ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୋଦି-ଅମିତ ଶାହଙ୍କ ନିକଟତର ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ନୂଆଦିଲ୍ଲୀରେ ନୂଆ ପଲିଟିକାଲ ଚାଲ୍‌ ଖେଳୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ଦିନ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବା ବେଳେ ଗୁରୁବାର ଦିନ ଦିଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ଦୁଇ ଦିନରେ ଦୁଇ ହେଭିୱେଟ୍‌ ନେତାଙ୍କୁ ମମତା ଭେଟିଥିବାରୁ ଏହା ତାଙ୍କର ନୂଆ ରାଜନୀତିକ ଚାଲ୍‌ ହୋଇଥାଇପାରେ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

କୁର୍ତ୍ତା, ମିଠା ଦେଇ ମୋଦିଙ୍କୁ ମନାଇଲେ କି ଦିଦି?

ପ୍ରତି କଥାରେ ମୋଦି ସରକାରଙ୍କୁ ବିରୋଧ କରୁଥିଲେ ଦିଦି। ସଂସଦରେ ଜୋରଦାର ବିରୋଧ କରିବା ସହ ପଶ୍ଚିମବଙ୍ଗରେ ବି ଦିଦି ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। କିନ୍ତୁ ଏବେ ସମୟ ବଦଳିଛି। ଯେଉଁ ଦିଦି ମୋଦିଙ୍କ ନାଁ ଶୁଣିଲେ ଗର୍ଜନ କରୁଥିଲେ ସେହି ଦିଦି ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଦିଦି-ମୋଦି ଭେଟ୍‌ଘାଟ୍‌ ହୋଇଛି।

ଏହି ଭେଟ୍‌ଘାଟ୍‌ରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ବୋଲି ଦିଦି କହିଥିଲେ। ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଥିଲେ ଦିଦି। କେବଳ ସେତିକି ନୁହେଁ, ଦିଦି ମୋଦିଙ୍କୁ କୁର୍ତ୍ତା ଏବଂ ମିଠା ଉପହାର ଦେଇଛନ୍ତି।

ଏହି କୁର୍ତ୍ତା ଏବଂ ମିଠାରେ ହିଁ ନୂଆ ଚାଲ୍‌ ଥିବା କୁହାଯାଉଛି। କୁର୍ତ୍ତା ଓ ମିଠା ଦେଇ ଦିଦି ମୋଦିଙ୍କ ନିକଟତର ହେଉଥିବା କୁହାଯାଉଛି।

ଅମିତ ଶାହଙ୍କୁ ଭେଟିଲେ

ମୋଦି-ଦିଦି ଭେଟ୍‌ଘାଟ୍‌କୁ ନେଇ ଚର୍ଚ୍ଚା ନଥମୁଣୁ ଅମିତ ଶାହଙ୍କୁ ଭେଟିଛନ୍ତି ଦିଦି। କାଲି ମୋଦି ଏବଂ ଆଜି ଅମିତ ଶାହଙ୍କୁ ଭେଟିବା ଘଟଣା ଏବେ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅମିତ ଶାହଙ୍କୁ ଭେଟିବା ଅବସରରେ ଦିଦି ଏନଆର୍‌ସି ପ୍ରସଙ୍ଗ ଉଠାଇଥିଲେ।

ଦିଦି କହିଛନ୍ତି, ‘’୧୯ ଲକ୍ଷ ଏନ୍‌ଆର୍‌ସିଙ୍କ ଭିତରେ କିଛି ବଙ୍ଗାଳୀ, ଗୋର୍ଖା ଏବଂ ହିନ୍ଦୀ ଭାଷାଭାଷୀ ଲୋକ ଅଛନ୍ତି। ସଠିକ୍‌ ନାଗରିକମାନଙ୍କୁ ଭାରତରେ ସୁବିଧା ସୁଯୋଗ ଦେବା ଦରକାର।’’

ଦିଦି ଆହୁରି କହିଛନ୍ତି ଯେ ଗୃହ ମନ୍ତ୍ରୀ ମୋ’ କଥାକୁ ଗୃହମନ୍ତ୍ରୀ ଧ୍ୟାନର ସହ ଶୁଣିଛନ୍ତି। ଆଶା କରୁଛି ସେ ସକରାତ୍ମକ ପଦକ୍ଷେପ ନେବେ।

କାହିଁକି ଏହି ଭେଟ୍‌ଘାଟ୍‌?

ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ପରେ ମୋଦି ସରକାରଙ୍କ ବିରୋଧରେ ସ୍ୱର ଉତ୍ତଳନ କରୁଥିଲେ ମମତା। ଅଣ ବିଜେପି ମେଣ୍ଟ ଗଠନ କରିବାକୁ ମମତା ଜୋର୍ ଦେଇଥିଲେ। କୋଲକାତାରେ ମୋଦିଙ୍କ ବିରୋଧୀମାନଙ୍କୁ ଏକାଠି କରି ରଣହୁଙ୍କାର ଦେଇଥିଲେ ଦିଦି।

ଖାଲି ସେତିକି ନୁହେଁ, ନିର୍ବାଚନ ବେଳେ ଅମିତ ଶାହଙ୍କୁ ପଶ୍ଚିମବଙ୍ଗରେ ପୂରାଇ ଦେଇ ନଥିଲେ ଟିଏମ୍‌ସି କର୍ମୀ। ଶାହଙ୍କ ରାଲି ଉପରକୁ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ଚାଲିଥିବା ନିଜେ ଶାହ କହିଥିଲେ।

କିନ୍ତୁ ଏବେ ଦିଦି ମୋଦି-ଶାହଙ୍କ ନିକଟତର ହେବାକୁ ନେଇ ରାଜନୀତି କରିଡରରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି। ଏବେ ଶାରଦା ଚିଟ୍‌ଫଣ୍ଡ ଠକେଇର ପୁଣି ସିବିଆଇ ତଦନ୍ତ ଆରମ୍ଭ ହୋଇଛି। କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିବାକୁ ଯୋଜନା କରୁଛି। ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଏଣୁ ଏଭଳି ଏକ ଘନିସନ୍ଧି ମୁହୂର୍ତ୍ତରେ ମମତା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି।

ମୋଦିଙ୍କ ପ୍ରଥମ ପାଳି ସରକାରରେ ମମତା ସରକାରଙ୍କ ମହୁ ନେତା, ମନ୍ତ୍ରୀ ଚିଟଫଣ୍ଡ ଠକେଇରେ ଗିରଫ ହୋଇଥିଲେ। ସେତେବେଳେ ଗୃହମନ୍ତ୍ରୀ ଥିଲେ ରାଜନାଥ ସିଂହ। ଦ୍ୱିତୀୟ ପାଳି ଆରମ୍ଭରୁ ପଶ୍ଚିମବଙ୍ଗରେ ପୁଣି ଚିଟଫଣ୍ଡ ଠକେଇର ତନାଘନା ଆରମ୍ଭ ହେବାକୁ ଯାଉଛି।

Comment