିବାରେ ସହାୟକ ହୋଇନଥିଲା

ରାତି ୧୨ଟା ୩୦ ମିନିଟରେ ଗ୍ରୁପ୍ –ଜି ରେ ବ୍ରାଜିଲ ଓ ସର୍ବିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବ୍ରାଜିଲ ୨-୦ ଗୋଲରେ ସର୍ବିଆକୁ ପରାସ୍ତ କରିଛି। ଖେଳା ଆରମ୍ଭରୁ ୫ ଥରର ବିଶ୍ଵ ଚାମ୍ପିୟାନ ବ୍ରାଜିଲ ସର୍ବିଆକୁ କୌଣସି ଗୋଲ କରିବାକୁ ମଉକା ଦେଇନଥିଲା। ସର୍ବିଆ ଆକ୍ରମଣାମତ୍କ ଖେଳ ଦେଖେଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ବ୍ରାଜିଲ ପକ୍ଷରୁ ରିଚାର୍ଲିସନ ୨ଟି ଗୋଲ ଦେଇଥିଲେ।

ଶୁକ୍ରବାର ଫିଫା ବିଶ୍ଵକପରେ ୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍–ବି ରେ ୱେଲ୍ସ ଓ ଇରାନ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ଏ ରେ କତାର ଓ ସେନେଗାଲ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍–ଏ ରେ ନେଦରଲାଣ୍ଡ ଓ ଇକ୍ୱେଡର ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ୍ ଗ୍ରୁପ୍–ବି ରେ ଆମେରିକା ଓ ଇଂଲଣ୍ଡ ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

Tags: #FIFAWorldCup2022 #Qatar #Switzerland #Portugal #Brazil #Football #FIFA #OdishaLive #Sports

Comment