ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପରେ ନିଜ ଦଳ ବିଜେପି ବିରୋଧରେ ମୁହଁ ଖୋଲିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

କିଛି ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ମୁହଁ ଖୋଲି ସେ ନିଜ ଦଳକୁ ଆକ୍ଷେପ କରିଛନ୍ତି। ‘ବିଜେପିରେ ମତେ ପଚାରୁ ନାହାନ୍ତି’ କହି ଦାମ ନିଜର ଅସନ୍ତୋଷ ଜାହିର୍‌ କରିଛନ୍ତି।

ଦାମ କହିଛନ୍ତି, ‘‘ନିର୍ବାଚନ ବେଳେ ବିଜେପିରେ ମୁଁ ସାମିଲ ହେଲି। ମତେ ଷ୍ଟାର କ୍ୟାମ୍ପେନର ତାଲିକାରେ ସାମିଲ କରାଗଲା। ମୁଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ପ୍ରଚାର କଲି। ବାଲିକୁଦାରୁ ମୁଁ ପ୍ରାର୍ଥୀ ହୋଇ ପରାଜିତ ହେଲି। ପରାଜୟର ଅନେକ କାରଣ ଅଛି। ନିର୍ବାଚନ ଶେଷ ହେବା ପରେ ମତେ କେହି ପଚାରୁ ନାହାନ୍ତି। କୌଣସି ଦାୟିତ୍ୱରେ ରଖି ନାହାନ୍ତି।’’

ଏମିତି ମନ୍ତବ୍ୟ ଦେଇ ଦାମ ଆଜି ବିଜେପି ଶିବିରରେ ବୋମା ପକାଇଛନ୍ତି। ଏହି ବୋମାକୁ ବିଜେପି ନେତାମାନେ କେମିତି ଗ୍ରହଣ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା।

ନିର୍ବାଚନ ଶେଷ ହେବା ପରେ ଦାମଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ବିଜେପିରେ ତାଙ୍କ ବାପା ସନ୍ତୁଷ୍ଟ ନଥିବା ପରି ମନେହେଉଛି। ଯଦି ବିଜେଡି ସୁପ୍ରିମୋ ଚାହିଁବେ ତାହାଲେ ସେ ପୁଣି ଦଳକୁ ଫେରି ଆସିବେ।

ସମ୍ବିତଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା ହେଲା ଯେ ଦାମ ପୁଣି ବିଜେଡିକୁ ବାହୁଡି ଆସିବେ। ଦାମ କିନ୍ତୁ ଏହାର ରୋକଠୋକ ଜବାବ ଦେଇଥିଲେ। ସିଧା ତାଙ୍କ ପୁଅ ସମ୍ବିତକୁ ଟାର୍ଗେଟ କରିଥିଲେ।

bjp‘‘ମୋ’ ମନ କଥା ସେ କେମିତି ଜାଣିଲା? ବିଜେପିରେ ମୁଁ କେମିତି ଅଛି ତାକୁ ତ କେବେ କହିନି। ଯେଉଁ ଦଳ ମତେ ଅପମାନିତ କରି ବିଦା କଲା, ସେହି ଦଳରେ ସେ ଯାଇ ମିଶିଲା’’, ଏମିତି କହି ଦାମ ସମ୍ବିତଙ୍କୁ ତାତ୍ସଲ୍ୟ କରିଥିଲେ।

ଏହି ମନ୍ତବ୍ୟ ପରେ ଦାମ ବିଜେଡି ଆସିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏବେ ନିଜେ ଦାମ ବିଜେପି ବିରୋଧରେ ବର୍ଷିଛନ୍ତି। ଦାମ ବିଜେପିରେ ଅଲୋଡ଼ା ହୋଇ ରହିଥିବା ସେ ନିଜେ ସ୍ୱୀକାର କରିଛନ୍ତି।

ବିଜେଡି ଥିବା ବେଳେ ଦାମ ତାଙ୍କରି ଦଳର ନେତାଙ୍କ ଗୁମର ଖୋଲି ବିଦା ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟରେ ସେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଦାମ ପରାଜିତ ହୋଇଥିଲେ।

Comment