ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କର ୧୦୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ୩.୩୦ରେ ହୀରା ବା’ଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ସେ ଶେଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମା’ଙ୍କ ପରଲୋକର ଖବର ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ କରି ଜଣାଇଛନ୍ତି।

ନରେନ୍ଦ୍ର ମୋଦୀ ସକାଳେ ଗାନ୍ଧିନଗରସ୍ଥିତ ତାଙ୍କ ସାନଭାଇ ପଙ୍କଜ ମୋଦୀଙ୍କ ବାସ ଭବନରେ ପହଁଞ୍ଚି ହୀରା ବା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗାନ୍ଧିନଗର ସେକ୍ଟର ୩୦ସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ପ୍ରଧାନମନ୍ତ୍ରୀ ନିଜ ମା’ଙ୍କ ଶରୀରକୁ କାନ୍ଧ ଦେବାସହ ଶେଷରେ ଶ୍ମଶାନରେ ମୁଖାଗ୍ନି ଦେଇଥିଲେ।

ହୀରା ବା’ଙ୍କ ପରଲୋକରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ନରେନ୍ଦ୍ର ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଅହମଦାବାଦର ହସ୍ପିଟାଲ ଆସିଥିଲେ। ତେବେ ହୀରାବେନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଥିଲା। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଶେଷ ଥର ପାଇଁ ଗାନ୍ଧିନଗରରେ ତାଙ୍କ ମା’ଙ୍କୁ ଭେଟିଥିଲେ।

Tags: #Hiraben #NarendraModi #Mother #Died #100Years #Gandhinagar #Gujrat

Comment