ଓଡ଼ିଶାଲାଇଭ ବ୍ୟୁରୋ

“ଆମ ଆଜେଣ୍ଡାର କେନ୍ଦ୍ରବିନ୍ଦୁ ହେଉଛନ୍ତି ସାଧାରଣ ଲୋକ। ସେଥିପାଇଁ ସାଧାରଣ ଲୋକଙ୍କ ତାଙ୍କ ଅଧିକାର ଦେବା ପାଇଁ ଆମେ ୫ଟି’କୁ ଗୁରୁତ୍ଵ ଦେଉଛୁ। ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କ ଆର୍ଶୀବାଦ ଆମେ ପାଇଥିବାରୁ ଆମେ ସବୁ ବେଳେ ତାଙ୍କ ଉପରେ ଋଣି। ଏଦିଗରେ ସମସ୍ତେ କାମ କରନ୍ତୁ। କାଲିଠୁ ବିଜେଡି ମେମ୍ଵରସିପ୍‌ ଡ୍ରାଇଭ ଆରମ୍ଭ ହେବ” ବୋଲି ବିଜେଡି କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରବିବାର ଭୁବନେଶ୍ଵରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିଛି। ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ପରେ ଏହା ଥିଲା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ଜିଲ୍ଲା ସଭାପତି, ସମସ୍ତ ସେଲର ଅଧ୍ୟକ୍ଷଙ୍କ ସହ ନବନିର୍ବାଚିତ ବିଧାୟକ, ବିଧାୟିକା ଓ ସାଂସଦ ମାନେ ଉପସ୍ଥିତ ରହିଥିଲେ।

ଏଥିସହ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଜେଡି ସଦସ୍ୟତା ଅଭିଯାନକୁ ନେଇ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ। ଏହି ସଦସ୍ୟତା ଅଭିଯାନ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସଦସ୍ୟତା ଅଭିଯାନରେ ପ୍ରତି ୱାର୍ଡରୁ ଚାରିଜଣ ଲେଖାଏଁ ଓ ଏନଏସିରୁ ପାଞ୍ଚ ଓ ପ୍ରତି ମ୍ୟୁନିସିପାଲଟିରୁ ୧୫ ଜଣ ଲେଖାଏଁ ସକ୍ରିୟ ସଦସ୍ୟ ରହିବେ। ସେହିପରି କର୍ପୋରେସନରୁ ମଧ୍ୟ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।

ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଦୁଇଗୁଣା ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବୋଲି କୁହାଯାଇଛି। ସଭ୍ୟ ସଂଗ୍ରହ ପକ୍ରିୟାକୁ ପ୍ରତି ୧୫ ଦିନରେ ନିଜେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି ସେ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

ଏଥର ନୂଆ ଉପାୟରେ ସଭ୍ୟ ସଂଗ୍ରହ କରିବ ବିଜୁ ଜନତା ଦଳ। ଏଥର ଅନଲାଇନ୍ ଜରିଆରେ ନିଜର ସଦସ୍ୟ ସଂଗ୍ରହ କରିବ ଦଳ। ଏହି ପକ୍ରିୟାରେ ଜଣେ ବ୍ୟକ୍ତି ଦଳର ସଦସ୍ୟ ହେବାକୁ ଚାହିଁଲେ ବ୍ୟକ୍ତି ଜଣକର ଆଧାର ନମ୍ବର ବାଧ୍ୟତାମୂଳକ ବୋଲି କୁହାଯାଇଛି।

Comment