ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପି ସାହାରାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ବଡ଼ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାନ ଭାଇ। ଏହା ଆମେ କହୁନୁ, କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏହା କହିଛନ୍ତି। ମୋଦି-ନବୀନଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ହେବାରୁ ଗଣମାଧ୍ୟମରେ ସେ ଏଭଳି କଥା କହିଛନ୍ତି।

‘‘ମୋଦି-ନବୀନଙ୍କ ଭିତରେ ନିବିଡ଼ ସମ୍ପର୍କ। ନବୀନ ବଡ଼ ଭାଇ ଏବଂ ମୋଦି ହେଉଛନ୍ତି ସାନ ଭାଇ। ନବୀନବାବୁ ମୋଦିଙ୍କୁ ସବୁବେଳେ ସାହାଯ୍ୟ କରି ଆସୁଛନ୍ତି। ସେଥିପାଇଁ ମୋଦି ଓଡ଼ିଶାକୁ ପ୍ରଚୁର ଅର୍ଥ ଅନୁଦାନ ଦେଉଛନ୍ତି’’, କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ମୋଦି କହିଲେ ଆମ ଦଳରୁ ଜଣକୁ ଓଡ଼ିଶାରୁ ରାଜ୍ୟସଭା ପଠାଅ। ନବୀନ ଏଥିରେ ହେଳା କଲେନି। ସଙ୍ଗେ ସଙ୍ଗେ ହଁ କଲେ ଏବଂ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କଲେ। ଏଣୁ ଏଥିରୁ ମୋଦି ଓ ନବୀନଙ୍କ ଭିତରେ ସମ୍ପର୍କ କେତେ ନିବିଡ଼ ତାହା ଜଣାପଡୁଛି।

ସୁର ଆହୁରି କହିଛନ୍ତି, ‘‘ବିଜେପିର ହାତ ଧରି ନବୀନ ବାବୁ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ। ମୁଖ୍ୟମନ୍ତ୍ରୀ ବି ହେଲେ। ଯେତେବେଳେ ବିଜେଡି ସୁଦୃଢ଼ ହୋଇଗଲା ସେତେବେଳେ ନବୀନବାବୁ ବିଜେପିର ହାତ ଛାଡ଼ିଦେଲେ। ହେଲେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗଣିତ ବଦଳି ଯାଇଛି। ମୋଦି-ନବୀନ ପୁଣି ଏକାଠି ହୋଇଛନ୍ତି।’’

ଗତକାଲି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ନବୀନଙ୍କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ବିଜେପି ସାହାରାରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଗତ ବିଧାନସଭା ଅଧିବେଶନ ବେଳେ ମଧ୍ୟ ମୋଦି-ନବୀନଙ୍କ ସମ୍ପର୍କକୁ ନେଇ କଂଗ୍ରେସ କଟାକ୍ଷ କରିଥିଲା। ଉଭୟଙ୍କ ଭିତରେ ସମ୍ପର୍କ କ’ଣ ସ୍ପଷ୍ଟ ହେବା ଦରକାର ବୋଲି କଂଗ୍ରେସ ବିଧାୟକମାନେ ଦାବି କରିଥିଲେ। ନବୀନବାବୁ କାହିଁକି ବିଜେପିକୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଆଜି କଂଗ୍ରେସର ସୁର ଭାଇ ପୁଣି ସେହି ପ୍ରଶ୍ନ ଉଠାଇ ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି।

Comment