ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିଲେ ମଧ୍ୟ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଗଣିତ ଛିଡୁନି। ସବୁ ଦଳରେ ଦୁଇରୁ ଅଧିକ ଆଶାୟୀ ଥିବାରୁ ଦଳୀୟ ମ୍ୟାନେଜରମାନେ ଚିନ୍ତାରେ ପଡ଼ିଛନ୍ତି। କାଳେ କାହାର ଟିକେଟ କଟିଲେ ନିର୍ବାଚନ ବେଳେ ସେମାନେ ବିଦ୍ରେୀହୀ ସାଜି ପ୍ରାର୍ଥୀଙ୍କ ପାଇଁ ଅଢୁଆ ସୃଷ୍ଟି କରିବେ ସେହି ଭୟ ଏବେ ଘାରିଛି ତିନି ଦଳର ମ୍ୟାନେଜରଙ୍କୁ।

ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯିବା ପରେ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ପାଇଁ ରାସ୍ତା ପରିଷ୍କାର ବୋଲି କୁହାଯାଉଥିଲା। ହେଲେ ପୂର୍ବତନ ସାଂସଦ ପ୍ରଭାସ ସିଂ ଏଥିରେ କେଁ ପୂରାଇଛନ୍ତି। ପ୍ରଭାସ ଟିକେଟ ଆଶାୟୀ ଥିବା କହିବା ପରେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।

ରୀତା ୨୦୧୮ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ନିର୍ବାଚନରେ ରୀତାଙ୍କୁ ଟିକେଟ ମିଳି ନଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ହିଞ୍ଜିଳି ସମେତ ବିଜେପୁର ଆସନରୁ ଲଢ଼ିଥିଲେ। ନବୀନ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ରୀତାଙ୍କ ମନରେ ପୁଣି ଆଶା ସଞ୍ଚରିତ ହୋଇଥିଲା। ହେଲେ ବିଜେପି ଛାଡ଼ି ବିଜେଡି ଆସିଥିବା ସୁବାସ ରୀତାଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜିଥିଲେ। ସୁବାସଙ୍କୁ ଥଇଥାନ କରିବା ପରେ ବି ରାସ୍ତା କ୍ଲିୟର ହୋଇନି। ପ୍ରଭାସ ସିଂହ ମୁହଁ ଖୋଲି ଅଡୁଆ ବଢ଼ାଇଛନ୍ତି।

ସେହିପରି ବିଜେପି ମଧ୍ୟ ଚିନ୍ତାରେ ପଡ଼ିଛି। ୨୦୧୮ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ନା ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆଙ୍କୁ ଟିକେଟ ଦେବ ତାହା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଅଶୋକ ୨୦୧୮ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇ ଟିକେଟ ନେଇଥିଲେ।

ହେଲେ ରୀତାଙ୍କୁ ଟକ୍କର ଦେବାରେ ସମର୍ଥ ହୋଇ ନଥିଲେ ଅଶୋକ। ଏପେଟ ୨୦୧୯ରେ ଅଶୋକଙ୍କୁ ରିପିଟ୍‌ କଲାନି ଦଳ। ବିଜେଡିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ସନତଙ୍କୁ ପ୍ରାର୍ଥୀ କଲା ବିଜେପି। ସେ ବି ଫେଲ୍ ମାରିଥିଲେ।

ଏବେ ଏହି ଦୁଇ ନେତା ପୁଣି ଥରେ ଟିକେଟ ନବାକୁ ଆଶାୟୀ ଅଛନ୍ତି। ହେଲେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପୁରରୁ ଲଢ଼ିବା ପାଇଁ ଆଶାୟୀ ରହିଥିବାରୁ ଦଳ ଚିନ୍ତାରେ ପଡ଼ିଛି। କାହାକୁ ରଖିବ ଏବଂ କାହାକୁ କାଟିବ ତାକୁ ନେଇ ଦଳରେ ଆଲୋଚନା ଚାଲିଛି। ଏହି ତିନି ଆଶାୟୀଙ୍କ ଭିତରୁ ବିଜେପି କାହାକୁ ବାଛୁଛି ତାକୁ ହିଁ ଅପେକ୍ଷା।

କଂଗ୍ରେସର ବି ସମାନ ଅବସ୍ଥା। ଆଗାମୀ ଉପ-ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ପ୍ରାୟ ୧୫ ଜଣ ଆଶାୟୀ କଂଗ୍ରେସ ଭବନରେ ଆବେଦନ କରିଥିଲେ। ସେମାନଙ୍କ ଭିତରୁ ୫ ଜଣଙ୍କ ନାଁ ସର୍ଟଲିଷ୍ଟେଡ୍‌ କରିଛି କଂଗ୍ରେସ। ତେବେ ଏହି ୫ ଜଣ କିଏ ତାହା ଜଣାନାହିଁ। ଏଆଇସିସି କୋର୍ଟକୁ ବଲ୍‌ ଫିଙ୍ଗି ରାଜ୍ୟ କଂଗ୍ରେସ ନେତା ଚୁପ୍‌ ହୋଇ ଯାଇଛନ୍ତି।

୨୦୦୪ରୁ ବିଜେପୁର ଥିଲା କଂଗ୍ରେସର ଗଡ଼। ସୁବଳ ସାହୁ ବାରମ୍ବାର ଜିତି କଂଗ୍ରେସର ଦବ୍‌ଦବାକୁ ଏଠାରେ ଜାହିର୍‌ କରିଥିଲେ। ହେଲେ ସୁବଳଙ୍କ ଦେହାନ୍ତ ପରେ ୨୦୧୮ ଉପ-ନିର୍ବାଚନରେ କଂଗ୍ରେସର ଗଡ଼ ଭାଙ୍ଗିଥିଲା। ସୁବଳଙ୍କ ପରିବାର ବିଜେଡିକୁ ଆସିଥିଲେ। ରୀତାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା।

ରୀତାଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଣୟ ହେଉଛନ୍ତି ତୃଣମୂଳ ସ୍ତରର ନେତା। ହେଲେ ପ୍ରଣୟ ରୀତାଙ୍କୁ ଚେକ୍‌ ଦେବାରେ ଫେଲ ମାରିଲେ। ଶେଷରେ ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଚାଲି ଆସିଲେ।

୨୦୧୯ରେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରିପୁନାଥ୍‌ ସେଠ୍‌ଙ୍କୁ ପ୍ରାର୍ଥୀ କରିଥିଲା। ରିପୁନାଥ ବି ଫେଲ୍ ମାରିଲେ। ଏଥର କଂଗ୍ରେସ ପାଖରେ ୫ ଜଣ ଆଶାୟୀଙ୍କ ନାଁ ରହିଥିବାରୁ ଦଳ କାହାକୁ ଟିକେଟ ଦେଉଛି ତା’ ଉପରେ ରହିଛି ନଜର।

Comment