ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୋନ୍‌ ପେ, ଗୁଗୁଲ ପେ ଭଳି ଏବେ ହ୍ୱାଟସଆପ୍‌ ପେ ମାଧ୍ୟମରେ ୟୁଜର ଟଙ୍କା ପଠାଇପାରିବେ। ଯଦିଓ ଭାରତରେ ଏହି ସେବା ଉପଲବ୍ଧ ହୋଇନାହିଁ ତେବେ ଖୁବଶୀଘ୍ର ଭାରତରେ ଏହି ସେବା ଆରମ୍ଭ ହେବ।  ଭାରତରେ ଏହି ସେବା ପାଇଁ ଦୁଇ ବର୍ଷ ହେଲା ପରୀକ୍ଷଣ ଚାଲିଛି।

ବ୍ରାଜିଲ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଠାରେ ହ୍ୱାଟସଆପରେ ପେମେଣ୍ଟ ଫିଚର ଲଞ୍ଚ କରାଯାଇଛି।  ଏହା ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କୁ ଅତି ସହଜରେ ଟଙ୍କା ପଠାଇପାରିବ।

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି, ‘‘ଆମେ ବ୍ରାଜିଲବାସୀଙ୍କ ପାଇଁ ହ୍ୱାଟସଆପ୍‌ ପେମେଣ୍ଟ ଆରମ୍ଭ କରୁଛୁ। ହ୍ୱାଟସଆପ୍‌ରେ ଫଟୋ ସେୟାର କରିବା ପରି ଟଙ୍କା ପଠାଇବା ସହଜ ହେବ।’’

ଭାରତରେ ହ୍ଵାଟସଆପ ଆପରେ ପେମେଣ୍ଟ ସେବା ଲଞ୍ଚ ହେବା ନେଇ ବହୁ ଦିନରୁ ଆଲୋଚନା ଚାଲିଛି। କିନ୍ତୁ କ୍ଲିୟରାନ୍ସ ଅଭାବରୁ ଏହି ସୁବିଧା ଉପଲବ୍ଧ ହୋଇପାରିନାହିଁ। ଭାରତରେ ହ୍ଵାଟସଆପର ସର୍ବାଧିକ ସଂଖ୍ୟକ ୟୁଜର ଅଛନ୍ତି। ଏହି କାରଣରୁ କମ୍ପାନି ଭାରତରେ ହ୍ଵାଟ୍ସଆପ ପେମେଣ୍ଟ ଫିଚର ଲଞ୍ଚ କରିବାକୁ ଜୋରସୋରରେ ଚେଷ୍ଟା ଚଳାଇଛି। ମାତ୍ର ସରକାରଙ୍କଠାରୁ କ୍ଲିୟରାନ୍ସ ନମିଳିବାରୁ ଏହା ହୋଇପାରୁନାହିଁ।

ଗତବର୍ଷ ହ୍ୱାଟସଆପର ମୁଖ୍ୟ  ୱିଲ୍ କ୍ୟାଥକାର୍ଟ ଭାରତ ଆସିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସରକାରଙ୍କ ଅନୁମତି ନେବା ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି। ତେବେ ଭାରତରେ ଏହି ସେବା କେବେ ଆରମ୍ଭ ହେଉଛି ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି।

Comment