ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଜୟପୁର ଏମ୍‌ଜି ରୋଡ କଡ଼ରେ ଥିବା ବନ୍ଧ ପୋଖରୀ ହୁଡ଼ାରେ ଥିବା ବନ୍ଧଗାଟୁ ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।  ଜମିପଟ୍ଟା ଦାବୀ କରି ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ସୂଚନା ମିଳିଛି।

ସାହି ବାସନ୍ଦାଙ୍କ ମୂତାବିକ, ପୂର୍ବପୁରୁଷ ଅମଳରୁ ଲୋକମାନେ ଏହି ବନ୍ଧଗାଟୁ ସାହିରେ ରହି ଆସୁଛନ୍ତି। ପ୍ରଶାସନ ଅଧିକାରୀ ଅନେକ ସମୟରେ ପରିଦର୍ଶନରେ ଆସି ଉକ୍ତ ଜମିର ସ୍ଥାୟୀ ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବର୍ତ୍ତମାନ ଜମିପଟ୍ଟା ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିବାରୁ ଏହାକୁ ବିରୋଧ କରୁଛନ୍ତି ସାହି ବାସିନ୍ଦା।

ବର୍ତ୍ତମାନ ସରକାର ସେମାନଙ୍କୁ ଯଦି ଏହି ସ୍ଥାନ ଛାଡ଼ିବାକୁ ବାଧ୍ୟ କରନ୍ତି ତେବେ ସେମାନେ କିଭଳି ପରିବାର ପ୍ରତିପୋଷଣ କରିବେ ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

ପ୍ରାୟ ୯୩ ଟି ପରିବାରର ୩୦୦ରୁ ଅଧିକ ବାସିନ୍ଦା ଏହି ସାହିରେ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ବିଧବା ରହିଛନ୍ତି। ବର୍ତ୍ତମାନ ଏହା ସରକାରୀ ଜମି ହୋଇଥିବା ନେଇ ଜଣା ପଡ଼ିଛି। ତେବେ ଏତେ ବର୍ଷ ପରେ ଏହି ସ୍ଥାନକୁ ଖାଲି କରିବା ନେଇ ବର୍ତ୍ତମାନ ସାହି ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comment