ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ନିର୍ବାଚନରେ ବିଜେପି ଥିଲା ରନର୍ସଅପ୍‌। ଆଗାମୀ ଉପ-ନିର୍ବାଚନରେ ବିଜେପୁର ଦଖଲ ପାଇଁ ବିଜେପି ଦେବ ପରୀକ୍ଷା।

ବିଜେପୁରରେ ବିଜେପି ଦେବ ବଡ଼ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମୁଖ୍ୟ ବିରୋଧୀ ଦଳ। ଶାସକ ଦଳ ହାତରୁ ବିଜେପୁର ଛଡ଼ାଇ ଆଣିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ। ତେବେ କାହାକୁ ପ୍ରାର୍ଥୀ କଲେ ଦଳ ବିଜେପୁର ଦଖଲ କରିବ ତାକୁ ନେଇ ମାନସମନ୍ଥନ ଚାଲିଛି।

୨୦୧୮ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ, ୨୦୧୯ରେ ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆ ନା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ କଲେ ବିଜେଡିକୁ ଟକ୍କର ଦେବ ସେନେଇ ଦଳୀୟ ନେତା ଅଙ୍କ କଷୁଛନ୍ତି।

୨୦୧୮ ଉପ-ନିର୍ବାଚନରେ ବିଜେପି ବିଜେଡିକୁ କଡ଼ା ଟକ୍କର ଦେଇ ଦୁଇ ନମ୍ବର ସ୍ଥାନରେ ରହିଥିଲା। ସେହିପରି ଗତ ଚାରି ମାସ ତଳେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବି ବିଜେପି ରନର୍ସଅପ୍‌ ରହିଥିଲା। ଏଣୁ ଏଥର ବିଜେପୁରରେ ଗେରୁଆ ପତାକା ଉଡ଼ାଇବାକୁ ଦଳ ଲକ୍ଷ୍ୟ ରଖିଛି। ବିଜେପୁର ଆସନ ଜିତି ବିଜେପି ବିଧାନସଭାରେ ବିଧାୟକ ସଂଖ୍ୟା ୨୪ରେ ପହଞ୍ଚାଇବାକୁ ଚାହୁଁଛି।

ନିକଟରେ ପାଟକୁରାରେ ହୋଇଥିଲା ନିର୍ବାଚନ। ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜୟଙ୍କୁ ଜିତାଇବା ପାଇଁ ବିଜେପିର ନେତାମାନେ ପାଟକୁରାରେ ଉଦ୍ୟମ କରିଥିଲେ। ହେଲେ କିଛି ଲାଭ ମିଳିଲାନି। ବିଜୟଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ବିଜୟଙ୍କୁ ବିଧାନସଭାକୁ ଆଣି ବିଜେପି ଶକ୍ତି ଦେଖାଇବାକୁ ଚାହୁଁଥିଲେ ମଧ୍ୟ ଗଣିତ କାମ ଦେଲାନି।

ଏବେ ବିଜେପୁରରେ ବିଜେପି ପରୀକ୍ଷା ଦେବାକୁ ଯାଉଛି। ପ୍ରାର୍ଥୀ ଚୟନ କରି ନଥିଲେ ମଧ୍ୟ ବଡ଼ ବିଜୟ ଆଶା କରୁଛି ବିଜେପି। ବିଜେପୁର ଦଖଲ ପାଇଁ ବିଜେଡିକୁ ଜଣେ ଟାଣୁଆ ପ୍ରାର୍ଥୀଙ୍କର ଆବଶ୍ୟକତା ରହିଛି। ଏବେ ସେହି ମିଶନରେ ରହିଛି ବିଜେପି।

୨୦୧୮ ଉପ-ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ସେ ବିଜେଡି ଛାଡ଼ି ଆସିଥିବାରୁ ବିଜେଡିର ଭୋଟବ୍ୟାଙ୍କ ଅଶୋକ ଭାଙ୍ଗିବେ ବୋଲି ଆଶା ରହିଥିଲା। ହେଲେ ଅଶୋକଙ୍କୁ ନିରାଶ କରିଥିଲେ ବିଜେପୁରବାସୀ। ଅଶୋକ ୬୯ ହଜାର ୯୩୮ ଭୋଟ ପାଇଥିଲେ।

୨୦୧୯ ନିର୍ବାଚନରେ ବି ଅଶୋକ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ବିଜେପୁରରେ ନବୀନ ନିଜେ ପ୍ରାର୍ଥୀ ହେବାରୁ ଅଶୋକଙ୍କୁ ଟିକେଟ ଦେଇ ନଥିଲା ଦଳ। ନବୀନଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ସନତ ଗଡତିଆ। ଗଡତିଆ ବି ପରାଜିତ ହେଲେ। ତାଙ୍କୁ ୫୩ ହଜାର ୪୮୨ ଭୋଟ ମିଳିଥିଲା।

ଆସନ୍ତା ଉପ ନିର୍ବାଚନ ପାଇଁ ଉଭୟ ଅଶୋକ ଏବଂ ଗଡତିଆ ଟିକେଟ ନେବାକୁ ରେସ୍‌ରେ ଅଛନ୍ତି। ହେଲେ ବିଜେପୁରରେ ବିଜୟ ହାସଲ ପାଇଁ ଏହି ଦୁଇ ପ୍ରାର୍ଥୀ ସହାୟକ ହେବେ ନାହିଁ ବୋଲି ବିଜେପି ମ୍ୟାନେଜରମାନେ ଅଙ୍କ କଷୁଛନ୍ତି। ଏଣୁ ପ୍ରଦୀପ ପୁରୋହିତଙ୍କ ନାଁ ଚର୍ଚ୍ଚା ହେଉଛି।

ପ୍ରଦୀପ ପୁରୋହିତ ହେଉଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ। ୨୦୧୪ ନିର୍ବାଚନ ଜିତିଥିବା ବେଳେ ସେ ୨୦୧୯ରେ ପରାଜିତ ହୋଇଛନ୍ତି। ୨୦୧୮ ବିଜେପୁର ଉପ-ନିର୍ବାଚନରେ ପ୍ରଦୀପଙ୍କ ବଡ଼ ପ୍ରଭାବ ରହିଥିଲା। ଏହାସହ ସେ ପଦ୍ମପୁରର ପଡ଼ୋଶୀ ନିର୍ବାଚନମଣ୍ଡଳୀ ହେଉଛି ବିଜେପୁର। ଏଣୁ ପ୍ରଦୀପଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ସୁବାସ ଦେଇପାରନ୍ତି ବିଜେପିକୁ ଚାଲେଞ୍ଜ

ବରଗଡ଼ର ଜଣାଶୁଣା ନେତା ହେଉଛନ୍ତି ସୁବାସ ଚୌହାନ। ୨୦୧୪ରେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୯ରେ ଟିକେଟ ନେବାକୁ ଆଶାୟୀ ଥିଲେ। କିନ୍ତୁ ସୁରେଶ ପୂଜାରୀ ପ୍ରାର୍ଥୀ ହେବାରୁ ସୁବାସ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏଣୁ ବିଜେପି ପାଇଁ ସୁବାସ କଣ୍ଟା ସାଜି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment