ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚାଷୀ ସମସ୍ୟା, ବେରୋଜଗାରୀକୁ ବିଜେପୁରରେ ପ୍ରସଙ୍ଗ କରିବ କଂଗ୍ରେସ।

‘‘ବାରମ୍ବାର ନିର୍ବାଚନରେ ପରାଜିତ ହେବା ପରେ ବିଜୟ ହିଁ ହୁଏ। ବିଜେପୁରରେ ଆମେ ନିଶ୍ଚିତ ବିଜୟୀ ହେବୁ। ଆମେ ଉଦ୍ୟମ କରିବୁ। ଭୋଟର ବିଚାର କରିବେ’’, ବିଜେପୁରକୁ ନେଇ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଅକ୍ଟୋବର ୨୧ରେ ବିଜେପୁର ଉପ-ନିର୍ବାଚନ। ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସବୁ ଦଳରେ ଦେଖାଦେଇଛି ତତ୍ପରତା। ଗତ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଥିବା କଂଗ୍ରେସ ବି ପଛରେ ପଡ଼ିନି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି କଂଗ୍ରେସ ବିଜେପୁର ଦଖଲ ପାଇଁ ଅଣ୍ଟା ଭିଡ଼ିଛି।

ତେବେ କଂଗ୍ରେସ ବିଜେପୁର ପାଇଁ କେତେ ପ୍ରସ୍ତୁତ ସେନେଇ ପିସିସି ସଭାପତି ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ ବିଜେପୁର ପାଇଁ ଆମେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛୁ। ଏହାର ଅଧ୍ୟକ୍ଷ ରହିଛନ୍ତି ନରସିଂହ ମିଶ୍ର। ଗତ ଅଗଷ୍ଟ ମାସରେ ଏହି କମିଟିର ବୈଠକ ବସିଥିଲା। ଏବେ ଏହି କମିଟି ପ୍ରାର୍ଥୀ ଚୟନ କରୁଛି। ଉପଯୁକ୍ତ ବ୍ୟକ୍ତିଙ୍କୁ ଏଥର ପ୍ରାର୍ଥୀ କରାଯିବ।

‘‘ବର୍ତ୍ତମାନ ସାରା ଦେଶ ଏବଂ ରାଜ୍ୟରେ ପ୍ରଚାର ସମୂହ ରାଜନୀତି ଚାଲିଛି। କେବଳ ଭାଷଣବାଜିରେ ସବୁକିଛି ଚାଲିଛି। ଲୋକମାନଙ୍କର ପ୍ରକୃତ ବିକାଶ ହେଉନି। ଚାଷୀଙ୍କ ଅବସ୍ଥା ଶୋଚନୀୟ। ଯୁବକମାନେ ବି ରୋଜଗାର ପାଉ ନାହାନ୍ତି। ଏସବୁ ପ୍ରସଙ୍ଗକୁ ନେଇ ଆମେ ବିଜେପୁର ଭୋଟରଙ୍କ ପାଖକୁ ଯିବୁ’’, କହିଛନ୍ତି ନିରଞ୍ଜନ।

ନିରଞ୍ଜନ ଆହୁରି କହିଛନ୍ତି, ‘‘ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡିରୁ ଟିକେଟ ଦିଆଗଲା। ସେ ବର୍ଷେ ବିଧାୟକ ରହିଲେ। ତା’ପରେ କ’ଣ ହେଲା କେଜାଣି ନବୀନ ବାବୁ ଯାଇ ସେଠି ପ୍ରାର୍ଥୀ ହେଲେ। ବିଜେପୁର ବିକାଶ କଥା ନିଜେ ବୁଝିବେ କହି ସେଠାରୁ ସେ ଇସ୍ତଫା ଦେଇଦେଲେ। ଆମେ ନିର୍ବାଚନ ବେଳେ ଲୋକଙ୍କୁ ସେହି କଥା କହିବୁ। ଭୋଟର ବିଚାର କରିବେ।’’

କଂଗ୍ରେସ ପାଞ୍ଚ ଜଣ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି। ଅଭିଷେକ ସେଠଙ୍କ ସମେତ ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡାଙ୍କ ନାଁ ଏଆଇସିସିକୁ ପଠାଯାଇଛି। ଏଆଇସିସି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପୁରରେ ପ୍ରଚାର ଅଭିଯାନ ଜୋର୍‌ କରିବ କଂଗ୍ରେସ।

Comment