ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍‌ ପେଲେଙ୍କ ଦେହାନ୍ତ ହୋଇଛି। ଗୁରୁବାର ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ କେଲି ନାସ୍କିମେଣ୍ଟୋ ଏହି ସୂଚନା ଦେଇଛନ୍ତି। ବିଶ୍ଵର ଏହି ମହାନ ଫୁଟ୍‌ବଲ୍‌ ଖେଳାଳି ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ୨୦୨୨ ନଭେମ୍ବର ମାସ ୨୯ ତାରିଖରୁ ସେ ସାଓ ପଓଲୋର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀର ଆଉ କେମୋଥେରାପି ଗ୍ରହଣ ନକରିବାରୁ ‌ତାଙ୍କ ମୃତ୍ୟୁ ଘଟିଥିବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ପେଲେ ହେଉଛନ୍ତି ବିଶ୍ଵର ଏକମାତ୍ର ଖେଳାଳି ଯିଏ ତିନି ଥର ଫିଫା ବିଶ୍ଵକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ୧୯୫୮, ୧୯୬୨ ଓ  ୧୯୭୦ ମସିହାର ବିଶ୍ଵକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ। ଅନ୍ତର୍ଜାତୀୟ ଫୁଟବଲରେ ୪ ଟି ବିଶ୍ଵକପ ଖେଳି ସେଥିରୁ ୩ଟିରେ ବିଜୟ ଲାଭ କରିଥିବା ଦଳର ସଦସ୍ୟ ହେବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି। ୧୬ ବର୍ଷ ବୟସରେ ବ୍ରାଜିଲ ପାଇଁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ‘ବ୍ଲାକ ପର୍ଲ’ ନାମରେ ପ୍ରସିଦ୍ଧ ଏହି ମହାନ ଖେଳାଳି ନିଜ ସମୟରେ ୯୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୭୭ ‌ଗୋଲ୍‌ ଦେଇ ସର୍ବକାଳୀନ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ଅର୍ଜନ କରିଥିଲେ।

୧୯୪୦ ଅକ୍ଟୋବର ୨୩ ତାରିଖରେ ବ୍ରାଜିଲ୍‌ର ଟ୍ରେସ୍‌ କୋରାକୋସ୍‌ ସହରରେ ଏକ ଗରିବ ଘରେ ପେଲେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଭଲ ନାମ ‘ଏଡସନ୍‌ ଅରାଣ୍ଟେସ୍‌ ଡୁ ନାସ୍କିମେଣ୍ଟୋ’ ଥିବାବେଳେ ‘ଡିକୋ’ ଡାକନାମ ଥିଲା। ତେବେ ସ୍କୁଲ୍‌ରେ ପଢ଼ୁଥିବା ସମୟରେ ସେ ‘ପେଲେ’ ନାମରେ ପରିଚିତ ହୋଇଥିଲେ।

ବ୍ରାଜିଲର ଏହି  ତାରକା ୧୮ ବର୍ଷ ବୟସରେ ପ୍ରଥମଥର ବିଶ୍ଵକପ୍ ଜିତିଥିଲେ। ୧୯୫୮ରେ ହୋଇଥିବା ଏହି ବିଶ୍ଵକପ୍‌‌ରେ ସ୍ଵିଡେନ୍‌ ବିପକ୍ଷ ଫାଇନାଲ୍‌ରେ ଦୁଇଟି ଗୋଲ୍‌ ଦେବା ସହ ମୋଟ ୬ ଗୋଲ୍‌ ସ୍କୋର କରିଥିଲେ। ୧୯୬୨ ବିଶ୍ଵକପ୍‌ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ଵକପ୍‌ ଫାଇନାଲ୍‌ରେ ତାଙ୍କ ଗୋଲ ବଳରେ ବ୍ରାଜିଲ ୪-୧ରେ ଇଟାଲିକୁ ହରାଇଥିଲା।

୧୯୫୭ରେ ବ୍ରାଜିଲ୍‌ ଜାତୀୟ ଦଳକୁ ଚୟନ ହେବା ପରେ ୧୯୫୮ ଓ ୧୯୬୨ ବିଶ୍ଵକପ୍‌ରେ ସେ ଖେଳି ନିଜର ପ୍ରତିଭା ଦେଖାଇଥିଲେ। ରିଅଲ ମାଦ୍ରିଦ୍‌, ଜୁଭେନ୍‌ଟସ୍‌, ମାଞ୍ଚେଷ୍ଟର ୟୁନାଇଟେଡ୍‌ ଭଳି କ୍ଲବଗୁଡ଼ିକ ପେଲେଙ୍କ ସହିତ ଚୁକ୍ତି ସ୍ଵାକ୍ଷର କରିବା ପାଇଁ ମନବଳାଇଥିଲେ। ପେଲେଙ୍କୁ ଦେଶ ବାହାରର କୌଣସି କ୍ଲବ୍‌ ଯେପରି ନ କିଣନ୍ତି, ସେଥିପାଇଁ ୧୯୬୧ ମସିହାରେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାନିଓ କ୍ଵାଦ୍ରୋସ୍‌ ତାଙ୍କୁ ‘ଜାତୀୟ ସମ୍ପତ୍ତି’ ଭାବେ ଘୋଷଣା କରିଥିଲେ। ସେ ବ୍ରାଜିଲର ଫୁଟବଲ କ୍ଲବ୍‌ ସାଣ୍ଟୋସ୍‌ ପକ୍ଷରୁ ସବୁଠୁ ଅଧିକ ସମୟ ଖେଳିଥିଲେ। ଏହି କ୍ଲବ୍‌ ପାଇଁ ସେ ୬୫୯ ମ୍ୟାଚ୍‌‌ ଖେଳି ୬୪୩ ଗୋଲ୍‌ ଦେଇଥିଲେ। ପେଲେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାପରେ ୧୯୭୪ ମସିହାରେ ଉତ୍ତର ଆମେରିକା ଫୁଟବଲ୍‌ ଲିଗ୍‌ର ଦଳ ନ୍ୟୁୟର୍କ କସ୍‌ମସରେ ସାମିଲ ହୋଇଥିଲେ। ପେଲେଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ ସବୁବେଳେ ଦର୍ଶକରେ ଭର୍ତ୍ତି ରହୁଥିଲା। ୧୯୭୭ ଅକ୍ଟୋବର ୧ ତାରିଖରେ ନ୍ୟୁୟର୍କ କସ୍‌ମସ୍‌ ଓ ସାଣ୍ଟୋସ୍‌ କ୍ଲବ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପରେ ସବୁଦିନ ପାଇଁ ଫୁଟବଲ୍‌ ଖେଳଠୁ ଦୂରେଇ ଯାଇଥିଲେ।

୨୦୨୨ କତାର ବିଶ୍ଵକପର ଏକ ମ୍ୟାଚ୍ ବେଳେ ପେଲେ ହସ୍ପିଟାଲ ବେଡ୍‌ରେ ଥାଇ ବ୍ରାଜିଲ ଦଳକୁ ଉତ୍ସାହିତ କରିଥିଲେ। କତାର ବିଶ୍ଵକପରେ ବ୍ରାଜିଲର ନେମାର ଡି’ସ୍ଲିଭା ଜୁନିୟର, ପେଲେଙ୍କ ୭୭ଟି ଅନ୍ତର୍ଜାତୀୟ ଗୋଲ ସହ ସମକକ୍ଷ ହୋଇଥିଲେ।

Tags: #Pele #Legend #Died #82yearsAge #BlackPearl #Brazil #Footballer

 

Comment