ଦୋଳଗୋବିନ୍ଦ ପଣ୍ଡା

ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବାରିଗୁରୁ ଶୁକ୍ର ତା ୩୧/୦୮/୨୦୨୦ -ସୋମବାର ରାତ୍ରି ଘ୦୨/୦୩ ସମୟରେ ମିଥୁନରାଶିରୁ ପୁନର୍ବସୁ ନକ୍ଷତ୍ର କର୍କଟରାଶିକୁ ଚଳୁଛନ୍ତି। ଶୁକ୍ର ଏକ ଶୀଘ୍ରଗାମୀ ଗ୍ରହ ଏବଂ ଗୋଟିଏ ରାଶିରେ ସେ ପାଖାପାଖି ଏକ ମାସ ଅବସ୍ଥାନ କରିଥାନ୍ତି। ସ୍ୱାଭାବିକ, ବକ୍ର ଓ ଅତିଚାର ଆଦି ଗତି ଦୃଷ୍ଟିରୁ ଏହି ସମୟରେ କିଛିଟା ତାରତମ୍ୟ ଦେଖାଦେଇପାରେ। ଏହାପରେ ପୁଣି ସେ ୨୦୨୦ ସେପ୍ଟେମ୍ବର ୨୭ ତାରିଖ ରାତ୍ରି ଘ୦୧/୦୧ ସମୟରେ କର୍କଟରାଶି ତ୍ୟାଗ କରି ସିଂହରାଶିକୁ ଚଳିବେ। ସେଠାରେ ସେ ୨୦୨୦ ଅକ୍ଟୋବର ୨୩ ତାରିଖ ଦିବା ୧୦/୪୫ ପର୍ଯ୍ୟନ୍ତ ରହି କନ୍ୟାରାଶିକୁ ଚଳିବେ। ଶୁକ୍ର ଏକ ନୈସର୍ଗିକ ଶୁଭ ଗ୍ରହ। ତାଙ୍କର ଅଧିକାଂଶ ରାଶିକୁ ଗୋଚର ଫଳ ପ୍ରାୟତଃ ଶୁଭ ହୋଇଥିବାରୁ ଏବଂ ବର୍ଷକ ଭିତରେ ଅନେକ ଥର ତାଙ୍କର ଚଳନ ଘଟୁଥିବାରୁ ଏହା ଉପରେ କେହି ବିଶେଷ ଧ୍ୟାନ ଦେଇ ନ ଥାନ୍ତି। କିନ୍ତୁ ସେ ଏକ ଉଜ୍ଜ୍ୱଳ ଗ୍ରହ ହୋଇଥିବାରୁ ତାଙ୍କ ଗୋଚର ଫଳର ଗୁରୁତ୍ୱ ରହିଛି ଏବଂ ଶୁଭ ବା ଅଶୁଭ ଦଶା ଫଳକୁ ସେ ପ୍ରଭାବିତ କରିପାରନ୍ତି।

ଗୋଚରଫଳ ବିଚାରରେ ବ୍ୟକ୍ତିଗତ ଅଷ୍ଟକବର୍ଗ ଓ ଦଶାଫଳ ଏବଂ ଗ୍ରହବେଧ ବିଚାର କରିବା ଆବଶ୍ୟକ। ତା’ଛଡ଼ା ଜନ୍ମରାଶି ସହ ଜନ୍ମଲଗ୍ନରୁ ମଧ୍ୟ ବିଚାର କରାଯାଇଥାଏ।

ନାରଦ ସଂହିତାରେ ଅଛି:

କୁଦ୍ବ୍ୟଗ୍ନ୍ୟବ୍ଧିସୁତାଷ୍ଟାଂକାନ୍ତ୍ୟାୟେ ଶୁକ୍ରୋ ନ ବିଦ୍ୟତେ।

ଜନ୍ମଭାନ୍ମୃତ୍ୟୁସପ୍ତାଦ୍ୟଖାଙ୍କେଷ୍ବାୟାରି ପୁତ୍ରଗୈଃ।।

ଅର୍ଥାତ୍ ଜନ୍ମରାଶିରୁ ଯଦି ୮, ୭, ୧, ୧୦, ୯, ୫, ୧୧, ୬, ୫ ସ୍ଥାନଗୁଡ଼ିକରେ କୌଣସି ଗ୍ରହ ନ ଥାନ୍ତି (ଏଗୁଡ଼ିକ ଶୁକ୍ରଙ୍କ ବେଧସ୍ଥାନ), ତେବେ ଜନ୍ମରାଶିରୁ ୧, ୨, ୩, ୪, ୫, ୮, ୯, ୧୨, ୧୧ ସ୍ଥାନରେ ଥିବା ଶୁକ୍ର ଶୁଭ ଫଳଦାୟକ ହୋଇଥାନ୍ତି।

ବେଧ ସ୍ଥାନରେ ଗ୍ରହ ଥିଲେ କୌଣସି ଶୁଭଫଳ ଦେଇପାରନ୍ତି ନାହିଁ। ଏଣୁ ବେଧ ବିଚାର ପୂର୍ବକ ଶୁଭାଶୁଭ ଫଳ କହିବା ଉଚିତ। ଯଦି ଗ୍ରହର ବାମବେଧ ହେଉଥାଏ, ଅର୍ଥାତ୍ ବେଧ ସ୍ଥାନରେ ଥିବା ଗ୍ରହ ଓ ଶୁଭ ସ୍ଥାନରେ ବେଧ କରୁଥିବା ଗ୍ରହ (ଏହି ପ୍ରକାର ବିପରୀତ ଭାବେ) ଥାଏ ତେବେ ଅଶୁଭ ଗ୍ରହ ବି ଶୁଭଦାୟକ ହୋଇଥାଏ।

ଅଶୁଭ ଫଳଦାୟକ ଗ୍ରହ ବି ଶୁଭ ଗ୍ରହର ଦୃଷ୍ଟିରେ ଶୁଭଦ ହୋଇଥାଏ। ପାପଗ୍ରହ ଦ୍ବାରା ଦୃଷ୍ଟ ତଥା ଶତ୍ରୁ ଗ୍ରହ ଦ୍ୱାରା ଦୃଷ୍ଟ ଗ୍ରହ ଶୁଭ ହେଲେ ବି ଶୁଭ ଫଳ ଦେଇପାରି ନ ଥାଏ। ନୀଚ ରାଶିରେ ଥିବା, ଶତ୍ରୁଗୃହୀ ତଥା ଅସ୍ତଂଗତ (ରବିଙ୍କ ଅତି ନିକଟରେ ଥିବା) ଗ୍ରହ ନିଷ୍ଫଳ ହୋଇଥାଏ।

ତା’ଛଡ଼ା ଜ୍ୟୋତିଷଶାସ୍ତ୍ରରେ ଆଉ ଏକ ପାଠ ଅଛି ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ବ୍ୟକ୍ତିଗତ ଜାତକରେ ଶୁକ୍ରଙ୍କ ଅଷ୍ଟକବର୍ଗରେ ଯଦି ସେ ଚଳିଥିବା ରାଶିରେ (କର୍କଟରେ) ଚାରୋଟିରୁ ଅଧିକ ଅର୍ଥାତ୍ ପାଞ୍ଚଟି, ଛଅଟି ବା ସାତଟି ଶୁଭବିନ୍ଦୁ ପାଇଥାନ୍ତି ତେବେ ଗୋଚରରେ ଅଶୁଭ ହେଲେ ବି ସେ ଶୁଭଫଳ ଦେବେ।

ବର୍ତ୍ତମାନ ଶୁକ୍ର କେଉଁ ରାଶିକୁ କି ଫଳ ଦେବେ ସଂକ୍ଷେପରେ ବିଚାର କରିବା। (ଅଷ୍ଟକବର୍ଗ ବିଚାର ଓ ଦଶାଫଳ ବିଚାର ବ୍ୟକ୍ତିଗତ ଜାତକ ବିଚାର ସହ ଜଡ଼ିତ, ଯାହା ସାମୂହିକ ଗୋଚରଫଳ ବିଚାରରେ ସମ୍ଭବ ନୁହେଁ।)

ମେଷ: ମେଷ ରାଶିକୁ ଶୁକ୍ର ଚତୁର୍ଥ ଶୁଭ ସ୍ଥାନକୁ ଚଳୁଛନ୍ତି। କିନ୍ତୁ ଦଶମ ବେଧ ସ୍ଥାନରେ ଶନି ଥିବାରୁ ସେ ଶୁଭଫଳ ଦେଇପାରିବେ ନାହିଁ। ଆର୍ଥିକ ଅଭିବୃଦ୍ଧି କିଛିଦିନ ପାଇଁ ବ୍ୟାହତ ହେବ। ଯଦି ଆପଣ କୃଷି କ୍ଷେତ୍ରରେ କାମ କରୁଥାନ୍ତି, ତେବେ ଆପଣଙ୍କୁ ରୋଗପୋକ ଦମନ କରିବା ଉପରେ ଦୃଷ୍ଟି ଦେବାକୁ ହେବ। ବ୍ୟବସାୟିକ ଉଦ୍ୟୋଗରେ କିଛିକାଳ ମାନ୍ଦାବସ୍ଥା ଲାଗି ରହିବ। ଆଶା ହରାନ୍ତୁ ନାହିଁ, କାରଣ ମେଜର ପ୍ଲାନେଟ ବୃହସ୍ପତି ଓ ଶନି ଶୁଭ ସ୍ଥାନରେ ଅଛନ୍ତି ଏବଂ ଆଗକୁ ଆହୁରି ଶୁଭ ସମୟ ଆସୁଛି।

ବୃଷ: ବୃଷ ରାଶିକୁ ଶୁକ୍ର ତୃତୀୟ ଶୁଭ ସ୍ଥାନକୁ ଚଳୁଛନ୍ତି। ବେଧ ସ୍ଥାନରେ କୌଣସି ଗ୍ରହ ନ ଥିବାରୁ ତୃତୀୟ ଶୁକ୍ର ଆପଣଙ୍କୁ ଶୁଭଫଳ ପ୍ରଦାନ କରିବେ। ଏହା ଆପଣଙ୍କ ପାଇଁ ସୁଖ ଓ ତୃପ୍ତିକୁ ସୂଚିତ କରେ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଆପଣଙ୍କର ଉଦ୍ୟୋଗଗୁଡିକ ଭଲ ଲାଭ ଅର୍ଜନ କରିବାର ସମ୍ଭାବନା ଅଛି। ସାମାଜିକ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ଏକ ଭଲ ସମୟ। ସହକର୍ମୀ ଓ ପରିଚିତମାନେ ସାହାଯ୍ୟକାରୀ ହେବେ। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ଭାଇଭଉଣୀମାନେ ମଧ୍ୟ ଆପଣଙ୍କ ସହିତ ଭଲ ସମୟ ଉପଭୋଗ କରିବାର ସମ୍ଭାବନା ଅଛି।

ମିଥୁନ: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଦ୍ୱିତୀୟ ସ୍ଥାନକୁ ଚଳୁଛନ୍ତି। ଏହା ଏକ ଶୁଭ ସ୍ଥାନ। କିନ୍ତୁ ସପ୍ତମ ବେଧ ସ୍ଥାନରେ ବୃହସ୍ପତି ଓ କେତୁ ରହିଥିବାରୁ ଶୁଭସ୍ଥାନକୁ ଚଳି ବି ଶୁକ୍ର ଶୁଭଫଳ ଦେଇପାରିବେ ନାହିଁ।  ଆର୍ଥିକ ଲାଭ ବିଘ୍ନିତ ହେବ। ବ୍ୟବସାୟିକ କାରବାର ସାଧାରଣ ବା ମାନ୍ଦାବସ୍ଥା ଦେଇ ଗତି କରିବ। କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ଦେଖାଇପାରନ୍ତି। ସାହିତ୍ୟ ଓ ଶାସ୍ତ୍ରଚର୍ଚ୍ଚା ଭିତରେ ରହିଲେ ମାନସିକ ଶାନ୍ତି ପାଇପାରିବେ। ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କଠାରୁ କିଛି ଅନୁଗ୍ରହ ଆଶା କରିପାରନ୍ତି, ଯାହା ମିଳିବାରେ କିଛିଟା ବିଳମ୍ବ ଘଟିବ। ତେବେ ଆଗକୁ ଭଲ ସମୟ ଥିବାରୁ ବିଚଳିତ ହେବାର କୌଣସି କାରଣ ନାହିଁ।

କର୍କଟ: ଶୁକ୍ର ଆପଣଙ୍କ ଜନ୍ମରାଶିକୁ ଚଳୁଛନ୍ତି। ଏହା ଶୁକ୍ରଙ୍କର ଶୁଭସ୍ଥାନ। ବେଧସ୍ଥାନ ଅଷ୍ଟମରେ କୌଣସି ଗ୍ରହ ନ ଥିବାରୁ ଶୁଭଫଳ ବଜାୟ ରହିବ। ଏହା ପ୍ରାୟତଃ ଜାଗତିକ ସୁଖ ପ୍ରଦାନରେ ସହାୟକ ହେବ। ପରିବାରରେ ଏକ ନୂତନ ସଦସ୍ୟଙ୍କ ଆଗମନ ଆଶା କରିପାରନ୍ତି।  ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ଜୀବନକୁ ଉପଭୋଗ କରିବାକୁ ମଧ୍ୟ ଅନେକ ଅବସର ପାଇବେ। ନୂତନ ପୋଷାକ, ସୁଗନ୍ଧି ଦ୍ରବ୍ୟ, ପ୍ରସାଧନ ସାମଗ୍ରୀରେ ସୁଖୀ ହେବେ। ନୂତନ ଯାନ କ୍ରୟ କରିପାରନ୍ତି। ଆର୍ଥିକ ଅବସ୍ଥାରେ ଉନ୍ନତି ହେବ। ତେବେ କୌଣସି ବାହ୍ୟ ପ୍ରଭାବରୁ ଦୂରରେ ରୁହନ୍ତୁ ଯାହା ଆପଣଙ୍କ ଭିତରେ ଏକ ନକାରାତ୍ମକ ଭାବ ସୃଷ୍ଟି କରିପାରେ।

ସିଂହ: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଦ୍ୱାଦଶ ସ୍ଥାନକୁ ଚଳୁଛନ୍ତି। ଏହା ଶୁଭ ହୋଇଥିଲେ ମଧ୍ୟ ବେଧ ସ୍ଥାନରେ ମକରରେ ଗ୍ରହ ଥିବାରୁ ଶୁଭଫଳ ମିଳିପାରିବ ନାହିଁ। ଏହା ସକରାତ୍ମକ ଓ ନକାରାତ୍ମକ ଘଟଣାଗୁଡ଼ିକର ମିଶ୍ରିତ ଫଳକୁ ସୂଚିତ କରେ। ଗୋଟିଏ ପଟେ ଏହି ଅବଧି ଆର୍ଥିକ ଲାଭକୁ ବୁଝାଏ ଏବଂ ଅନ୍ୟ ପଟେ ଏହା ଧନର କିଛି ଅପ୍ରତ୍ୟାଶିତ କ୍ଷତିକୁ ମଧ୍ୟ ସୂଚିତ କରେ। ବିଶେଷକରି ଏହି ସମୟରେ ଘରେ କୌଣସି ଚୋରି ନହେବା ପାଇଁ ଅତିରିକ୍ତ ଯତ୍ନ ନିଅନ୍ତୁ। ତୀକ୍ଷ୍ଣ ଅସ୍ତ୍ର ଏବଂ ସନ୍ଦେହଜନକ ଲୋକଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଏକାଦଶ ଘର ଦେଇ ଗତି କରୁଛନ୍ତି। ଏହା ଶୁଭ ହେଲେ ମଧ୍ୟ ବେଧ ସ୍ଥାନରେ ଗ୍ରହ ଥିବାରୁ ସେ ଶୁଭଫଳ ନ ଦେଇ ସାଧାରଣ ଫଳ ଦେବେ। ଏହା ମୁଖ୍ୟତଃ ଆର୍ଥିକ ସୁରକ୍ଷା ଏବଂ ଋଣରୁ ମୁକ୍ତିକୁ ସୂଚିତ କରେ। କିନ୍ତୁ ଏହି ଅଭିଷିତ କାର୍ଯ୍ୟ ବିଳମ୍ବିତ ହୋଇପାରେ। ଅନ୍ୟ ଅର୍ଥନୈତିକ ସମସ୍ୟାର ସମାଧାନ ମଧ୍ୟ ବିଳମ୍ବରେ ଆଶା କରିପାରନ୍ତି। ଆପଣ ବିପରୀତ ଲିଙ୍ଗର ସଦସ୍ୟମାନଙ୍କ ସହିତ ଭଲ ସମୟ ଆଶା କରିପାରନ୍ତି। ତେବେ ଆର୍ଥିକ ଆଦି ବିଭିନ୍ନ ସମସ୍ୟାରେ ଭାଙ୍ଗି ନ ପଡ଼ି ଦୃଢ଼ହସ୍ତରେ ପରିସ୍ଥିତିର ମୁକାବିଲା କରନ୍ତୁ। ଧୈର୍ଯ୍ୟ ଧରନ୍ତୁ, ବିପଦ କଟିଯିବ।

ତୁଳା: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଦଶମ ସ୍ଥାନକୁ ଚଳୁଛନ୍ତି। ଏହା ଶୁକ୍ରଙ୍କର ଅଶୁଭ ସ୍ଥାନ। କିନ୍ତୁ ଚତୁର୍ଥରେ ବାମବେଧ ହେଉଥିବାରୁ ଅଶୁଭତ୍ବ କଟିଯିବ। ଫଳରେ ମାନସିକ ଯନ୍ତ୍ରଣା, ଅସ୍ଥିରତା ଦୂର ହେବ। ଏହି ସମୟରେ ଶାରୀରିକ ସ୍ୱାସ୍ଥ୍ୟ ପ୍ରାୟତଃ ଠିକ୍ ରହିବ। ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ। ଋଣରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସୁସ୍ଥ ଦାମ୍ପତ୍ୟ ଜୀବନ ପାଇଁ ଆପଣଙ୍କ ଜୀବନସାଥୀ ସହିତ ସମସ୍ତ ପ୍ରକାରର ଯୁକ୍ତିରୁ ଦୂରେଇ ରୁହନ୍ତୁ। କର୍ମ କ୍ଷେତ୍ରରେ ଆପଣଙ୍କୁ ଅତିରିକ୍ତ କଠିନ ପରିଶ୍ରମ କରିବାକୁ ପଡିପାରେ।

ବିଛା: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ନବମ ସ୍ଥାନକୁ ଚଳୁଛନ୍ତି। ଏହା ଶୁଭସ୍ଥାନ ଏବଂ ବେଧସ୍ଥାନରେ କୌଣସି ଗ୍ରହ ନ ଥିବାରୁ ଏହି ଶୁଭତ୍ବ ବଜାୟ ରହିବ। ଏହା ଶାରୀରିକ ବା ଜାଗତିକ ଆରାମ ଓ ସୁଖକୁ ମଧ୍ୟ ସୂଚିତ କରେ। ଏହି ସମୟ ମଧ୍ୟରେ ମୂଲ୍ୟବାନ ଅଳଙ୍କାର ଲାଭ, ଆର୍ଥିକ ଲାଭ ପାଇପାରନ୍ତି। ବ୍ୟବସାୟୀମାନେ ପରିଶ୍ରମ କରି ସନ୍ତୋଷଜନକ ଲାଭ କରିପାରିବେ। ଏହି ସମୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସଫଳତା ମଧ୍ୟ ସୂଚିତ ହୁଏ। ସ୍ୱାସ୍ଥ୍ୟ ଭଲ ରହିବ। ଭାଇଭଉଣୀମାନେ ପୂର୍ବ ଅପେକ୍ଷା ଅଧିକ ସହଯୋଗୀ ଓ ସ୍ନେହଶୀଳ ହେବେ। କେତେକ ଶୁଭ କାର୍ଯ୍ୟ ଆପଣଙ୍କ ଘରେ କରାଯିବାର ସମ୍ଭାବନା ଅଛି।  ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି। ଆଧ୍ୟାତ୍ମିକ ମାର୍ଗ ଦେଖାଇବା ପାଇଁ ଜଣେ ପରାମର୍ଶଦାତା ମଧ୍ୟ ପାଇପାରନ୍ତି। ଏହି ସମୟ ମଧ୍ୟରେ କଳା କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ।

ଧନୁ: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଅଷ୍ଟମ ସ୍ଥାନକୁ ଚଳୁଛନ୍ତି। ଏହା ଶୁଭସ୍ଥାନ କିନ୍ତୁ ବେଧସ୍ଥାନରେ ଗ୍ରହ ଥିବାରୁ ଏହା ଶୁଭଫଳ ଦେଇପାରିବ ନାହିଁ ଏବଂ ସାଧାରଣ ଫଳ ଦେବ। ଯାହା ଶୁଭଫଳ ମିଳିବା କଥା ବିଳମ୍ବରେ ମିଳିବ। ଏହି ସମୟରେ ପ୍ରେମ ବ୍ୟାପାରରେ ଆପଣ ସଫଳତା ପାଇପାରିବେ ନାହିଁ। ତେବେ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ଆଶା କରାଯାଉଛି। ଯଦି ଜଣେ ଛାତ୍ର, ତେବେ ମନେରଖିଥାନ୍ତୁ ଯେ, ପରିଶ୍ରମ ବିନା ସୁଫଳ ମିଳିବ ନାହିଁ।

ସାମାଜିକ ସର୍କଲରେ ଅଧିକ ସମ୍ମାନ ଆଶା କରିପାରନ୍ତି। ବୃତ୍ତିଗତ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭେଚ୍ଛୁ ଏବଂ ବନ୍ଧୁମାନଙ୍କ ସାହାଯ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏକ ଉଚ୍ଚ ସରକାରୀ କର୍ତ୍ତୃପକ୍ଷଙ୍କୁ ଭେଟିବାର ସମ୍ଭାବନା ଅଛି।

ମକର: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ସପ୍ତମ ସ୍ଥାନକୁ ଚଳୁଛନ୍ତି। ଏହା ଶୁକ୍ରଙ୍କର ଶୁଭସ୍ଥାନ ନୁହେଁ। ବାମବେଧ ନ ଥିବାରୁ ସେ ଅଶୁଭଫଳ ହିଁ ଦେବେ। ଏପଟେ ଜନ୍ମଶନି ଓ ଦ୍ବାଦଶ ବୃହସ୍ପତି ବି ଶୁଭଫଳ ଦେଉନାହାନ୍ତି।  ତେଣୁ ଏହା ଏକ ଅସୁବିଧାଜନକ ସମୟକୁ ସୂଚିତ କରେ।

ମହିଳାମାନଙ୍କ ସହିତ ଜଡିତ କୌଣସି ମାମଲାଠାରୁ ଦୂରରେ ରୁହନ୍ତୁ ଏବଂ ଆପଣଙ୍କ ପତ୍ନୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପତ୍ନୀଙ୍କ ଦେହ ଖରାପ ହୋଇପାରେ। ସେ ଶାରୀରିକ ଯନ୍ତ୍ରଣା, ମାନସିକ ଚିନ୍ତା ଇତ୍ୟାଦିରେ ପୀଡିତ ହୋଇପାରନ୍ତି। ଆର୍ଥିକ ଦୃଷ୍ଟିରୁ ଏହା ଭଲ ସମୟ ନୁହେଁ ଏବଂ ଆର୍ଥିକ କ୍ଷତିରୁ ରକ୍ଷା ପାଇବା ପାଇଁ ମହିଳାଙ୍କ ସହ କାରବାର କରିବାଠାରୁ ଦୂରରେ ରହିବା ଭଲ ହେବ। କିଛି ଦୁଷ୍ଟ ବନ୍ଧୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି।

ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, କାରଣ ସ୍ନାୟବିକ ରୋଗ, ମୂତ୍ରନଳୀ ବ୍ୟାଧି ଏବଂ ଅନ୍ୟାନ୍ୟ ଛୋଟ ରୋଗରେ ପୀଡିତ ହେବାର ସମ୍ଭାବନା ଅଛି। ବୃତ୍ତିଗତ ଭାବରେ ଏହି ସମୟକୁ ଅନୁକୂଳ ଭାବରେ ବିବେଚନା କରାଯାଇପାରିବ ନାହିଁ। ଦୁଷ୍ଟ ସହକର୍ମୀମାନଙ୍କଠାରୁ ଦୂରେଇ ରୁହନ୍ତୁ କାରଣ ସେମାନେ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିପାରନ୍ତି।

କୁମ୍ଭ: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ଷଷ୍ଠ ସ୍ଥାନକୁ ଚଳୁଛନ୍ତି। ଏହା ଅଶୁଭ ହେଲେ ମଧ୍ୟ ଶନି ବାମବେଧ ସୃଷ୍ଟି କରୁଥିବାରୁ ଅଶୁଭତ୍ବ କଟିଯିବ। ଆପଣଙ୍କର ଶତ୍ରୁମାନେ ଚେଷ୍ଟା କଲେ ବି କିଛି କ୍ଷତି କରିପାରିବେ ନାହିଁ। ତେବେ ଆପୋଷ ବୁଝାମଣା କରିବାକୁ ପଡିପାରେ। ବ୍ୟବସାୟ ସାଥୀ ସହିତ ଝଗଡା ନ କରିବା ଭଲ।

ବିଶେଷ କରି ଏହି ପର୍ଯ୍ୟାୟରେ ଆପଣଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ କୌଣସି ପ୍ରକାରର ଯୁକ୍ତିରୁ ଦୂରେଇ ରୁହନ୍ତୁ। ଦୂରଯାତ୍ରା ସ୍ଥଗିତ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ବି ଯତ୍ନ ନିଅନ୍ତୁ। ଭୋଗେଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ। ସମାଜରେ ଏବଂ କର୍ମକ୍ଷେତ୍ରରେ ଆପଣଙ୍କର ସମ୍ମାନକୁ ଅକ୍ଷୁଣ୍ଣ ରହିବ।

ମୀନ: ଶୁକ୍ର ଆପଣଙ୍କ ଜନ୍ମରାଶିରୁ ପଞ୍ଚମ ଘର ଦେଇ ଗତି କରୁଛନ୍ତି। ଏହା ଶୁଭସ୍ଥାନ ଏବଂ ବେଧ ସ୍ଥାନରେ କୌଣସି ଗ୍ରହ ନ ଥିବାରୁ ଶୁକ୍ରଙ୍କର ଶୁଭତ୍ବ ବଜାୟ ରହିବ। ଏହି ଅବଧି ଆର୍ଥିକ ଦୃଷ୍ଟିରୁ ଏକ ଭଲ ସମୟକୁ ମଧ୍ୟ ସୂଚିତ କରେ କାରଣ ଆପଣ ନିଜର ପାଣ୍ଠି ବଢ଼ାଇବାକୁ ସମର୍ଥ ହେବେ। ଯଦି ଆପଣ ଏହି ସମୟ ମଧ୍ୟରେ କୌଣସି ସରକାରୀ ବିଭାଗ ଅଧୀନରେ ପରୀକ୍ଷା ଦେଉଥାନ୍ତି, ତେବେ ସଫଳ ହେବାର ସମ୍ଭାବନା ଅଧିକ।

ଚାକିରି କରିଥିଲେ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ସାମାଜିକ ସ୍ଥିତି ବୃଦ୍ଧି ପାଇବ। ବନ୍ଧୁ ଓ ଶିକ୍ଷକମାନେ ଆପଣଙ୍କ ପାଇଁ ଶୁଭକାମନା କରିବେ। ବିବାହିତମାନେ ସୁଖମୟ ଦାମ୍ପତ୍ୟ ଜୀବନ ଉପଭୋଗ କରିବେ। ପରିବାରରେ ନୂତନ ସଦସ୍ୟଙ୍କ ଆଗମନ ଘଟିପାରେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ।

(ଘୋଷଣା: ଶେଷରେ ଏତିକି କହିବା କଥା ଯେ, ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଗ୍ରହମାନେ କେବଳ ଅନୁପ୍ରେରିତ କରନ୍ତି। ଯେଉଁମାନେ ସତ୍ନିଷ୍ଠ, ଆଦର୍ଶନିଷ୍ଠ ସେମାନେ ଖରାପ ଅନୁପ୍ରେରଣାର ବଶୀଭୂତ ହୁଅ ନ୍ତି ନାହିଁ। ସେମାନେ ପରିବେଶରୁ ଖରାପ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଗ୍ରହଦୋଷ (ଗ୍ରହଣ କରିବାର ଦୋଷ)ରେ ପୀଡ଼ିତ ହୁଅ ନ୍ତି ନାହିଁ। ଆଦର୍ଶନିଷ୍ଠ ହୁଅନ୍ତୁ, ସତ୍ କର୍ମ କରନ୍ତୁ, ସବୁ ପ୍ରକାର ଖରାପଠାରୁ ଦୂରରେ ରହନ୍ତୁ, ଗ୍ରହଦୋଷର କୁପ୍ରଭାବ ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ।)

Comment