ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆପଣଙ୍କ ପୁଅ ବି ସୈନିକ ସ୍କୁଲରେ ପଢ଼ିପାରିବ ପାଠ। ଏଥିପାଇଁ ଆପଣଙ୍କୁ ମିଳିବ ଆର୍ଥିକ ଅନୁଦାନ। ଭୁବନେଶ୍ଵରସ୍ଥିତ ସୈନିକ ସ୍କୁଲର ଏକ ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ ଏସ ଡୋମିନିକ ରାୟନ।

ସୈନିକ ସ୍କୁଲ୍‌ରେ ପଢ଼ିବା ପାଇଁ ଏଣିକି ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର ଓ ପ୍ରତିରକ୍ଷା ମନ୍ତ୍ରାଳୟ। ବାର୍ଷିକ ଲକ୍ଷାଧିକ ଟଙ୍କା ଫି’ ଥିବା ଯୋଗୁଁ ପଢ଼ି ପାରୁ ନଥିବା ପିଲାମାନେ ବି ଏଣିକି ସୈନିକ ସ୍କୁଲରେ ପଢ଼ିବାର ସୁଯୋଗ ପାଇପାରିବେ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ପିଲାଙ୍କ ବାପା-ମାଆଙ୍କର ରୋଜଗାର ୩ ଲକ୍ଷ ଭିତରେ ହୋଇଥିବ ସେମାନେ ୯୫, ୭୭୬ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ବା ଛାତ୍ରବୃତ୍ତି ବର୍ଷକୁ ପାଇପାରିବେ ।

ସେହଭଳି ଯାହାର ବାର୍ଷିକ ଆୟ ୩ରୁ ୫ ଲକ୍ଷ ଟଙ୍କା ଥିବ, ତାଙ୍କୁ ୭୪ ହଜାର ଟଙ୍କା, ୫ରୁ ୭ ଲକ୍ଷ ୫୦ ହଜାର ଟଙ୍କା ଆୟ ଥିବା ପରିବାରର ପିଲାଙ୍କୁ ୫୪ ହଜାର ଟଙ୍କା ଏବଂ ୭ ଲକ୍ଷ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଆୟ ଥିବା ପରିବାର ପିଲାଙ୍କୁ ୩୪ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ମିଳିପାରିବ।

ଫଳରେ ପିଲାମାନେ ଅଳ୍ନ ଖର୍ଚ୍ଚରେ ସୈନିକ ସ୍କୁଲରେ ପାଠ ପଢ଼ିପାରିବେ।

୨୦୨୦-୨୧ ଶିକ୍ଷାବର୍ଷରୁ ୬ଷ୍ଠ ଓ ନବମ ଶ୍ରେଣୀରେ ପିଲାମାନେ ନାମ ଲେଖାଇ ଏହି ଛାତ୍ରବୃତ୍ତିର ସୁଯୋଗ ନେଇପାରିବେ।

ରାଜଧାନୀ ଭୁବନେଶ୍ୱରରେ ୧୯୬୨ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲରେ ପାଠ ପଢ଼ିବାପାଇଁ ଯେ କୌଣସି ଛାତ୍ର ଷଷ୍ଠ କିମ୍ବା ନବମ ଶ୍ରେଣୀରେ ଆଡମିଶନ କରିବାକୁ ପଡ଼ିଥାଏ। ଆଉ ଏଥିପାଇଁ ତାଙ୍କୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ। ଏହି ପରୀକ୍ଷା ପ୍ରତ୍ୟେକ ବର୍ଷ ଜାନୁଆରି ମାସ ପ୍ରଥମ ରବିବାର ଦିନ ଅନୁଷ୍ଠିତ ହୋଇଥାଏ।

ଡୋମିନିକ କହିଛନ୍ତି ଯେ ଏହି ଅନୁଷ୍ଠାନରେ ନାମ ଲେଖାଇ ଅଭିଭାବକମାନେ ନିଜର ପିଲାଙ୍କୁ ଜାତୀୟ ପ୍ରତିରକ୍ଷା କିମ୍ବା ନୌବାହିନୀରେ ଯୋଗଦେବା ପାଇଁ ପ୍ରସ୍ତୁତ କରି ପାରିବେ। ସୈନିକ ସ୍କୁଲରେ ଉନ୍ନତମାନର ଶିକ୍ଷା ଓ ସୁବିଧା ମିଳିଥାଏ। ଆହୁରି ମଧ୍ୟ ଏଠି ବିଭିନ୍ନ ପାଠ୍ୟକ୍ରମର ସୁଯୋଗ ବ୍ୟତୀତ ପ୍ରତିରକ୍ଷା ଓ ନୌସେନା ପାଇଁ ଆବଶ୍ୟକୀୟ ତାଲିମ ଓ ଜ୍ଞାନ କୌଶଳ ଦିଆ ଯାଇଥାଏ। ଭୁବନେଶ୍ୱର ସୈନିକ ସ୍କୁଲରେ ୬୦୦ ସିଟ୍‌ ରହିଥିବା ବେଳେ ଖୁବଶୀଘ୍ର ସମ୍ବଲପୁରରେ ମଧ୍ୟ ଏକ ୧୦୦ ସିଟ୍‌ ବିଶିଷ୍ଟ ଉନ୍ନତ ମାନର ସ୍କୁଲ ଖୋଲିବାକୁ ଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।

ସମଗ୍ର ଦେଶରେ ୩୧ଟି ସୈନିକ ସ୍କୁଲ ରହିଛି। ଏ ପର୍ଯ୍ୟନ୍ତ ସୈନିକ ସ୍କୁଲ ଭୁବନେଶ୍ୱରରୁ ଉତ୍ତୀର୍ଣ୍ଣ ହୋଇ ପ୍ରାୟ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଲେପ୍ଟେନାଣ୍ଟ ଜେନେରାଲ,ଏୟାର ମାର୍ଶାଲ, ଭାଇସ ଆଡମିରାଲ, ଆଇଏଏସ, ଆଇପିଏସ, ଇଞ୍ଜିନିୟର, କର୍ପୋରେଟ ମ୍ୟାନେଜର, ମରଚାଣ୍ଟ ନାଭି, ବିଏସଏଫ, ପିଏସଇୟୁ ଭଳି ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

ଏ ବିଷୟରେ ଅଧିକ ଜାଣିବା ପାଇଁ ଲଗ ଇନ୍ କରନ୍ତୁ: www.sainikschooladmision.in

 

Comment