ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବହୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ ପାଇଛନ୍ତି। ଲଗାତାର ଦୁଇ ଦୁଇଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ସହ ସାରାଦେଶରେ ସେ ବର୍ତ୍ତମାନ ଜଣେ ଲୋକପ୍ରିୟ ରାଜନେତା।

ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ। ତେବେ ବହୁତ କମ ଲୋକଙ୍କୁ ଜଣାଥିବ ଯେ ମୋଦୀଙ୍କର ଅଭିନୟ ଓ ନାଟକ ପ୍ରତି ବହୁତ ଦୁର୍ବଳତା ଥିଲା। ୨୦୧୩ରେ ତାଙ୍କ ଆତ୍ମଜୀବନୀ ‘ଦ ମ୍ୟାନ୍ ଅଫ୍ ମୋମେଣ୍ଟ’ରେ ଏହି ବିଷୟରେ ଆଲୋଚନା କରାଯାଇଛି। ମୋଦୀ ତାଙ୍କ ନିଜ ଦ୍ୱାରା ରଚିତ ପୁସ୍ତକ ଏକଜାମ୍ ୱାରିୟରରେ ତାଙ୍କ ଅଭିନୟ ଓ ନାଟକ ପ୍ରତି ଥିବା ଦୁର୍ବଳତା ବିଷୟରେ କହିଛନ୍ତି।

ଏହି ପୁସ୍ତକରେ ମୋଦୀ ଗୋଟିଏ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରେ ସେ ଗୋଟିଏ ନାଟକର ଅଭିନୟ କରୁଥିଲେ। ସେଥିରେ ସେ ଗୋଟିଏ ଡ଼ାଇଲଗକୁ ବାରମ୍ବାର ଅଭ୍ୟାସ କରୁଥଲେ ମଧ୍ୟ ସେଥିରେ ସଫଳ ହୋଇପାରୁନଥିଲେ। ଏହାପରେ ନାଟକର ନିର୍ଦ୍ଦେଶକ ଜଣକ ମୋଦୀଙ୍କୁ ନିର୍ଦ୍ଦେଶନା ଦେଇପାରିବେନି ବୋଲି ସିଧାସଳଖ ମନା କରିଦେଇଥିଲେ। ହେଲେ ମୋଦି ଭାବୁଥିଲେ ସେ ଯାହା କରୁଛନ୍ତି ଠିକ୍ କରୁଛନ୍ତି।

ଏହାପରେ ତା ପରଦିନ ମୋଦି ସେ ନିର୍ଦ୍ଦେଶକ ଜଣକୁ ନିଜେ ଅଭିନୟ କରି ଦେଖେବାକୁ କହିଥିଲେ। ନିର୍ଦ୍ଦେଶକ ଜଣକ ଅଭିନୟ କରି ଦେଖେଇସାରିବା ପରେ ମୋଦୀ ନିଜର ଭୁଲ ଜାଣିପାରିଥିଲେ। ଏଥିସହ ତାଙ୍କର ଅଭିନୟରେ କଣ ଠିକ୍ କରିବାକୁ ପଡ଼ିବ ତାହା ଜାଣିପାରିଥିଲେ।

ଏହାପରେ ମୋଦୀଙ୍କର ଆଉ ଗୋଟିଏ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ମୋଦି ଓ ତାଙ୍କର କେତେଜଣ ସାଙ୍ଗ ତାଙ୍କ ସ୍କୁଲ ଘରର ମରାମତି ପାଇଁ ଗୋଟିଏ ନାଟକ କରି ପଇସା ଆଦାୟ କରିବାକୁ ଯୋଜନା କଲେ। ଏହାପରେ ଅସ୍ପୃଶ୍ୟତାକୁ ନେଇ ସେ ସମୟରେ ସେମାନେ ଗୋଟିଏ ନାଟକ ପ୍ରସ୍ତୁତ କରିଥିଲେ।

ଏହି ନାଟକରେ ଗୋଟିଏ ଦଳିତ ମହିଳାର କାହାଣୀ ଉପରେ ଅଭିନୀତ ହୋଇଥିଲା। ସେହି ଦଳିତ ମହିଳା ଜଣକର ପୁଅ ଅସୁସ୍ଥ ହୋଇପଡ଼ିବାରୁ ମହିଳା ଜଣକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ନୀଚ୍ଚ ଜାତିର ହୋଇଥିବା କାରଣରୁ ସେହି ମହିଳାଙ୍କ ପୁଅକୁ କେହି ବି ଚିକିତ୍ସା କରିବାକୁ ରାଜି ହୋଇନଥିଲେ।

ଏହାପରେ କେହିଜଣେ ତାଙ୍କୁ ମନ୍ଦିରର ହଳଦିଆ ଫୁଲକୁ ଆଣିବାକୁ କହିଥିଲେ। ଯାହା ଦ୍ୱାରା ତାଙ୍କ ପୁଅର ଦେହ ଭଲ ହୋଇପାରିବ ବୋଲି ସେ କହିଥିଲେ। ହେଲେ ନୀଚ୍ଚ ଜାତିର ହୋଇଥିବାରୁ ତାଙ୍କୁ ମନ୍ଦିରରେ ପ୍ରବେଶ କରିବାର ଅନୁମତି ମିଳିନଥିଲା।  ବହୁତ ଅନୁରୋଧ ପରେ ଯାଇ ମନ୍ଦିରର ପୂଜାରୀ ଜଣକ ମନ୍ଦିରରୁ ଫୁଲଆଣି ସେହି ଦଳିତ ମହିଳାଙ୍କୁ ଦେଇଥିଲେ। ଏହାସହ ଏହି କାହାଣୀଟି ଶେଷ ହୋଇଥିଲା।

ଏହି ନାଟକରେ ମୋଦି ସମସ୍ତ ଜାତିର ଲୋକ ସମାନ ବୋଲି ବାର୍ତ୍ତା ଦେଇଥିଲେ। ଏଥିସହ ସମସ୍ତଙ୍କର ମନ୍ଦିରରେ ପ୍ରବେଶ କରିବାର ଅଧିକାର ଅଛି ବୋଲି ସେ ଜଣାଇଥିଲେ।

ଏହି ସବୁ ନାଟକ ମୋଦି ତାଙ୍କର ସ୍କୁଲ ଜୀବନରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିପାରିଥିଲେ। କୁହାଯାଏ କି, ଏହି ସବୁ ନାଟକ ଗୁଡ଼ିକ ମୋଦି ତାଙ୍କର ବ୍ୟକ୍ତିଗତ ଜୀବନରେ ଅନୁଭବ କରିଥିଲେ।

Comment