ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଦୁଇପ୍ରକାରର ବ୍ୟକ୍ତି ଖୁବ୍ ପରିଚିତ। ଜଣେ ହେଲେ ରାଜନେତା ଓ ଜଣେ ହେଲେ କ୍ରିକେଟର। ଯେଉଁ ଲୋକ ରାଜନୀତି କରି ରାଜନେତା ହୋଇଥିବ କିମ୍ବା ଯେଉଁ ବ୍ୟକ୍ତି ରାଜ୍ୟ ତଥା ଦେଶ ପାଇଁ କ୍ରିକେଟ ଖେଳୁଥିବ ସେମାନେ ଲୋକଙ୍କ ଆଗରେ ବେଶ୍ ପରିଚିତ୍ ହୋଇଯାଆନ୍ତି।

ଭାରତରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ ନିଜର କ୍ରିକେଟ କ୍ୟାରିଅର ପରେ କିମ୍ବା କ୍ରିକେଟ କ୍ୟାରିଅର ମଝିରେ ରାଜନୀତିରେ ପ୍ରବେଶ କରିଛନ୍ତି। କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିବା ପରେ ରାଜନୀତିରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି କିଛି ଭାରତୀୟ କ୍ରିକେଟର। ଆସନ୍ତୁ ଜାଣିବା ଏମିତି କିଛି ଭାରତୀୟ କ୍ରିକେଟରଙ୍କୁ ଯେଉଁମାନେ ପରବର୍ତ୍ତୀ ଅବସ୍ଥାରେ ରାଜନୀତିରେ ପ୍ରବେଶ କରିଛନ୍ତି

ଗୋତମ ଗମ୍ଭୀର

ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହେଲେ ଗୌତମ। ଦିଲ୍ଲୀର ଏହି ବାମହାତୀ ବ୍ୟାଟ୍ସମ୍ୟାନ ଭାରତକୁ ବହୁ ମ୍ୟାଚରେ ଜିତେଇସାରିଛନ୍ତି। ଭାରତ ୨୦୦୭ ଓ ୨୦୧୧ରେ ବିଶ୍ୱକପ୍ ଜିତିବାରେ ଗମ୍ଭୀର ଅବଦାନ ଅନେକ। ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ଏହି କ୍ରିକେଟର ବିଜେପିରେ ଯୋଗଦାନ କରିଥିଲେ। ଏହାସହ ସେ ଗତ ଲୋକସଭା ନିର୍ବାଚନ ଲଢ଼ି ସାଂସଦ ମଧ୍ୟ ହୋଇଛନ୍ତି। ଗମ୍ଭୀର କୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ରାଜନୀତିରେ ପ୍ରବେଶ କରିଛନ୍ତି।

ମହମ୍ମଦ କୈଫ୍

ଭାରତୀୟ କ୍ରିକେଟ ଦଳର ଜଣେ ଚତ୍ମକାର ଫିଲ୍ଡର ଭାବରେ ବେଶ୍ ଜଣାଶୁଣା ମହମ୍ମଦ କୈଫ୍। ତାଙ୍କ ଫିଲଡିଂ ଦେଖି କ୍ରିକେଟର ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଭାରତର ଏହି କ୍ରିକେଟର ତାଙ୍କର ପରବର୍ତ୍ତୀ ଜୀବନରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସରେ ଯୋଗଦେବା ସହ ସେ ୨୦୧୪ରେ ସାଧାରଣ ନିର୍ବାଚନରେ ସାଂସଦ ଭାବରେ ଉତ୍ତରପ୍ରଦେଶର ଫୁଲପୁରରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ନିର୍ବାଚନରେ କୈଫଙ୍କୁ ହାରର ସାମନା୍ କରିବାକୁ ପଡ଼ିଥିଲା।

ନବଜୋତ୍ ସିଂହ ସିଦ୍ଧୁ

ଭାରତୀୟ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପ୍ରଥମେ ୨୦୦୪ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେହିପରି ୨୦୦୯ରେ ମଧ୍ୟ ସେ ନିର୍ବାଚନ ଲଢ଼ିବା ସହ ନିର୍ବାଚନରେ ଜିତାପଟ ମଧ୍ୟ ହାସଲ କରିଥିଲେ। ୨୦୧୬ ମସିହା ଏପ୍ରିଲ ୨୮ତାରିଖରେ ସିଦ୍ଧୁ ରାଜ୍ୟସଭା ସାଂସଦ ଭାବରେ ଶପଥ ନେଇଥିଲେ। ଏହାପରେ ସେ ସେହିବର୍ଷ ଜୁଲାଇ ୧୮ତାରିଖରେ ରାଜ୍ୟସଭାରୁ ଇସ୍ତଫା ଦେଇଦେଇଥିଲେ।। ୨୦୧୭ରେ ସିଦ୍ଧୁ କଂଗ୍ରେସରେ ସାମିଲ ହୋଇଥିଲେ ଓ ପଞ୍ଜାବ ବିଧାନସଭା ପାଇଁ ଅମୃତସର ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ।

ମହମ୍ମଦ ଆଝାରୁଦ୍ଧିନ୍

ଭାରତୀୟ ଦଳର ଏହ ପୂର୍ବତନ କ୍ୟାପଟେନଙ୍କୁ ୨୦୦୦ ମସିହାରେ ବିସିସିଆଇ ବ୍ୟାନ୍ କରିଦେଇଥିଲା। ଏହାପରେ ଦୀର୍ଘଦିନ ପରେ ସେ 2009ରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଉତ୍ତରପ୍ରଦେଶର ମୋରଦାବାଦ ଆସନରୁ ସାଂସଦ ରହିଥିଲେ। ଏହାପରେ ସେ ୨୦୧୯ ସାଧାରଣ ନିର୍ବାଚନରେ ସେ ଅଂଶଗ୍ରହଣ କରିବାର ଇଚ୍ଛା ମଧ୍ୟ କରିଥିଲେ। ବର୍ତ୍ତମାନ ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଅଛନ୍ତି।

ମନସୁର୍ ଅଲ୍ଲୀ ଖାନ୍ ପଟୌଦୀ

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ହେଉଛନ୍ତି ପଟୌଦୀ। ଭାରତର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ସେ ଜଣେ। ସେ ୧୯୯୧ ମସିହାରେ କଂଗ୍ରେସ ପାର୍ଟିରୁ ଭୋପାଳ ଆସନରେ ନିର୍ବାଚନ ଲଢ଼ିଥିଲେ। ତେବେ ନିର୍ବାଚନରେ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା। ପୂର୍ବରୁ ମଧ୍ୟ ସେ ୧୯୭୧ ମସିହାରେ ବୀରେନ୍ଦ୍ର ସିଂହଙ୍କ ବିଶାଳ ହରିୟାଣା ପାର୍ଟିରୁ ନିର୍ବାଚନ ଲଢ଼ି ହାରିଥିଲେ।

Comment