ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ବିଭିନ୍ନ ସଂସଦୀୟ କମିଟିରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ। ଫାଇନାନ୍ସ କମିଟିରେ ପିନାକୀ ମିଶ୍ର ଏବଂ ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି। ପିନାକୀ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ଅମର ନିକଟରେ ରାଜ୍ୟସଭା ଯାଇଥିଲେ।

ସେହିପରି ପ୍ରତିରକ୍ଷା କମିଟିରେ ଦେବଗଡ଼ ସାଂସଦ ନୀତେଶ ଗଙ୍ଗଦେବ ଏବଂ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ସ୍ଥାନ ପାଇଛନ୍ତି। ନୀତେଶ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ବେଳେ ରାଜଶ୍ରୀ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ।

ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରମେଶ ମାଝି, ପ୍ରସନ୍ନ ଆଚାର୍ଯ୍ୟ ସ୍ଥାନ ପାଇଛନ୍ତି। ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ମାନବ ସମ୍ବଳ ବିକାଶ କମିଟିରେ ଚନ୍ଦ୍ରାଣୀ ମୁର୍ମୁ ଏବଂ ସସ୍ମିତ ପାତ୍ର ସ୍ଥାନ ପାଇଛନ୍ତି।

ଗୃହ ବିଭାଗ କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସାର ଓ ରସାୟନ କମିଟିରେ ବିଶେଶ୍ୱର ଟୁଡୁ, ରଞ୍ଜିବ ବିଶ୍ୱାଳ, ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି।

ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ପ୍ରମିଳା ବିଷୋୟୀ ଏବଂ ସପ୍ତଗିରି ଉଲାକା ସ୍ଥାନ ପାଇଥିବା ବେଳେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ କମିଟିରେ ଚନ୍ଦ୍ରଶେଖର ସାହୁ, ସଂସଦୀୟ ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତି କରାଯାଇଛି।

ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ପାଇଥିବା ବେଳେ ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ଥାନ ମିଳିଛି। ଜଳସମ୍ପଦ କମିଟିରେ ନରେନ୍ଦ୍ର କୁମାର ସ୍ୱାଇଁଙ୍କୁ ସ୍ଥାନ ମିଳିଛି।

Comment