ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ଧରଣରେ ଏହି ପୂଜା କରିଥାନ୍ତି ସହରବାସୀ।

ହାଇଦ୍ରାବାଦର ଖଇରତାବାଦ୍ ଓ ବାଲାପୁର ଆଦି ଅଞ୍ଚଳରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ ହୁଏ ଗଣେଶ ପୂଜା। ମୁଖ୍ୟତଃ ହାଇଦ୍ରାବାଦର ବାଲାପୁର ଅଞ୍ଚଳର ଗଣେଶ ପୂଜାରେ ଲଡ଼ୁର ସ୍ୱତନ୍ତ୍ରତା ରହିଆସିଛି। ପୂର୍ବବର୍ଷ ଏଠାକାର ଗଣେଶଙ୍କର ଲଡ଼ୁ ୧୫ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହୋଇଥିଲା। ସେହିଅଞ୍ଚଳର ପ୍ରସିଦ୍ଧ ବ୍ୟବସାୟୀ ନିଗମ ତିରୁପତି ରେଡ୍ଡି ଏହି ଲଡ଼ୁ କିଣିଥିଲେ।

ଗତବର୍ଷ ଏହି ନିଲାମ ପକ୍ରିୟାରେ ମୋଟ୍ ୨୪ଜଣ ଲୋକ ଅଂଶଗ୍ରହଣ କରିଥିଲେ। ଏଥିରେ ମହେଶ୍ୱରମ ଅଞ୍ଚଳର ବିଧାୟକ ମଧ୍ୟ ସାମିଲ ହୋଇଥିଲେ। ଏହି ନିଲାମ ପକ୍ରିୟା ମାତ୍ର ୪,୧୧୬ ଟଙ୍କାରୁ ଆରମ୍ଭ ହୋଇଥିଲା। ଯାହା ବଢି ବଢି ୧୫ଲକ୍ଷରୁ ଅଧିକ ଟଙ୍କାରେ ପହଞ୍ଚି ଯାଇଥିଲା। ପୂର୍ବରୁ ମଧ୍ୟ ଏଠାରେ ୧୪ ଲକ୍ଷ ଟଙ୍କା ଦେଇ ଲୋକ ଗଣେଶଙ୍କ ଲଡ଼ୁ କିଣିଥିବାର ନଜର ଆସିଛି।

ସର୍ବପ୍ରଥମେ ଏଠାରେ ୧୯୯୪ ମସିହାରେ ଲଡ଼ୁ ନିଲାମ ହେବାର ପକ୍ରିୟା ଆରମ୍ଭ ହୋଇଥିଲା। ସେ ସମୟରେ ୪୫୦ ଟଙ୍କା ଦେଇ ସେ ଅଞ୍ଚଳର କେ.ରାମମୋହନ ରେଡ୍ଡି ଗଣେଶଙ୍କ ଲଡୁ ନିଲାମରେ କିଣିଥିଲେ। ଏହି ଟଙ୍କା ସେହି ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ କରାଯାଇଥିଲା।

ସେହି ଦିନଠାରୁ ପ୍ରତିବର୍ଷ ଏଠାରେ ଗଣେଶଙ୍କର ଲଡୁର ନିଲାମ କରାଯାଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଏହି ନିଲାମକୁ ଦେଖିବା ସହ ନିଲାମରେ ଅଂଶଗ୍ରହଣ କରିବାକୁ ଆସିଥାନ୍ତି। ପୂରା ରାଜ୍ୟରେ ଏହି ଲଡ଼ୁକୁ ସମସ୍ତେ ଭଗବାନଙ୍କ ଆର୍ଶୀବାଦ ବୋଲି ଗ୍ରହଣ କରିଥାନ୍ତି।

ହାଇଦ୍ରାବାଦର ଉଚ୍ଚତମ ଗଣେଶ ପ୍ରତିମୂର୍ତ୍ତି

ସେହିପରି ଖଇରତାବାଦ ଅଞ୍ଚଳରେ ସବୁଠାରୁ ବଡ଼ ଗଣେଶ ପ୍ରତିମୂର୍ତ୍ତି କରି ଚର୍ଚ୍ଚାରେ ରହିଥିଲା।  ପୂର୍ବବର୍ଷ ଏହି ଅଞ୍ଚଳରେ ୫୮ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ ହୋଇଥିଲା। ହାଇଦ୍ରାବାଦରେ ଏହି ପ୍ରତିମୂର୍ତ୍ତି ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ହେବାର ଗୌରବ ଅର୍ଜନ କରିଥିଲା।

Comment