ଓଡ଼ିଶାଲାଇଭ ବ୍ୟୁରୋ

  • ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାରେ ଓଡ଼ିଶାରୁ ୫୨ ହଜାର ଚାଷୀ ପଞ୍ଜିକୃତ
  • ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୩୦ ଲକ୍ଷ ଚାଷୀଙ୍କୁ ମିଳୁଛି ବାର୍ଷିକ ୬ ହଜାର ଟଙ୍କା ସହାୟତା
  • ୨୦୨୨ ସୁଦ୍ଧା ସରକାରୀ ସହାୟତାରେ ଚାଲୁଥିବା ନଡିଆ ଉଦ୍ୟୋଗ ସଂଖ୍ୟାକୁ ଦ୍ୱିଗୁଣିତ କରିବା ସରକାରଙ୍କ ଲକ୍ଷ୍ୟ

ଫନି କ୍ଷତିଗ୍ରସ୍ତ ନଡ଼ିଆଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଫନିରେ ରାଜ୍ୟର ନଡ଼ିଆ ଚାଷ କ୍ଷତିଗ୍ରସ୍ତ ଅଂଚଳ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରକୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

ଓଡ଼ିଶାରେ ନଡିଆ ଚାଷର ବିକାଶ ପାଇଁ ନାରିକେଳ ବିକାଶ ବୋର୍ଡ ୨୯ କୋଟି ୬୫୯ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ରସରକାର ଓଡ଼ିଶାକୁ ସିଆରଏଫ ସହାୟତାରାଶି ମଧ୍ୟ ପ୍ରଦାନ କରିବେ। ଓଡ଼ିଶାରେ ପ୍ରାୟ ୫୧ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି ଏବଂ ରାଜ୍ୟରେ କୃଷି କ୍ଷେତ୍ରର ବିକାଶରେ ନଡିଆ ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ତୋମାର କହିଛନ୍ତି।

ଆଜି ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନାରିକେଳ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତୋମାର କହିଛନ୍ତି, “ଓଡ଼ିଶାରୁ ୩୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଉଛନ୍ତି। ବଳକା ଚାଷୀଙ୍କ ତାଲିକା କେନ୍ଦ୍ରସରକାରଙ୍କୁ ପଠାଇବାକୁ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ।“

ସେ ଆହୁରି ମଧ୍ୟ କହିଛନ୍ତି,”ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫୨ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଚାଷୀ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜମାରାଶି ରଖିବେ। ଭାରତ ସରକାର ସମାନ ରାଶି ଚାଷୀଙ୍କ ଖାତାରେ ଯୋଡିବେ। ଚାଷୀଙ୍କୁ ୬୦ ବର୍ଷହେଲା ପରେ ମାସକୁ ସର୍ବାଧିକ ୩ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ।  ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦ ଉପରେ ଏମଏସପି ଦେଢ ଗୁଣାପ ର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ।“

ଏହି ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ଭାରତ ସରକାରଙ୍କ କୃଷିମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ, ଓଡିଶା ସରକାରଙ୍କ କୃଷି ବିଭାଗ  ପ୍ରମୁଖ ସଚିବସୌରଭ ଗର୍ଗ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ନାରିକେଳ ବୋର୍ଡ ଅଧ୍ୟକ୍ଷା ଭି.ଉଷାରାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାରିକେଳ ବିକାଶ ବୋର୍ଡ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଓ ପତ୍ରିକାର ଉନ୍ମୋଚନ ହୋଇଥିଲା। ସମାରୋହରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲଙ୍ଗାନା, ଆସାମ ଆଦିରୁ ୫୦୦ରୁ ଅଧିକ ନଡିଆ ଚାଷୀ ଯୋଗ ଦେଇଥିଲେ।

Comment