ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ।

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି ଯେ, ଆଗାମୀ ସେପ୍ଟେମ୍ବର ୧୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିବେ। ବିଜେପିର କର୍ମକର୍ତ୍ତାମାନଙ୍କ ସହ ଭରତପୁର ବାସିନ୍ଦା ସେବା କାର୍ଯ୍ୟକ୍ରମରେ ସାମିଲ ହେବେ।

ଏହି ଅବସରରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀ ସମ୍ପର୍କିତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ମୋଦିଙ୍କ ଜୀବନଧାରା ସମ୍ପର୍କିତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲ୍ଲାରେ ପ୍ରଦର୍ଶିତ କରାଯିବ।

ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ। ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ହସ୍ପିଟାଲ, ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମମାନଙ୍କରେ ଫଳ ବଣ୍ଟନ କରାଯିବ। ୨୦ ତାରିଖ ଦିନ ସାରା ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ସଂକଳ୍ପ ନେବେ। ଏହି ପରିପ୍ରେକ୍ଷୀରେ ବିଜେପି କର୍ମକର୍ତ୍ତାମାନେ ନିଜ ଅଞ୍ଚଳର ସ୍କୁଲ ଓ କଲେଜମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ। ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

Comment