ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କି ବାତ୍‌ରେ ଯୁବପିଢ଼ିଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଇ-ସିଗାରେଟ୍‌ ଏବଂ ତମାଖୁର ଭୟାବହତା ଉପରେ ମୋଦୀ କହିଛନ୍ତି। ତମାଖୁ ଏବଂ ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦୀ ପରାମର୍ଶ ଦେଇଛନ୍ତି।

‘‘ଅଧିକାଂଶ ଲୋକ ଏବଂ ବିଶେଷକରି ଯୁବପିଢ଼ି ଏବେ ତମାଖୁ ସେବନ କରୁଛନ୍ତି। ଏହା ହେଉଛି ଏକ ପ୍ରକାର ନିଶା। ଏହାକୁ ସେବନ କରିବା ପୂର୍ବରୁ ଏହାର ଭୟାବହତାକୁ ପ୍ରଥମେ ବୁଝିବା ଦରକାର। ତମାଖୁ ବହୁ ରୋଗର ଜନ୍ମଦାତା। ତମାଖୁ ସେବନ କଲେ ମାନସିକ ବିକାଶରେ ଏହାର ପ୍ରଭାବ ପଡ଼ିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ। ତମାଖୁ ସେବନଠାରୁ ସମସ୍ତେ ଦୂରେଇ ରହିବା ଦରକାର’’, କହିଛନ୍ତି ମୋଦୀ।

ଇ-ସିଗାରେଟ୍‌ ଉପରେ ନିକଟରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏଥିରେ ଜୀବନ ନେଲା ଭଳି ରାସାୟନିକ ସାମଗ୍ରୀ ବ୍ୟବହାର ହୋଇଥାଏ। ହେଲେ ଲୋକେ ଏ ବିଷୟରେ ଆଦୗ ସଚେତନ ନୁହନ୍ତି। ଇ-ସିଗାରେଟ୍‌ ମାୟାରେ ବହୁତ ଲୋକ ପଡ଼ିଥାନ୍ତି। ଏଣୁ କେନ୍ଦ୍ର ସରକାର ଏହା ଉପରେ କଟକଣା ଲଗାଇଥିବା ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି।

‘‘ଇ-ସିଗାରେଟ୍‌ ଉପରେ ଭ୍ରାନ୍ତ ଧାରଣା ଲୋକଙ୍କ ମନରେ ରହିଛି। ସାଧାରଣ ସିଗାରେଟ୍‌ ଅପେକ୍ଷା ଇ-ସିଗାରେଟ୍‌ ଭଲ ବୋଲି ଲୋକେ ଧରି ନେଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଇ-ସିଗାରେଟ୍‌ରେ ନିକୋଟିନ୍‌ଯୁକ୍ତ ତରଳ ପଦାର୍ଥକୁ ଗରମ କରିବା ପାଇଁ କେମିକାଲ ଧୂଆଁ ଦିଆଯାଇଥାଏ। ଏହା ସେବନ କଲେ ସ୍ୱାସ୍ଥ୍ୟ ପାଇଁ ହାନିକାରକ’’, ମୋଦୀ ଏହା କହିଛନ୍ତି।

Comment