ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାଦେଶରେ ଇ-ସିଗାରେଟ୍‌ ବ୍ୟାନ କରିବାକୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଇ-ସିଗାରେଟ୍‌ ତିଆରି କରିବା ଏବଂ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ,‘‘ଇ-ସିଗାରେଟ୍‌ର ଉତ୍ପାଦନ, ରପ୍ତାନୀ, ଆମଦାନୀ, ବିକ୍ରି ଏବଂ ବିଜ୍ଞାପନ ଉପରେ ସରକାର ରୋକ୍‌ ଲଗାଇଛନ୍ତି। ପରେ ଯଦି କେହି ଇ-ସିଗାରେଟ୍‌ ବ୍ୟବସାୟ କରନ୍ତି ତାହାଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନିଷ୍ପତ୍ତି ପଛର ପ୍ରମୁଖ କାରଣ ହେଉଛି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଇ-ସିଗାରେଟ୍‌ ପକାଉଥିବା ଖରାପ ପ୍ରଭାବ। ବିଶେଷ କରି କମ୍ ବୟସ ପିଲା ଓ ଯୁବପିଢ଼ି ଇ-ସିଗାରେଟ୍‌ ପ୍ରତି ଅଧିକ ଆକର୍ଷିତ ହେଉଥିଲେ। ଇ-ସିଗାରେଟ୍‌ ପିଇବାକୁ ଷ୍ଟାଇଲ୍‌ ଭାବେ ଦେଖୁଥିଲେ। ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଇ-ସିଗାରେଟ୍‌ କ?

ଇ-ସିଗାରେଟ୍‌ ବା ଇଲେକ୍ଟ୍ରୋନିକ୍‌ ସିଗାରେଟ୍‌କୁ ବିଜ୍ଞାନ ଭାଷାରେ କୁହାଯାଉଛି ଇଲେକ୍ଟ୍ରୋନିକ୍ ନିକୋଟିନ୍ ଡେଲିଭରି ସିଷ୍ଟମ୍। ଏହା ଏକ ବ୍ୟାଟେରି ଚାଳିତ ଉପକରଣ। ବିଡ଼ି, ସିଗାରେଟ୍‌ କିମ୍ବା ସିଗାରର ବିକଳ୍ପ ଭାବେ ଇ-ସିଗାରେଟ୍‌କୁ ବ୍ୟବହାର କରାଯାଏ। ଏହା ସିଗାରେଟ୍‌ର ସ୍ୱାଦ ପ୍ରଦାନ କରୁଥିଲା। ଇ-ସିଗାରେଟ୍‌ରେ ଯେଉଁ ତରଳ ପଦାର୍ଥ ବ୍ୟବହାର କରାଯାଏ ତାହା ବିଭିନ୍ନ ସ୍ୱାଦର ମିଳୁଥାଏ। ନିକୋଟିନ୍ ଓ ବିନା ନିକୋଟିନ୍‌ର ତରଳ ପଦାର୍ଥ ମଧ୍ୟ ବଜାରରେ ମିଳୁଛି ଯାହାକୁ ଇ-ସିଗାରେଟ୍‌ରେ ବ୍ୟବହାର କରାଯାଏ।

ଇ-ସିଗାରେଟର ଉତ୍ପତି

୨୦୦୩ରେ ଚୀନ୍‌ର ହୋନ୍ ଲିକ୍ ନାମକ ଜଣେ ବ୍ୟକ୍ତି ଇ-ସିଗାରେଟ୍ ବିକଶିତ କରିଥିଲେ। ୨୦୦୪ରେ ତାହା ବଜାରରେ ଉପଲବ୍ଧ ହୋଇଥିଲା। ୨୦୦୫-୦୬ରେ ତାଙ୍କ କଂପାନି ଗୋଲ୍‌ଡେନ୍ ଡ୍ରାଗନ୍ ଇ-ସିଗାରେଟ୍‌କୁ ବିଦେଶରେ ବିକ୍ରି କରିବା ଆରମ୍ଭ କରିଥିଲା।

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଇ-ସିଗାରେଟ ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଯୁବପିଢ଼ିଙ୍କ ଠାରେ ହୃତପିଣ୍ଡ ଜନିତ ରୋଗ ବୃଦ୍ଧିର ଏହା ହେଉଛି ପ୍ରମୁଖ କାରଣ। ଆଇସିଏମ୍‌ଆର୍‌ ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ଏହା ଲୋକମାନଙ୍କ ଡିଏନ୍‌ଏକୁ କ୍ଷତିଗ୍ରସ୍ତ କରିଥାଏ। ଇ-ସିଗାରେଟ୍‌ ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଏବଂ ହୃଦରୋଗ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଇ-ସିଗାରେଟ ସେବନ କଲେ ବ୍ଲଡ୍‌ କ୍ଲଟ୍‌ ବା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦିଏ।

Comment