ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଭୁବନେଶ୍ଵରସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ୍‌ଠାରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

ଏହି ସଭାରେ ଯୋଗ ଦେଇ ପ୍ରଫେସର ଗଣେଶୀ ଲାଲ କହିଥିଲେ, “ଅରୁଣ ଜେଟଲୀ ଅଜାତ ଶତ୍ରୁ ଥିଲେ। ୧୯୭୪ ମସିହାରୁ ଜେଟଲୀଙ୍କ ସହ ମୋର ବନ୍ଧୁତ୍ଵ ରହିଥିଲା। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମୁଁ ଫ୍ରଫେସର ଥିବା ବେଳେ ସେ ସଭାପତି ରହିଥିଲେ। ଜେଟଲୀ ରାଜନୀତିକୁ ରାଷ୍ଟ୍ରନୀତି ଭାବେ ଗ୍ରହଣ କରି ସାରା ଜୀବନ ଏଥିପାଇଁ ଉତ୍ସର୍ଗ କରିଥିଲେ।”

ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, “ଜେଟଲୀ ଗଣତନ୍ତ୍ରର ରକ୍ଷା ପାଇଁ ସର୍ବଦା ଚେଷ୍ଟା କରିଥିଲେ। ତାଙ୍କ ବ୍ୟକ୍ତିତ୍ଵ ପ୍ରତି ଲୋକଙ୍କୁ ପ୍ରଭାବିତ କରୁଥିଲା। ଦିଲ୍ଲୀରେ ଭେଟ ହେଲେ ଜେଟଲୀ ସବୁବେଳେ ନବୀନ ପଟ୍ଟନାୟକଙ୍କ କଥା ପଚାରି ବୁଝୁଥିଲେ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ସ୍ଵର୍ଗତ ଅରୁଣ ଜେଟଲୀ ଓଡ଼ିଶାର ଭଲ ବନ୍ଧୁ ଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ବେଳେ ଜେଟଲୀଙ୍କ ଉଦ୍ୟମ ଯୋଗୁଁ ବଜେଟରେ ସ୍ଵତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇଥିଲା। ଓଡ଼ିଶାବାସୀ ଜଣେ ବନ୍ଧୁ ଓ ଅବିଭାବକଙ୍କୁ ହରାଇଛନ୍ତି।”

ଅନ୍ୟମାଙ୍କ ମଧ୍ୟରେ ଏହି ସଭାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜନ୍ତ ପଣ୍ଡା, ରାଷ୍ଟ୍ରିୟ ସଂପାଦକ ସୁରେଶ ପୂଜାରୀ, ସାଂସଦ ରଘୁନାଥ ମହାପାତ୍ର, ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ଅପରାଜିତା ଷଡ଼ଙ୍ଗୀ, ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Comment