ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଏବଂ ବିଜେଡି ବିଜେପୁରରେ ପ୍ରାର୍ଥୀ ଦେଇଥିବା ବେଳେ ପଛରେ ପଡ଼ିଛି ବିଜେପି।

ବିଜେପୁରରେ ଜମିଲାଣି ନିର୍ବାଚନୀ ମାହୋଲ। କଂଗ୍ରେସ ପରେ ବିଜେଡି କରିଛି ପ୍ରାର୍ଥୀ ଘୋଷଣା। କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପୁଣି ରିପିଟ୍‌ କରିଛି। କଂଗ୍ରେସର ଦିଲ୍ଲୀପଙ୍କୁ ଟକ୍କର ଦେବେ ରୀତା। ହେଲେ ବିଜେପିର କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ।

କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରି ବିଜେପୁର ମଇଦାନକୁ ସରଗରମ କରିଥିବା ବେଳେ ବିଜେପି ପଛରେ ପଡ଼ିଯାଇଥିବା କୁହାଯାଉଛି। କାହାକୁ ପ୍ରାର୍ଥୀ କଲେ ବିଜେପି ବିଜେପୁରରେ ଭଲ ସ୍ଥିତିରେ ରହିବ ତାକୁ ନେଇ ଦଳରେ ମାନସମନ୍ଥନ ଚାଲିଛି।

ବଡ଼ କଥା ହେଉଛି ବିଜେପିର ଅଙ୍କ ଛିଡୁନି। ଅଶୋକ ପାଣିଗ୍ରାହୀ ନା ସନତ ଗଡତିଆଙ୍କୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ହେଁ କିଛି ନିଷ୍କର୍ସ ବାହାରି ପାରିନାହିଁ।

ଅଶୋକ ୨୦୧୮ ଉପ-ନିର୍ବାଚନ ବେଳେ ବିଜେପିର ପ୍ରାର୍ଥୀ ହୋଇଥିଲେ ଅଶୋକ। ସେ ବିଜେଡି ଛାଡ଼ି ବିଜେପି ଆସିଥିଲେ। ଅଶୋକ ୨୦୦୦ରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସୁବଳ ସାହୁ ଅଶୋକଙ୍କୁ ପରାଜିତ କରିଥିଲେ। ୨୦୦୯ରେ ଅଶୋକଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

୨୦୧୪ରେ ଅଶୋକ ପୁଣି ଟିକେଟ ପାଇଁ ଆଶା କରିଥିଲେ। ହେଲେ ବିଜେଡି ଅଶୋକଙ୍କୁ ଟିକେଟ ନଦେଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ଅଶୋକ ସ୍ୱାଧୀନ ଭାବେ ଲଢ଼ିଥିଲେ। ଏହାକୁ ନେଇ ବିଜେଡି ଅଶୋକଙ୍କୁ ନିଲମ୍ବିତ କରିଥିଲା।

୨୦୧୮ ଉପ-ନିର୍ବାଚନରେ ଅଶୋକ ପୁଣି ବିଜେଡି ଟିକେଟ ପାଇଁ ଲବି କରିଥିଲେ। କିନ୍ତୁ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରିବାରୁ ଅଶୋକ ବିଜେପି ପ୍ରାର୍ଥୀ ହୋଇଥିଲେ। ହେଲେ ଅଶୋକଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

୨୦୧୯ ନିର୍ବାଚନରେ ଅଶୋକଙ୍କୁ ପ୍ରାର୍ଥୀ କରି ନଥିଲା ଦଳ। ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସନତ ବିଜେଡିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ୫୩ ହଜାର ଭୋଟ ପାଇଥିଲେ। ଏବେ ପୁଣି ନିର୍ବାଚନ ବିଗୁଲ ବାଜିଥିବାରୁ ଅଶୋକ ଏବଂ ସନତ ଟିକେଟ ପାଇଁ ଦାବିଦାର ଅଛନ୍ତି। ତେବେ ସନତ ନବୀନଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ୫୩ ହଜାର ଭୋଟ ପାଇଥିବାରୁ ରେସ୍‌ରେ ସେ ଆଗରେ ରହିଛନ୍ତି।

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ବିଜେପି ହେଉଛି ଏକ ଜାତୀୟ ଦଳ। ପ୍ରାର୍ଥୀ କିଏ ହେବେ ସେ ନିଷ୍ପତ୍ତି ଶୀର୍ଷ ନେତୃବୃନ୍ଦ ନେବେ। ଆସନ୍ତାକାଲି ନୂଆଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବ। ଏହି ବୈଟକରେ ହିଁ ଚୂଡ଼ାନ୍ତ ହେବ କିଏ ହେବେ ବିଜେପି ପ୍ରାର୍ଥୀ।’’

Comment