ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ସମୟରେ ପେଟରେ ଯନ୍ତ୍ରଣା ହେଲେ ଲୋକମାନେ ତାକୁ ହାଲକା ଭାବେ ନେଇଥାନ୍ତି। ଗ୍ୟାସ୍ କିମ୍ବା ସଂକ୍ରମଣ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଆଶଙ୍କା କରିଥାନ୍ତି। ତେଣୁ ପେନକିଲର ମାଧ୍ୟମରେ ଉପଶମ ପାଇବାକୁ ଉଦ୍ୟମ କରନ୍ତି। ପରିସ୍ଥିତି ଅତି ଖରାପ ହେଲେ ଯାଇ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ପ୍ରକୃତରେ କିନ୍ତୁ ପେଟରେ ଯନ୍ତ୍ରଣା ହେଲେ ଆରମ୍ଭରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

ପେଟ ବା ଅନ୍ତରେ ହେଉଥିବା କର୍କଟ ରୋଗ ଏବେ ଆମ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ହେଉଛି। ଗତବର୍ଷ ଏହି ରୋଗର ୫୭,୩୮୪ଟି ମାମଲା ସାମ୍ନାକୁ ଆସିଥିଲା। ଏହା ସାଧାରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୋଇଥାଏ। ଏହାର ପ୍ରାଥମିକ ଲକ୍ଷଣ ହେଲା ପେଟ ଯନ୍ତ୍ରଣା ହେବା, ଅରୁଚି ଲାଗିବା ଏବଂ ମଳତ୍ୟାଗରେ ସମସ୍ୟା।

ଧୀରେ ଧୀରେ ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯେପରିକି ଅନ୍ତ, ମଳାଶୟ, ଖାଦ୍ୟ ନଳୀ, ଗଲ ବ୍ଲାଡର, ପାନକ୍ରିୟାଜ୍ ଗ୍ରନ୍ଥି, କ୍ଷୁଦ୍ରାନ୍ତ୍ରକୁ ପ୍ରଭାବିତ କରିଥାଏ। ଜିଆଇ ସ୍କ୍ରିନିଙ୍ଗ, କୋଲୋନୋସ୍କୋପି ଦ୍ୱାରା ଶୀଘ୍ର ଏ ସଂପର୍କରେ ଜଣାପଡ଼ିଥାଏ। ତେଣୁ ପ୍ରାଥମିକ ଭାବେ ଡାକ୍ତରଙ୍କ ସହ ଏ ନେଇ ପରାମର୍ଶ କଲେ ଆପଣ ସୁଫଳ ପାଇପାରିବେ। ସେହିପରି ଏହି ରୋଗରୁ ରକ୍ଷା ପାଇବାର ଉପାୟ ହେଲା ଜୀବନଶୈଳୀରେ ପରିବର୍ତ୍ତନ। ନିୟମିତ ଭାବେ ବ୍ୟାୟାମ କରିବା, ସନ୍ତୁଳିତ ଖାଦ୍ୟ ଖାଇଲେ ଆପଣ ସୁସ୍ଥ ରହିପାରିବେ।

Comment