ଓଡ଼ିଶାଲାଇଭ୍‌ ଲଣ୍ଟରଟେନମେଣ୍ଟ ବ୍ୟରୋ

୭୦ ଦଶକର ଅଭିନେତ୍ରୀ ସାବାନା ଆଜମୀଙ୍କର ଆଜି ୭୦ତମ ଜନ୍ମଦିନ। ୨୦୧୨ରେ “ପଦ୍ମଭୂଷଣ” ସମ୍ମାନରେ ସମ୍ମାନିତ ହୋଇଥିବା ବଲିଉଡ୍ ର ସୁନାମଧନ୍ୟ ଅଭିନେତ୍ରୀ ବଲିଉଡରେ ଏକ ବିଶେଷ ଜାଗା ତିଆରି କରିପାରିଛନ୍ତି ନିଜ ପାଇଁ। ଉଭୟ ବଙ୍ଗଳା ଓ ହିନ୍ଦୀ କମର୍ସିଆଲ୍ ସିନେମା, ଟେଲିଭିଜନ୍, ଥିଏଟର୍ ସବୁଠି ସେ ସଫଳ। ସବୁପ୍ରକାର ଭୂମିକାରେ ନିଜକୁ ପରଦାରେ ନିଖୁଣ ଭାବେ ପ୍ରତିଫଳିତ କରିବା ଶୈଳୀ ତାଙ୍କୁ ଖୁବ୍ ଭଲଭାବେ ଜଣା। ଫିଲ୍ମ ସହିତ ସାବାନାଙ୍କ ବ୍ୟକ୍ତିଗତ ଜୀବନ ବି ବହୁଚର୍ଚ୍ଚିତ।

– ସାବାନା ଆଜ୍ ମୀଙ୍କ ଜନ୍ମ ୧୮ ସେପ୍ଟେମ୍ବର, ୧୯୫୦ ମସିହାରେ ହାଇଦ୍ରାବାଦରେ ହୋଇଥିଲା।

– ବିଶିଷ୍ଟ ଗୀତକାର ତଥା ସାୟର୍ କେଫି ଆଜ୍ ମୀ ଏବଂ ଥିଏଟର୍ ଆର୍ଟିଷ୍ଟ୍ ସୋକତ ଆଜ୍ ମୀଙ୍କ ସୁପୁତ୍ରି ଅଟନ୍ତି ସାବାନା।

– ମୁମ୍ବାଇର ସେଣ୍ଟ୍ ଜାଭିୟର୍ସ କଲେଜରେ ମନୋବିଜ୍ଞାନ ଶାସ୍ତ୍ର (ସାଇକୋଲୋଜି)ରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି ସେ।

–  ବର୍ତ୍ତମାନ ସୁଦ୍ଧା ୧୨୦ରୁ ଅଧିକ ହିନ୍ଦୀ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି ସେ। ତାଙ୍କର ପ୍ରଥମ ସିନେମା ‘ଅଙ୍କୁର’ ବହୁତ ସଫଳ ହୋଇଥିଲା।

–  ଜୟା ଭାଦୁଡି ଅଭିନୀତ ‘ସୁମନ’ ଫିଲ୍ମ ସାବାନାଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହାପରେ ହିଁ ସେ ଅଭିନୟ ପ୍ରତି ଆକୃଷ୍ଠ ହୋଇ ଭାରତୀୟ ଫିଲ୍ମ ଓ ଟେଲିଭିଜନ୍ ସଂସ୍ଥାରେ ନାମ ଲେଖାଇଥିଲେ।

– ସମାନ୍ତର ସିନେମାରୁ ଅଭିନୟ ଆରମ୍ଭ କରିଥିବା ସାବାନା “ଅର୍ଥ”, “ଖଣ୍ଡର୍”, “ସତରଂଜ କେ ଖିଲାଡି”, “ମଣ୍ଡି”, “ଅମର୍ ଆକବର୍ ଆନ୍ଥୋନି”, “ହନିମୁନ୍ ଟ୍ରାଭେଲସ୍”, “ସଂସାର” ଭଳି ଅନେକ ଆର୍ଟ, କମର୍ସିଆଲ୍ ଓ କମେଡି ଫିଲ୍ମରେ ଅଭିନୟ କରିଛନ୍ତି।

–   ‘ଅଙ୍କୁର’, ‘ଅର୍ଥ’, ‘ପାର’, ‘ଗଡ୍ ‘ମଦର୍’ ଏବଂ ‘ଖଣ୍ଡର୍’ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ସାବାନା ୫ ଗୋଟି ରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ‘ସ୍ୱାମୀ’, ‘ଅର୍ଥ’, ‘ଭାଓ୍ୱନା’ ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର୍ ପୁରସ୍କାର ବି ମିଳିଛି।

– ଶ୍ୟାମ ବ୍ୟାନେଗାଲ୍, ସତ୍ୟଜିତ୍ ରାଏ, ମୃଣାଲ୍ ସେନ୍, ଅପର୍ଣ୍ଣା ସେନ୍ ଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି।

– ସାବାନା ଆଜମୀଙ୍କ ପ୍ରେମକାହାଣୀ ବି ବହୁତ ରୋମାଞ୍ଚକ ଥିଲା। ଠିକ୍ ଫିଲ୍ମର କାହାଣୀ ଭଳି। ପିତା କେଫି ଆଜ୍ ମୀଙ୍କ ସହ ଦେଖା କରିବାକୁ ଆସୁଥିବା ସମୟରେ ଲେଖକ ଜାଭେଦ୍ ଅଖତାରଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା। ଏହି ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

– ଦୁହେଁ ବିବାହ କରିବା ପାଇଁ ମନସ୍ଥ ହୋଇଥିଲେ। କିନ୍ତୁ ଜଭେଦ୍ ପ୍ରଥମରୁ ବିବାହିତ ଥିଲେ। ତେବେ ସାବାନାଙ୍କ ପରିବାର ବି ଏହାର ବିରୋଧ କରିଥିଲେ।

– ୧୯୭୨ ରେ ଜାଭେଦ ପ୍ରଥମ ବିବାହ କରିଥିଲେ।  ଫରହାନ୍ ଅଖତର୍ ଓ ଜୋୟା ଅଖତର୍ ଜଭେଦ୍ ଅଖତରଙ୍କ ଦୁଇ ସନ୍ତାନ।

– ୧୯୮୪ରେ ଜଭେଦ୍ ଓ ହନି ଇରାନୀଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ସାବାନା-ଜାଭେଦଙ୍କର ବିବାହ ହୋଇଥିଲା।

– ସାବାନାଙ୍କ ନିଜର କୌଣସି ସନ୍ତାନ ନାହାନ୍ତି। ଫରହାନ୍ ଓ ଜୋୟାଙ୍କ ସହ ସାବାନାଙ୍କ ବହୁତ ଭଲ ସମ୍ପର୍କ ରହିଛି।

– ଅଭିନୟ ବ୍ୟତୀତ ସମାଜସେବା ବି କରନ୍ତି ସେ। ବିଭିନ୍ନ ସଂସ୍ଥାମାନଙ୍କ ସହିତ ସାମାଜିକ କାର୍ଯ୍ୟରେ ସାମିଲ ହୁଅନ୍ତି। ଏହଛଡ଼ା ପଲିଟିକାଲ୍ ଇସ୍ୟୁଗୁଡ଼ିକରେ ବି ସାବାନା ନିଜର ମତପ୍ରକାଶ କରିବାକୁ ପଛାନ୍ତି ନାହିଁ।

Comment