ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ୱର ମଠସାହି ନୋଡାଲ ୟୁପି ସ୍କୁଲରେ ଅଭାବନୀୟ ଘଟଣା
  • ପିଲା ଟଏଲେଟ୍‌ ଯାଇଥିବା ବେଳେ ସ୍କୁଲ ହେଲା ଛୁଟି
  • ଗେଟ୍‌ରେ ତାଲା ପକାଇ ଶିକ୍ଷୟିତ୍ରୀ, ପିଅନ ଛୁ
  • ଗେଟ୍‌ ଭିତରେ ଏକୁଟିଆ ରହିଗଲା ପ୍ରଥମ ଶ୍ରେଣୀ ପିଲା
  • ସ୍କୁଲ ଓ ଗଣଶିକ୍ଷା ବିଭାଗର ତନାଘନା
  • ପ୍ରଧାନ ଶିକ୍ଷୟତ୍ରୀଙ୍କ ଚାକିରି ଗଲା

ସ୍କୁଲରେ ଆପଣଙ୍କ ପିଲା କେତେ ସୁରକ୍ଷିତ? ଏହାର ପ୍ରମାଣ ବାଲେଶ୍ୱର ମଠସାହି ନୋଡାଲ ୟୁପି ସ୍କୁଲରୁ ସ୍ପଷ୍ଟ ଭାବେ ଜଣାପଡୁଛି। ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସ୍କୁଲରେ ଟଏଲେଟ୍‌ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଏବଂ ପିଅନ ଗେଟ୍‌ରେ ତାଲା ପକାଇ ଘରକୁ ଚାଲିଯିବା ଘଟଣା ଶିକ୍ଷା ବିଭାଗର ବେପରୁଆ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପିଲାକୁ ସ୍କୁଲରେ ତାଲା ପକାଇବା ଘଟଣା ଏବେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତାଙ୍କୁ ଚକିରିରୁ ନିଲମ୍ବିତ କରିଛନ୍ତି।

ବୁଧବାର ଦିନର ଘଟଣା। ପ୍ରତିଦିନ ପରି ସ୍କୁଲ ଆସିଥିଲେ ପିଲା। ସ୍କୁଲରେ ପାଠ ପଢ଼ା ଚାଲିଥିଲା। ହେଲେ ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଶ୍ରେଣୀଗୃହରେ ବହି ବସ୍ତାନି ଛାଡ଼ି ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଟଏଲେଟ୍‌ ଯାଇଥିଲେ। ହେଲେ ସେ ଟଏଲେଟରୁ ଆସିବା ବେଳକୁ ସ୍କୁଲ ଛୁଟି ହୋଇ ସାରିଥିଲା।

ସମସ୍ତ ଶିକ୍ଷୟତ୍ରୀ ଘରକୁ ଚାଲି ଯାଇଥିଲେ। ଶେଷରେ ପିଅନ ମଧ୍ୟ ସବୁ ଶ୍ରେଣୀଗୃହ ଏବଂ ଗେଟ୍‌ରେ ତାଲା ପକାଇ ଘରକୁ ଚାଲି ଯାଇଥିଲା। ଗେଟ୍‌ ବନ୍ଦ ହୋଇଯାଇଥିବା ଦେଖି ଛୋଟ ପିଲାଟି ଭୟଭୀତ ହୋଇଯାଇଥିଲା। କେବଳ ଗେଟ୍‌ ପାଖରେ ଆସି ବାହାରକୁ ଜଳ ଜଳ କରି ଦେଖୁଥିଲା।

ଏପଟେ ପୁଅ ଘରେ ପହଞ୍ଚି ନଥିବାରୁ ମା’ ବାପା ବ୍ୟସ୍ତ ହୋଇ ଯାଇଥିଲେ। ପୁଅ କୁଆଡ଼େ ଗଲା ବୋଲି ଚାରିଆଡ଼େ ଖୋଜିଥିଲେ।

ଗେଟ୍‌ ଭିତରେ ପିଲାଟି ରହିଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତାକୁ ପଚାରିବାରୁ ସେ କେବଳ କହିଥିଲା ‘ମୁଁ ଟଏଲେଟ୍‌ ଯାଇଥିଲି’। ପିଲାଟି ସ୍କୁଲ ଗେଟ୍‌ ଭିତରେ ରହିଯାଇଥିବା ଖବର ଜଣାପଡ଼ିବା ପରେ ପିଲାଟିର ବାପା ଆସି ତାକୁ ନେଇଥିଲେ।

ତେବେ ପିଅନ ଏବଂ ଶିକ୍ଷୟିତ୍ରୀ ପିଲାଟିକୁ ଟଏଲେଟ୍‌ ଭିତରେ ଛାଡ଼ିଦେଇ କେମିତି ଗେଟ୍‌ ପକାଇ ଦେଲେ ତାକୁ ନେଇ ତନାଘନା ହୋଇଥିଲା। ଏ ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗଣମାଧ୍ୟମ ଘେରିଥିଲା। ହେଲେ ସେ ଅଜବ ଯୁକ୍ତି କରିଥିଲେ।

‘‘ପିଲାଟିକୁ ଆମେ ଜାଣିଶୁଣି ଗେଟ୍‌ ଭିତରେ ରଖିଥିଲୁ। କାରଣ ସବୁଦିନ ସେ ତା’ ବାପା ଆସିଲେ ଘରକୁ ଯାଏ। ହେଲେ ଗତକାଲି ତା’ ବାପା ଆସି ନଥିଲା। ବାପା ଆସିବା ବିଳମ୍ବ ହେବାରୁ ଆମେ ତାକୁ ତାଲା ପକାଇ ଦେଇଥିଲୁ। ତା’ ବାପା ଆସିଲେ ସେ ଘରକୁ ଯାଇଥାନ୍ତା’’, କହିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର।

ପ୍ରଧାନ ଶିକ୍ଷୟିତ୍ରୀ ଏହି ଯୁକ୍ତି ବିତର୍କ ବଢ଼ାଇଥିଲା। ପିଲାଟିର ବାପା ଯଦି ତାକୁ ନବାକୁ ଆସିଥାନ୍ତା ତାହାଲେ ଗେଟ୍‌ ଖୋଲିଥାନ୍ତା କିଏ ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏଥିରେ ବି ପ୍ରଧାନ ଶିକ୍ଷୟତ୍ରୀ ବିଭ୍ରାନ୍ତିକର କଥା କହିଥିଲେ।

ଛୋଟ ପିଲାକୁ ସ୍କୁଲରେ ତାଲା ପକାଇବା ଘଟଣାକୁ ଆଜି ଗୁରୁତର ସହ ନେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଲା ବିଭାଗ।

ଶେଷରେ ସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସିଆର୍‌ସିସି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ଅନ୍ୟମାନଙ୍କ ମତାମତ ନେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

Comment