ଓଡ଼ିଶାଲାଇଭ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲଗ୍ନ ଧାର୍ଯ୍ୟ ହେବା ପରଠୁ ବଲାଙ୍ଗିରର ଗାଁଠାରୁ ସହର ପର୍ଯ୍ୟନ୍ତ ସଜବାଜ ଆରମ୍ଭ ହୋଇଯାଇଥିଲା। ନୂଆଁଖାଇର ବିକ୍ରିବଟା ପାଇଁ ‘ତିହାର ବଜାର’ରେ ବେଶ ଭିଡ଼ ଜମୁଥିବା ବେଳେ ଦୂରଦୂରାନ୍ତରରେ ରହୁଥିବା ଲୋକ ନୁଆଁଖାଇ ପାଇଁ ଘରକୁ ଫେରୁଥିବାରୁ ବସ୍‌ଷ୍ଟାଣ୍ଡ ଓ ରେଲଓ୍ଵେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି।

ସେପ୍ଟେମ୍ଵର ୩ ତାରିଖ ସକାଳ ୮ଟା ୫୦ ମିନିଟରୁ ୧୦ଟା ୩୮ ମଧ୍ୟରେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଏଥିପାଇଁ ଚାଷୀମାନେ ବେଶ ଉତ୍ସାହିତ ଅଛନ୍ତି। ହେଲେ ଏଥର ଜିଲ୍ଲାରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ଯାହାକୁ ନେଇ ଚିନ୍ତାରେ ରହିଥିଲେ ଚାଷୀ। ହେଲେ ଏହା ସତ୍ତ୍ଵେ ମଧ୍ୟ ନୂଆଁଖାଇ ପାଇଁ ପ୍ରସ୍ତୁତି ଶେଷ ହୋଇଛି।

ସହରର ବିଭିନ୍ନ ଛକରେ ନୂଆଁଖାଇ ଝାଡ଼ୁ, ମାଟିପାତ୍ର, କୁଲେଇ, ଖଡ଼ିକା, ନୂଆଁ ଧାନ କେଣ୍ଡା, ଚୁଡ଼ା, ଗୁଡ଼, ରାକ୍ଷୀ ଆଦି ସାମଗ୍ରୀ ବିକ୍ରି ହେଉଛି। ସହରର ଡେଲି ମାର୍କେଟ, ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ରିବଟା ବେଶ ଜମୁଛି। ସେହିପରି ବଲାଙ୍ଗିରର ଇଷ୍ଟ ଦେବୀ ମା ସମଲେଶ୍ଵରୀ, ମା ପାଟଣେଶ୍ଵରୀଙ୍କ ପୀଠରେ ମଧ୍ୟ ସଫାସୁତୁରା, ରଙ୍ଗ ଓ ନୂଆ ସାମଗ୍ରୀ କିଣାବିକା ଶେଷ ହୋଇଛି।

ଅନ୍ୟପକ୍ଷରେ ନୂଆଁଖାଇ ସରିବା ପରେ ସହରର ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ କରାଯିବ। ତେବେ ଚଳିତବର୍ଷ ନୂଆଁଖାଇ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।

Comment