ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନର ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ଏଣିକି ବାୟୋମେଟ୍ରିକ ମେସିନରେ ଉପସ୍ଥାନ ପକାଇବେ ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ପକ୍ଷରୁ ଏହି ନିୟମ ଜାରି କରାଯାଇଛି।
ନୂଆ ନିୟମ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ କର୍ମଚାରୀମାନଙ୍କର ବାୟୋମେଟ୍ରିକ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଦିନ ସାଢ଼େ ୧୦ଟା ସୁଦ୍ଧା କର୍ମଚାରୀମାନଙ୍କୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି।
ସେହିପରି ଅଫିସରେ ପ୍ରବେଶ କରିବା ସମୟରେ ଓ ଅଫିସରୁ ଘରକୁ ଯିବା ସମୟରେ ବାୟୋମେଟ୍ରିକ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବାକୁ ପଡ଼ିବ। ଯଦି କୌଣସି କର୍ମଚାରୀ ଦିନ ୧୧ଟା ପରେ ଅଫିସରେ ପହଞ୍ଚନ୍ତି ତେବେ ସେହି ଦିନକୁ ତାଙ୍କର ଛୁଟିଦିନ ବୋଲି ଗ୍ରହଣ କରାଯିବ। ସେହିପରି ୧୦.୩୦ଟାରୁ ୧୧ଟା ଭିତରେ ଆସିଲେ ତାହାକୁ ଲେଟ୍ ଆଟେଣ୍ଡାଣ୍ଟ ବୋଲି ଗ୍ରହଣ କରାଯିବ। ଏହାସହ ଯଦି କର୍ମଚାରୀ ବାୟୋମେଟ୍ରିକରେ ଇନ୍ ଏବଂ ଆଉଟ୍ ଫିଙ୍ଗରପ୍ରିଣ୍ଟ ନ ଦିଅନ୍ତି କିମ୍ବା ଅଫିସରେ ୪ଘଣ୍ଟାରୁ କମ୍ ରହନ୍ତି ତେବେ ସେହି ଦିନକୁ ତାଙ୍କର ଛୁଟିଦିନ ବୋଲି ବିବେଚନା କରାଯିବ।
ଏମିତି ହେଲେ ସଂପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ଭୁଲ୍ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ।

















