ଭାସ୍କର ପରିଚ୍ଛା

ମୋଦିଙ୍କ ପ୍ରଥମ ଥର ସରକାରରେ ସ୍କିଲ ବା କୌଶଳ ବିକାଶ ଉପରେ  ଖୁବ୍ ଯୋର ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏ ଦିଗରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ – ‘ମେକ ଇନ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ।’ ଏବେ ଖବର ଆସୁଛି ଯେ ଏହି ଦୁଇଟି ଯାକ ଯୋଜନା ଆଶାନୁରୂପ ହୋଇନାହିଁ କି ଯେଉଁ  ଫଳ ଦେବା କଥା ତାହା  ଦେଇନାହିଁ। ଭାରତରେ ଶିଳ୍ପ ଉତ୍ପାଦନର କ୍ଷମତା ବୃଦ୍ଧି କରିବା ପାଇଁ ଏବଂ ଲୋକଙ୍କୁ ରୋଜଗାର ଦେବା ସକାଶେ ଏହି ଦୁଇଟି ସ୍କିମର ଅଭିଲକ୍ଷ୍ୟ ଅଧୁରା ରହିଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।

ଚିନ୍ତାର ବିଷୟ

ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ(ଏନଏସଡ଼ିସି)ର ମୁଖ୍ୟ ଓ ଲାରସନ ଟୁବ୍ରୋର ଅଧ୍ୟକ୍ଷ ଏଏମ ନାୟକଙ୍କ କହିବା ଅନୁଯାୟୀ ଦେଶର ମାନୁଫାକଚରିଂ ସେକ୍ଟରରେ କୁଶଳୀ କର୍ମଚାରୀଙ୍କ ଆବଶ୍ୟକତା ଅନୁସାରେ ଚାକିରୀ ସୃଷ୍ଟି ହୋଇ ପାରୁନାହିଁ। ଏନଏସଡ଼ିସିର ବାର୍ଷିକ ରିପୋର୍ଟ ଅନୁସାରେ୨୦୧୮ରେ ପ୍ରାୟ ୪୦ ପ୍ରକାର କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ ଏଗାର ହଜାର କେନ୍ଦ୍ରରେ ୪୦ ଲକ୍ଷ ଛାତ୍ରଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ଟ୍ରେନିଙ୍କୁ ଚାକିରି ମିଳିଥିଲା। ଏଠି ଉଲ୍ଲେଖ କରାଯାଇପାରେ ଯେ, ୨୦୦୮ ମସିହାରେ ସରକାରୀ-ଘରୋଇ ସହଯୋଗରେ ଏହି କର୍ପୋରେସନ ଗଠିତ ହୋଇଥିଲା। ସ୍ୱଳ୍ପ କାଳୀନ ତାଲିମ ଦେବା ପାଇଁ ଏହି କର୍ପୋରେସନ କାମ କରୁଛି।

ଡବଲ ଲାଭ

ଅନ୍ୟ କେତେକ ରିପୋର୍ଟରେ ମଧ୍ୟ ଯୁବକମାନଙ୍କୁ ଚାକିରି ମିଳୁନଥିବାରୁ ଚିନ୍ତା ପ୍ରକଟ କରାଯାଇଛି। ନିକଟରେ କରାଯାଇଥିବା ପିରିଅଡିକ ଲେବର ଫୋର୍ସ ସର୍ଭେ(୨୦୧୭-୧୮)ରେ କୁହାଯାଇଛି ଯେ ଦେଶରେ ୩୩ ପ୍ରତିଶତ କୁଶଳୀ ଯୁବକ କାମ ଧନ୍ଦା ନପାଇ ଘରେ ବସିଛନ୍ତି। ୨୦୧୯-୨୯ରେ ଏହା ୪୦ ପ୍ରତିଶତକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ଆଗରୁ କୁହାଯାଉଥିଲା ଯେ ଲୋକଙ୍କୁ ଚାକିରି ନମିଳିବାର କାରଣ ସେମାନଙ୍କ ପାଖରେ କୌଶଳ ବା ସ୍କିଲ ନାହିଁ। ଏବେ ସ୍କିଲ ଥିବା ସତ୍ତ୍ୱେ ପ୍ରଶିକ୍ଷିତ ଲୋକଙ୍କୁ ଖାଲି ହାତରେ ବସିବା ପାଇଁ ପଡ଼ୁଛି। ଅବଶ୍ୟ ଏକଥା ସତ ଯେ ଏହି ଚାକିରି ନପାଇବା ସହ ଅର୍ଥନୀତିରେ ମାନ୍ଦାବସ୍ଥାର ସମ୍ପର୍କ ରହିଛି। କିନ୍ତୁ ନାୟକଙ୍କ କହିବା କଥା ଯେ ବିଭିନ୍ନ କ୍ଷେତ୍ରରେ  ନିୟୋଜିତ କମ୍ପାନିମାନେ ଦେଶ ଭିତରେ ଜିନିଷ ପତ୍ର ତିଆରି ନକରି ବାହାରୁ ସେଗୁଡ଼ିକୁ ମଗାଉଛନ୍ତି। ଅନ୍ୟ ଅର୍ଥରେ ଆମେ ସାମଗ୍ରୀ ରପ୍ତାନୀ କରିବା ପରିବର୍ତ୍ତେ ଚାକିରୀ ରପ୍ତାନୀ କରୁଛୁ।

ଏଥିରେ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠୁଛି। ଯଦି କମ୍ପାନିମାନଙ୍କୁ ସାମଗ୍ରୀ ଉତ୍ପାଦନ କରିବା ପାଇଁ ବିଭିନ୍ନ ପ୍ରକାର ସହାୟତା ଓ ସବ୍‌ସିଡି ଦିଆଯାଉଛି, ସେମାନେ ବିଦେଶ କମ୍ପାନିଙ୍କୁ କାହିଁକି ପୋଷୁଛନ୍ତି? ଏହାର ଗୋଟିଏ କାରଣ ହୋଇପାରେ କମ୍ପାନତମାନେ ସବ୍‌ସିଡିକୁ ଆତ୍ମସାତ କରି ଶସ୍ତା ଦରରେ ବାହାର ଦେଶରୁ ସାମଗ୍ରୀ ଆମଦାନୀ କରୁଛନ୍ତି – ଯାହାକୁ କୁହାଯିବ ଡବଲ ଲାଭ। ତାଛଡ଼ା ଆମଦାନୀ କରିବାର ଆଉ ଏକ ବଡ଼ କାରଣ ହେଉଛି ଏଥିପାଇଁ ସରକାରଙ୍କ ପକ୍ଷରୁ ଛାଡ଼ ମିଳୁଛି।

ଚୀନ ବାଟ ଧର

ଏଏମ ନାୟକଙ୍କ ଆହୁରି କହିବା କଥା ଯେ ଭାରତ ହେଉଛି ଯୁବକଙ୍କ ଦେଶ। ପ୍ରତିବର୍ଷ ଚାକିରି ଓ ରୋଜଗାର କରିବା ପାଇଁ ପ୍ରାୟ  କୋଟିଏ ଯୁବକ ବହାରୁଛନ୍ତି। କିନ୍ତୁ ରୋଜଗାର ସମ୍ପର୍କରେ ଯେତେ ରିପୋର୍ଟ ପ୍ରକାଶ ପାଉଛି ସେ ସବୁଥିରେ ଗୋଟିଏ କଥା ପ୍ରାୟ କୁହାଯାଉଛି ଯେ ଏବେ ଚାକିରି ଖୁବ୍ କମ ସୃଷ୍ଟି ହେଉଛି। ଅବଶ୍ୟ ଯେତେ ଲୋକ ଚାକିରି ଖୋଜୁଛନ୍ତି ସମସ୍ତଙ୍କୁ ତାହା ଯୋଗାଇବା ସମ୍ଭବ ନୁହେଁ। କିନ୍ତୁ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଖରାପ ଏଥିରେ ସନ୍ଦେହ ରହିବା ଅନୁଚିତ। ନାଏକଙ୍କ ମତରେ ଆମକୁ ଚୀନ ଭଳି ଆମ ପାଇଁ ଏକ ଗତିଶୀଳ ଓ  ଦକ୍ଷ ମାନୁଫାକଚରିଂ ଅର୍ଥନୀତିର ଆବଶ୍ୟକତା ରହିଛି କାରଣ ସେଠାର ଜନସଂଖ୍ୟା ଓ ଆମର ଜନସଂଖ୍ୟା ପ୍ରାୟ ପାଖାପାଖି।

ଉପସଂହାର

ଯଦି ଭାରତର ଅର୍ଥନୀତିକୁ ଆଗେଇ ନେବା ପାଇଁ ଆମେ ଚାହୁଁ ଏହାର ବାର୍ଷିକ  ଅଭିବୃଦ୍ଧି ୧୨ରୁ ୧୩ ପ୍ରତିଶତ ହେବା ଦରକାର। ଯଦି ତାହା ନହୁଏ ଆଗାମୀ ଦିନରେ ଦେଶରେ ଚାକିରି ପରିସ୍ଥିତି ଅତି ସଙ୍ଗୀନ ହୋଇପଡ଼ିବ। ତେବେ ବର୍ତ୍ତମାନ ଆର୍ଥିକ ଅଭିବୃଦ୍ଧି ତ ଅଧାଅଧି ବି ନାହିଁ। କେନ୍ଦ୍ରରେ ମୋଦି ସରକାର ଯେଉଁ ବଡ଼ ମ୍ୟାଣ୍ଡେଟ ପାଇଛନ୍ତି ତାହା ଦେଶର ଅର୍ଥନୀତିକୁ ସଜାଡ଼ିବାରେ ଉପଯୋଗ କରିବା ଦରକାର।

Comment