ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ଦଳର କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି ଜଣେ ଭାରତୀୟ ଖେଳାଳି। ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଭାରତୀୟ ଖେଳାଳି ଅମୁଲ ମଜୁମଦାରଙ୍କୁ ଦଳର ଅନ୍ତରୀଣ ବ୍ୟାଟିଂ କୋଚ୍ ନିଯୁକ୍ତ କରିଛି।

ଅମୋଲ ମଜୁମଦାର ହେଉଛନ୍ତି ମୁମ୍ବାଇ ରଣଜୀ ଦଳର ପୂର୍ବତନ ଖେଳାଳି। ସେ ମୁମ୍ବାଇ ଦଳ ପାଇଁ ରଣଜୀ ଟ୍ରଫିରେ ଅନେକ ମ୍ୟାଚ ଖେଳିଛନ୍ତି। ପ୍ରଥମ ଥର ପାଇଁ ସେ ୧୯୯୪ ମସିହାରେ ହରିୟାଣା ବିପକ୍ଷରେ ନିଜର ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ। ସେ ଲଗାତାର ଭାବରେ ରଣଜୀ ଟ୍ରଫିରେ ସ୍ଥିର ପ୍ରଦର୍ଶନ କରିବା ପରେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ। ସେ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅରରେ ମଧ୍ୟରେ ୧୧ହଜାର ୧୬୭ରନ୍ କରିଛନ୍ତି। ୱାସିମ୍ ଜାଫରଙ୍କ ପରେ ରଣଜୀ ଟ୍ରଫିରେ ଅମୁଲଙ୍କ ନାମରେ ଅଧିକ ରନ୍ ସଂଗ୍ରହ କରିବାର ରେକର୍ଡ ରହିଛି।

ଅମୋଲ ମଜୁମଦାରଙ୍କୁ ଦଳର ଅନ୍ତରୀଣ କୋଚ୍ ଭାବେ ନିଯୁକ୍ତି ଦେବାପରେ  ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କୋରି ବେନ ଜିଲ୍ କହିଛନ୍ତି ଯେ, ଅମୁଲ ମଜୁମଦାର ଆମ ପାଇଁ ପୁରାପୁରି ସଠିକ୍। ତାଙ୍କର ଭାରତୀୟ ପାଣିପାଗ ସହ ଖେଳିବାର ଅଭିଜ୍ଞତା ରହିଛି। ଏଥିସହ ଭାରତୀୟ ପରିବେଶରେ ଆମ ବ୍ୟାଟ୍ସମ୍ୟାନମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବେ ତାହା ମଧ୍ୟ ତାଙ୍କୁ ବେଶ୍ ଭଲ ଭାବରେ ଜଣା।

ସେହିଭଳି ନୂଆ ଦାୟିତ୍ୱ ପାଇବାପରେ ଅମୋଲ ମଜୁମଦାର କହିଛନ୍ତି, “କ୍ରିକେଟ ସବୁବେଳେ ଅଛି ଆଉ ଆଗକୁ ମଧ୍ୟ ରହିବ। ମୁଁ ଜଣେ ଖେଳାଳି ଭାବରେ ପିଚ୍ ଉପରେ ୧୫ବର୍ଷ ସମୟ ଅତିବାହିତ କଲି। ଏହାପରେ କ୍ରିକେଟ ପ୍ରତିଭାମାନଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବାର ସମୟ। ବର୍ତ୍ତମାନ ମୁଁ ମୋର ନୂଆ କୋଚିଂ କ୍ୟାରିଅରକୁ ନେଇ ବେଶ୍ ଉତ୍ସାହିତ ଅଛି।”

ଅମୋଲ ମଜୁମଦାର ୨୦୧୪ ମସିହାରେ ପ୍ରଥମଶ୍ରେଣୀ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ। ଏହାସହ ସେ ବିଭିନ୍ନ ଦଳର କୋଚ୍ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳର ବ୍ୟାଟିଂ କୋଚ୍ ମଧ୍ୟ ରହିସାରିଛନ୍ତି। ସେହିପରି ସେ ଜାତୀୟ କ୍ରିକେଟ ଏକାଡେମୀରେ ୧୯ବର୍ଷରୁ କମ୍ ଓ ୨୩ବର୍ଷରୁ କମ୍ ଭାରତୀୟ ଦଳକୁ କୋଚିଂ ମଧ୍ୟ ଦେଇସାରିଛନ୍ତି। ଏଥିସହ ସେ ୨୦୧୩ରେ ନେଦରଲ୍ୟାଣ୍ଡ ଦଳର ବ୍ୟାଟିଂ କୋଚ୍ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ।

ଦକ୍ଷିଣ ଆଫ୍ରିକା ଆସନ୍ତା ଅକ୍ଟୋବର ୨ରୁ ଭାରତ ବିପକ୍ଷରେ ତା’ର ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ରୁ ବିଶାଖାପାଟଣାରେ, ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୦ରୁ ପୁଣେରେ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୯ରୁ ରାଞ୍ଚିରେ ଖେଳିବ। ଏହି ଟେଷ୍ଟ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅଂଶବିଶେଷ।

Comment