ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ହୋଇଥିବା ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ଜୀବନ ଚାଲି ଯାଇଥିଲା। ସେହି ଦୁର୍ଘଟଣା ଦିନର ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଚନ୍ଦ୍ରାଂଶୁଙ୍କ ମା’ ନମିତା।

‘‘ମାମା ମୁଁ ୨ ମିନିଟରେ ଘରେ ପହଞ୍ଚୁଛି। ବାପାଙ୍କଠୁ ଗାଡ଼ି ଚାବି, ୩୦୦ ଟଙ୍କା ଆଉ ଗାଡ଼ି ହେଲମେଟ୍‌ ମାଗିକି ରଖିଥିବ’’, ଏହା ହେଉଛି ଚନ୍ଦ୍ରାଂଶୁ ଶେଖର ପତିମିଶ୍ରଙ୍କ ଶେଷ କଥା।

ପୁଅର ଏହି ଶେଷ କଥାକୁ ମନେପକାଇ ମା’ ନମିତା ପତିମିଶ୍ରଙ୍କ ଆଖିରୁ ଲୁହ ଶୁଖୁନି। ପ୍ରତି ମୁହୂର୍ତ୍ତରେ ସେ ପୁଅକୁ ଝୁରୁଛନ୍ତି। ପୁଅ କଥା ଭାବି ଭାବି ସେ ସବୁଦିନ ଆଖିରୁ ଲୁହ ଗଡ଼ାଉଛନ୍ତି। ଚନ୍ଦ୍ରାଂଶୁଙ୍କୁ ତାଙ୍କ ମା’ ଝୁରୁଛନ୍ତି। ଚନ୍ଦ୍ରାଂଶୁଙ୍କ ବାପା ହେଉଛନ୍ତି ହିମାଂଶୁ ପତିମିଶ୍ର। ସେ ଓଡ଼ିଶାର ଆଗଧାଡ଼ିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ପରିଚିତ। ନମିତା ଏବଂ ହିମାଂଶୁଙ୍କର ଏକମାତ୍ର ପୁଅ ଥିଲେ ଚନ୍ଦ୍ରାଂଶୁ।

ଚନ୍ଦ୍ରାଂଶୁକୁ ସବୁବେଳେ ଜଗୁଥିଲି

‘‘ମୁଁ ମୋ’ ପୁଅକୁ ସବୁବେଳେ ଜଗୁଥିଲି। କାଳେ ସାଙ୍ଗସାଥୀଙ୍କ ମେଳରେ ପଡ଼ି ଅବାଟକୁ ଚାଲିଯିବ ସେଥିପାଇଁ ମୁଁ ତାକୁ ପକେଟ୍‌ ମନି ଦେଉ ନଥିଲି। ଯେତିକି ଦରକାର ତାକୁ ସେତିକି ହିଁ ଦେଉଥିଲି। ପକେଟ୍‌ ମନି ଦେଉ ନଥିଲି ବୋଲି ସେ ସବୁବେଳେ ମୋ’ ଉପରେ ଅଭିମାନ କରୁଥିଲା। ମୋ’ ପୁଅକୁ ଜଗିବାର ଫଳ କ’ଣ ଏଇୟା?’’

କାନ୍ଦି କାନ୍ଦି ନିଜକୁ ନିଜେ ପ୍ରଶ୍ନ କରିଛନ୍ତି ଚନ୍ଦ୍ରାଂଶୁଙ୍କ ମା’ ନମିତା।

‘‘ସେଦିନ ଥିଲା ମେ’ ୨୫ ତାରିଖ। ସକାଳୁ ମତେ ସେ କହିଲା ମା’ ମୁଁ ଜଳଖିଆ ଖାଇବିନି। ଖାଲି ମିଶ୍ରି ପାଣି ପିଇକି ଘରୁ ବାହାରିଗଲା। ସେ କାହା ସାଙ୍ଗରେ କେଉଁ ଗାଡ଼ିରେ ଯାଉଛି ତାହା ଜାଣିବା ପାଇଁ ମୁଁ ବାଲ୍‌କୋନିକୁ ଗଲି। ମଙ୍ଗଳା ମନ୍ଦିର ନିକଟରୁ ଦୁଇ ଜଣଙ୍କ ସାଙ୍ଗରେ ଗାଡ଼ିରେ ଯିବାର ମୁଁ ଦେଖିଲି’’, ଏତିକି କହିବା ବେଳକୁ କାନ୍ଦି ପକାଇଥିଲେ ନମିତା।

ମାମା, ମୁଁ ଶୀଘ୍ର ଫେରି ଆସିବି

ସମୟ ଗଡ଼ି ଚାଲିଥିଲା। ହେଲେ ନମିତାଙ୍କ ମନ ବୁଝୁ ନଥିଲା। ପୁଅ ଘରକୁ ଫେରି ନଥିବାରୁ ନମିତା ଖାଇପାରୁ ନଥିଲେ। ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ।

‘‘ଦିନ ୨ଟା ବାଜିଗଲା। ମୁଁ ତାକୁ ଫୋନ୍ କଲି। କହିଲି ଶୀଘ୍ର ଆସିଲେ ସାଙ୍ଗ ହୋଇ ଖାଇବା। ହେଲେ ସେ କହିଲା ତମେ ଖାଇଦିଆ, ମୁଁ ସାଙ୍ଗମାନଙ୍କ ସହ ପିଜା ବର୍ଗର ଖାଇ ଦେଇଛି। ମୁଁ ଭାତ ଥାଳି ଧରି ଖାଇବାକୁ ବସିଲି। ହେଲେ ମୋ’ ମନ ବୁଝୁ ନଥିଲା। ଖାଇବା ଥାଳି ପାଖରେ ବସି ଆକୁ ତାକୁ ଫୋନ୍‌ କରୁଥିଲି’’, ଚନ୍ଦ୍ରାଂଶୁର ସେହି ଫୋନ୍‌ କଲ୍‌ କଥା ମନେପକାଇ କହିଛନ୍ତି ନମିତା।

ଶଶୀ ଗାଡ଼ିରେ ଆସିଥିଲେ ହୁଏତ ମୋ’ ପୁଅର କିଛି ହୋଇ ନଥାନ୍ତା

ଶଶୀ ହେଉଛି ଚନ୍ଦ୍ରାଂଶୁର ସାଙ୍ଗ। ଚନ୍ଦ୍ରାଂଶୁର ଆସିବା ଡେରି ହେବାରୁ ମୁଁ ଶଶୀକୁ ଫୋନ୍‌ କରିଥିଲି। ଚନ୍ଦ୍ରଂଶୁକୁ ଦେଖିଛୁ କି ବୋଲି ପଚାରିଥିଲି। ସେ କହିଲା ଯେ ହଁ ଆଣ୍ଟି ମୁଁ ଚନ୍ଦ୍ରାଂଶୁକୁ ସାଢ଼େ ଗୋଟାଏରେ ଜୟଦେବ ବିହାର ଛକରେ ଛାଡ଼ିଥିଲି। ଚନ୍ଦ୍ରାଂଶୁର ମୋର ଗୋଟିଏ ବାଇକରେ ଆସୁଥିଲୁ ଏବଂ କେତନ, ଗିରିଜା ଆଉ ଗୋଟିଏ ବାଇକରେ ଆସିଥିଲେ। ଜୟଦେବ ବିହାର ଛକରୁ କେତନ, ଗିରିଜାଙ୍କ ଗାଡ଼ିରେ ଚନ୍ଦ୍ରାଂଶୁ ଘରକୁ ଆସୁଥିଲା। ହେଲେ ଘରକୁ ଆସିବା ବାଟରେ ମୋ’ ପୁଅ ଆରପାରିକୁ ଚାଲିଗଲା ଯଦି ସେ ଶଶୀ ଗାଡ଼ିରେ ଆସିଥାନ୍ତା ତାହାଲେ ମୋ’ ପୁଅର କିଛି ହୋଇ ନଥାନ୍ତା।

ସେହି ଅଶୁଭ ଫୋନ୍ କଲ୍‌

‘‘ଖାଇ ବସିଥିବା ବେଳେ ହଠାତ୍‌ ନମିତାଙ୍କ ପାଖକୁ ଚନ୍ଦ୍ରାଂଶୁର ସାଙ୍ଗ ଓମକାର ଫୋନ୍ କରିଥିଲା। ସେ ହିଁ କହିଲା ଚନ୍ଦ୍ରଂଶୁର ଆକ୍ସିଡେଣ୍ଟ ହେଇଛି ଏବଂ ସେ କ୍ୟାପିଟାଲ ହସ୍ପିଟାଲରେ ଅଛି। ଏହି ଖବର ଶୁଣିବା ପରେ ମୁଁ ଧୈର୍ଯ୍ୟ ହରାଇ ସାରିଥିଲି। ଆମେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ମୋ’ ପୁଅ ଆଉ ନଥିଲା’’

ଚାଲିଗଲା ଦୁଇଟି ଜୀବନ

ଗିରିଜା, କେତନ ଏବଂ ଚନ୍ଦ୍ରାଂଶୁ ଗୋଟିଏ ବାଇକରେ ଆସୁଥିବା ବେଳେ ଓଭରବ୍ରିଜ ଉପରେ ତାଙ୍କ ପଛପଟୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ଯାକ ଜୋରରେ ଛିଟ୍‌କି ପଡ଼ିଥିଲେ। ଚନ୍ଦ୍ରାଂଶୁ ପଛରେ ବସିଥିବାରୁ ଏବଂ ସେ ଡେଙ୍ଗା ପତଳା ଥିବାରୁ ଅଧିକ ବାଟରେ ଛିଟ୍‌କି ପଡ଼ିଥିଲା। କଦଳୀ ବୋଝେଇ ଟ୍ରକଟି ସ୍ପିଟ୍‌ ଥିବାରୁ ଗିରିଜାକୁ ଘୋଷାରି ନେଇଥିଲା। କେତନ ଅଳ୍ପ ଦୂରରେ ପଡ଼ିଥିଲା।

ମୋ’ ସ୍ୱପ୍ନ ଚୁନା ହୋଇଗଲା

‘‘ବଡ଼ ସ୍ୱପ୍ନ ନେଇ ମୁଁ ମୋ’ ପୁଅକୁ ଧରି ଭୁବେନଶ୍ୱର ଆସିଥିଲି। ତାକୁ ଭଲ ଖେଳାଳି କରିବି ବୋଲି ଭାବିଥିଲି। ମୋ’ ପୁଅ ଭଲ ଫୁଟବଲ୍‌ ଖେଳୁଥିଲା। ହେଲେ ମୋ’ ସ୍ୱପ୍ନ ସବୁ ଚୁନା ହୋଇଗଲା’’, କାନ୍ଦି କାନ୍ଦି ଓଡ଼ିଶାଲାଇଭକୁ କହିଛନ୍ତି ନମିତା।

Comment