ସୌମ୍ୟରଞ୍ଜନ ବିହାରା

ଆଜିକାଲି ଗାୟକ, ଗାୟିକା ଷ୍ଟୁଡିଓରେ କେବଳ ଗୀତ ଗାଉନାହାନ୍ତି। ବରଂ ଗୀତ ଗାଇବା ସହ ନାୟକର ଭୂମିକା ନିଭାଉଛନ୍ତି ଗାୟକ ଏବଂ ନାୟିକା ଭାବେ ଲୋକଙ୍କ ମନ ଜିଣୁଛନ୍ତି ଗାୟିକା।

ଓଡ଼ିଶାରେ ଦିନେ ଚହଳ ସୃଷ୍ଟି କରିଥିଲା ଓଡ଼ିଆ ଆଲବମ୍ କ୍ୟାସେଟ୍। ପସନ୍ଦ ମୁତାବକ ଗୀତ କ୍ୟାସେଟ୍ କିଣି ଶ୍ରୋତା ଝୁମୁଥିଲେ ଓ ଅନ୍ୟଙ୍କୁ ଶୁଣାଉଥିଲେ। ପରବର୍ତ୍ତୀ ସମୟରେ ଯେବେ ସିଡି କ୍ୟାସେଟ୍ ଆସିଲା, ବେପାର ଆହୁରି ଜମିଲା। ଅଧିକରୁ ଅଧିକ ଆଲବମ୍ ପ୍ରସ୍ତୁତ ହେଲା। ହାଟ ବଜାରରେ ଏସବୁ ଆଲବମ୍ ବା ଆଧୁନିକ ଗୀତ ଦିନରାତି ବାଜିଲା। ସଙ୍ଗୀତପ୍ରେମୀ ବି ଗୁଣୁଗୁଣୁ ହେଲେ।

ଏହି ଗୀତଗୁଡ଼ିକୁ ଆହୁରି ଲୋକପ୍ରିୟ କଲା ଟେଲିଭିଜନ୍ ଚ୍ୟାନେଲ୍। ଗୀତଗୁଡ଼ିକର ଭିଡିଓକୁ ନେଇ ବିଭିନ୍ନ ଚ୍ୟାନେଲ୍ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ କଲେ। ଚାହିଦାକୁ ଆଖି ଆଗରେ ରଖି ଆଲବମ୍ ନିର୍ମାତାମାନେ ଅଡିଓକୁ ଯେତିକି ଗୁରୁତ୍ୱ ଦେଲେ, ତା’ର ଭିଡିଓ କରିବା ବା ନୃତ୍ୟ ମାଧ୍ୟମରେ ଏହି ଗୀତକୁ ଦେଖାଇବା ପାଇଁ ସେତିକି ଚେଷ୍ଟା କଲେ। ଲୋକେ ଏହାକୁ ଖୁବ୍ ଆଦର କଲେ। ହେଲେ କିଛି ବର୍ଷ ତଳେ ଆଲବମ୍ ଜଗତ ଭୁଶୁଡ଼ି ପଡ଼ିଲା।  ପ୍ରଥମତଃ ଆଲବମ୍ କ୍ୟାସେଟ୍ ପାଇରସି ବା କପି ହେଲା। ଫଳରେ ନିର୍ମାତାମାନେ କ୍ଷତି ସହିଲେ ଓ ବାଧ୍ୟ ହୋଇ ସେମାନେ ଆଉ ଆଲବମ୍ ତିଆରି କଲେନାହିଁ।

ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ଶେଷ ଭାଗରେ ଟେକ୍ନୋଲୋଜିର ଅଭୁତପୂର୍ବ ପରିବର୍ତ୍ତନ ହେଲା। ସ୍ମାର୍ଟଫୋନ୍ ଆସିଲା। ଲୋକେ ମୋବାଇଲ୍ ପରଦାରେ ସାରା ଦୁନିଆକୁ ଦେଖିପାରିଲେ। ଆଲବମ୍ ଇଣ୍ଡଷ୍ଟ୍ରୀର ଏ ଅବସ୍ଥା ପାଇଁ କିଛି ଲୋକ ଦ୍ୱିଅର୍ଥବୋଧକ ଗୀତକୁ ମଧ୍ୟ ଦାୟୀ କରନ୍ତି। ସେହିପରି ଓଡ଼ିଆ ଚଳଚ୍ଚିତ୍ରରେ ମନଛୁଆଁ ଆବେଗାତ୍ମକ (ରୋମାଣ୍ଟିକ୍) ଗୀତ, ଆଇଟମ୍ ଗୀତ ଏପରିକି ବିରହ ଗୀତ ମଧ୍ୟ ସଂଯୋଜିତ ହେଲା। ଫଳରେ ଲୋକେ ଚଳଚ୍ଚିତ୍ର ଗୀତ ପ୍ରତି ମନ ବଳାଇଲେ। ଏମିତି ସ୍ଥିତିରେ ଓଡ଼ିଆ ଆଲବମ୍ ଜଗତ ସତ୍ତା ହରାଇବସିଲା।

ମହାବାତ୍ୟା ପରେ ପରେ…

ଆଲବମ୍ ଇଣ୍ଡଷ୍ଟ୍ରୀ ବେଶୀ ପୁରୁଣା ନୁହେଁ। ୧୯୯୯ ମହାବାତ୍ୟା ପରେ ପରେ ଆଲବମର ଚାହିଦା ଓ ଆଦର ବଢ଼ିବାରେ ଲାଗିଲା। ଯେତେବେଳେ ଗୋଟିଏ ଆଲବମ୍ ରିଲିଜ୍ ହେଉଥିଲା ଓ ଅଡିଓ କ୍ୟାସେଟ୍ ଆସୁଥିଲା ସେତେବେଳେ ଲୋକେ ତାହାର ଭିଡିଓ (ଭିଜୁଆଲ୍) ଟିଭିରେ ଦେଖିବାକୁ ଅପେକ୍ଷା କରି ରହୁଥିଲେ। ଦୂରଦର୍ଶନରେ ‘ଝଙ୍କାର’ କାର୍ଯ୍ୟକ୍ରମରେ ଏସବୁ ଗୀତ ପ୍ରସାରିତ ହେଉଥିଲା ଓ ସଙ୍ଗୀତପ୍ରେମୀଙ୍କୁ ଏହା ଖୁବ୍ ଛୁଇଁପାରୁଥିଲା।

ପ୍ରଥମ ପ୍ରେମର ପ୍ରଥମ ଚିଠି…, ତୁ ଚାଲିଯିବୁ ତୋ ଶାଶୂଘର…, ମଥାରେ ଦେଇ ପାଟ ଓଢ଼ଣୀ, ଗାଁ ମଝିରେ ଚାନ୍ଦିନୀ.. ପରି ଗୀତ ଏତେ ଭଲ ଲାଗୁଥିଲା ଯେ ଲୋକେ ଗୁଣୁଗୁଣଉଥିଲେ।

ଉଭୟ ଅଡିଓ ଏବଂ ଭିଡିଓ ଲୋକଙ୍କ ଦ୍ୱାରା ଆଦୃତ ହେଉଥିଲା। ଲୋକଙ୍କୁ ଆଲବମ୍ ଭଲ ଲାଗୁଥିଲା ଏଥିପାଇଁ କି ସେତେବେଳେ ବର୍ଷକୁ ମାତ୍ର ୩/୪ ଟି ଚଳଚ୍ଚିତ୍ର ଆସୁଥିଲା। ସେଥିରେ ଯେଉଁ ୨୦/୨୨ଟି ଗୀତ ରହୁଥିଲା, ସେଥିରୁ ଅଧା ଦର୍ଶକଙ୍କୁ ଭଲ ଲାଗୁଥିଲା। ଏହି ଗୀତକୁ ନେଇ ସଙ୍ଗୀତପ୍ରେମୀ ବର୍ଷକ ଯାକ ଚଳିବାକୁ ବାଧ୍ୟ ହେଉଥିଲେ। ହେଲେ ଆଲବମରେ ପ୍ରାୟ ଭଲ ଗୀତ ଆସୁଥିଲା।

ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ମଧ୍ୟ ଓଡ଼ିଆ ଗୀତ ଗାଇଲେ ଓ ସେମାନଙ୍କ ସ୍ୱର ଲୋକପ୍ରିୟ ହେବାରେ ଲାଗିଲା। ୨୦୦୫ ବେଳକୁ ଆଲବମ୍ ଏକ ଟପ୍ ଇଣ୍ଡଷ୍ଟ୍ରୀରେ ପରିଣତ ହୋଇସାରିଥିଲା। ବର୍ଷକୁ ଶତାଧିକ ଆଲବମ୍ କ୍ୟାସେଟ୍ ରିଲିଜ୍ ହେଉଥିଲା ଓ ଲକ୍ଷ ଲକ୍ଷ ଟଙ୍କାର ବେପାର ହେଉଥିଲା।

ଯିଏ ଯେମିତି ଚାହିଁଲେ ସେମିତି ଗୀତ କଲେ

ଅଡିଓ କ୍ୟାସେଟ୍ ଯେତେବେଳେ ଥିଲା ତା’ର କପି କରିବା ସହଜ ହେଉନଥିଲା। ହେଲେ ଯେବେଠୁଁ ସିଡି ଆସିଲା, ସେବେଠୁଁ କିଛି ଦଲାଲ୍ ଏହାର କପି କରି ଫାଇଦା ନେଲେ। ଆଉ କ୍ଷତି ସହିଲେ ପ୍ରଯୋଜକ। ଧୀରେ ଧୀରେ ଆଲବମ୍ ଗୀତର ମାନ କମିବାରେ ଲାଗିଲା। ଲୋକପ୍ରିୟତା ପାଇଁ ଶସ୍ତା ବା ଦ୍ୱିଅର୍ଥବୋଧକ ସଙ୍ଗୀତ ବାହାରିଥିଲା। ଯିଏ ପାରିଲେ ସିଏ ଗୀତ ଲେଖିଲେ, ସଙ୍ଗୀତ ନିର୍ଦ୍ଦେଶନା ଦେଲେ। ଯାହା ପାରିଲେ ଗୀତିକାର ଲେଖିଲେ, ଯେମିତି ଚାହିଁଲେ ସଙ୍ଗୀତକାର ଟ୍ରାକ୍ କଲେ।  ହିନ୍ଦୀ ତଥା ଅନ୍ୟ ଆଞ୍ଚଳିକ ଭାଷା ଗୀତର ଟ୍ରାକକୁ କପି କରି ଓଡ଼ିଆ ଗୀତରେ ଖଞ୍ଜିଲେ  ।

୧୯୯୯ରୁ ୨୦୦୫ ମଧ୍ୟରେ ଯେଉଁସବୁ ଆଲବମ୍ ଆସୁଥିଲା ସେଥିରେ ତିନୋଟି ବିଭବ ମୁଖ୍ୟ ଥିଲା। ଏହାର ଗୀତ ଶ୍ରୁତିମଧୁର ଥିଲା, ସଙ୍ଗୀତ (ଟ୍ରାକ୍) ଭଲ ଥିଲା ଓ ଭଲ କଳାକାର ଅଭିନୟ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ତିନୋଟିରେ ଅବକ୍ଷୟ ଆରମ୍ଭ ହୋଇଗଲା। ସବୁ ଓଲଟିଗଲା। କଳାକାରମାନେ ପଇସା ଦେଇକି ଆଲବମ୍ ଇଣ୍ଡଷ୍ଟ୍ରୀକୁ ପଶିଲେ। ଅର୍ଥାତ୍, ଆଲବମ୍ ହିରୋ ହେବା ପାଇଁ ନୂଆ କଳାକାରଙ୍କୁ ପଇସା ଦେବାକୁ ପଡ଼ିଲା। କେହି କେହି ଚିହ୍ନା ପରିଚିତିରେ ଏଣ୍ଟ୍ରି କଲେ। ପୂର୍ବରୁ ଆଲବମରେ ନାଚୁଥିବା ଅନୁଭବ, ସବ୍ୟସାଚୀ, ସମ୍ବିତ, ବୁଲୁ, ଆକାଶ, ବବି ମିଶ୍ରଙ୍କ ପରି କଳାକାର ଚଳଚ୍ଚିତ୍ର ଜଗତରେ ପ୍ରବେଶ କଲେ।

ଏମାନଙ୍କ ଜାଗାରେ ଅତି ଅପରିଚିତ କଳାକାରଙ୍କୁ ଦେଖିବାକୁ ମିଳିଲା। ଯେହେତୁ ଭଲ କଳାକାର ସାମିଲ ହେଲେ ନାହିଁ, ଦୃଶ୍ୟଟା ବି ନଷ୍ଟ ହୋଇଗଲା।

ଏହି ସମୟରେ ଚଳଚ୍ଚିତ୍ରର ସଂଖ୍ୟା ବଢ଼ିଲା ଓ ସମସ୍ତ ଗୀତ ଭଲ ହେଲା। ଯେଉଁମାନେ ଆଲବମ୍ ଦେଖୁଥିଲେ, ସେମାନଙ୍କ ପାଇଁ ଚଳଚ୍ଚିତ୍ରରେ ଗୋଟିଏ ପ୍ୟାକେଜ୍ ହୋଇ ଗୀତ ଆସିଲା। ଟାଇଟଲ୍ ଗୀତଠାରୁ ଆରମ୍ଭ କରି ଆଇଟମ୍ ଗୀତ (ଆଲବମରେ ଯେଉଁଭଳି ଧୂମ୍ ଧଡ଼ାକ୍ ଗୀତ ରହୁଥିଲା) ପର୍ଯ୍ୟନ୍ତ ସବୁକିଛି ଚଳଚ୍ଚିତ୍ରରେ ଦେଖିବାକୁ ପାଇଲେ ଦର୍ଶକ। ଆଗରୁ ଆଇଟମ୍ ଗୀତ ନଥିଲା। ପରେ ସ୍ୱତନ୍ତ୍ରଭାବେ ଏହିପରି ଗୀତ ଲେଖାଗଲା ଓ ତା ପାଇଁ ଟ୍ରାକ୍ କରାଗଲା।

ଗୀତ ଏବେ ପାନର ଫ୍ଲେବର୍

ଏବେ ଯେଉଁ ଗୀତ ଆସୁଛି, ତା ଲୋକପ୍ରିୟତାର ସମୟସୀମା ମାତ୍ର ମାସେ। ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ଯେଉଁସବୁ ଗୀତ ଆସୁଥିଲା ଓଡ଼ିଶାର ଯେକୌଣସି ବର୍ଗର ଲୋକ ସିଏ ବ୍ୟବସାୟୀ ହୁଅନ୍ତୁ କି ଚାକିରିଆ ତାଙ୍କୁ ଆଲବମ୍ କଥା ପଚାରିଲେ ଆଖିବୁଜି ୨୦/୩୦ଟା ଗୀତ କହିପାରୁଥିଲେ। ହେଲେ ବର୍ତ୍ତମାନ ବଜାରକୁ କେବେ ଗୀତ ଆସୁଛି ଆଉ କେବେ ଚାଲିଯାଉଛି ତାହା କେବଳ ସଙ୍ଗୀତ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକେ ହିଁ କହିପାରିବେ।

ସାଧାରଣ ସଙ୍ଗୀତପ୍ରେମୀଟିଏର ବି ଏବେ ଓଡ଼ିଆ ଆଲବମ୍ ପ୍ରତି ସେତେଟା ଆକର୍ଷଣ ନାହିଁ। ୨୦୧୨ରୁ ଆଜି ଯାଏଁ ଯେଉଁ ଗୀତ ଆସୁଛି ତାହା ଲୋକେ ମନେ ରଖୁନାହାନ୍ତି। ଯେମିତି ପାନର ଫ୍ଲେବର୍। ୟୁଜ୍ ଆଣ୍ଡ୍ ଥ୍ରୋ। ଏବେ ସେମିତି ଗୀତ ଆସୁନି ଯାହାର ଗୀତକୁ ବା ଟ୍ରାକକୁ ଲୋକେ ବର୍ଷ ବର୍ଷ ଧରି ମନେ ରଖିପାରିବେ।

ନୂଆ ରୂପରେ ଓଡ଼ିଆ ଆଲବମ୍

୨୦୧୭ ଶେଷ ଆଡ଼କୁ ଏକ ନୂଆ ରୂପରେ ଲୋକଙ୍କ ପାଖକୁ ଆସିଛି ଓଡ଼ିଆ ଆଲବମ୍ ଗୀତ। ଏହାକୁ କେହି କେହି ମ୍ୟୁଜିକ୍ ଭିଡ଼ିଓ କହୁଛନ୍ତି।  ଆଉ ଲୋକଙ୍କ ପାଖରେ ଏହି ଗୀତଗୁଡ଼ିକ ପହଞ୍ଚିବାର ମାଧ୍ୟମ ପାଲଟିଛି ୟୁଟ୍ୟୁବ୍। ଷ୍ଟୁଡ଼ିଓରେ ଗୀତ ରେକର୍ଡିଂର ଦୃଶ୍ୟ ସାଙ୍ଗକୁ ଗୀତିକାର, ସଙ୍ଗୀତକାର, ଗାୟକ ଓ ଗାୟିକାଙ୍କ ଅନୁଭବ ଏବଂ ମତାମତ (ବାଇଟ୍ ମାଧ୍ୟମରେ) ସଂଲଗ୍ନ କରାଯାଇ ଏହି ଗୀତ ୟୁଟ୍ୟୁବ୍‌ରେ ଅପଲୋଡ୍ କରାଯାଉଛି। ତା’ପରେ ଏହାକୁ ଲୋକେ ଯେକୌଣସି ସ୍ଥାନରେ ଥାଇ ଦେଖି ପାରୁଛନ୍ତି।

ଆଖିରେ ଆଖିରେ ଦର୍ଶକଙ୍କୁ ଟାଣୁଛନ୍ତି

ପୂର୍ବରୁ ଯେଉଁଭଳି ଆଲବମ୍ ଗୀତର ନୃତ୍ୟ ପ୍ରସ୍ତୁତି କରାଯାଉଥିଲା, ଏବେ ତାହା କରାଯାଉନାହିଁ। ଏବେ ଗାୟକ ଓ ଗାୟିକାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଭୟ ଗାୟକ ଓ ଗାୟିକା ଗୀତ ଗାଉଥିବାବେଳେ ନାଚି ଉଠୁଛନ୍ତି। ଆଖିରେ ଆଖିରେ, ଓଠରେ ଓଠରେ ଆଉ କିଛି ଅଙ୍ଗଭଙ୍ଗୀ ମାଧ୍ୟମରେ ଦର୍ଶକଙ୍କୁ ଗୀତ ପ୍ରତି ଟାଣିବାକୁ ଚେଷ୍ଟା କରୁଛନ୍ତି। ସଫଳ ହେଉଛନ୍ତି ମଧ୍ୟ। ଏହି ତାଲିକାରେ ରହିଛନ୍ତି ନୂଆ ପୁରୁଣା ଗୀତିକାର, ସଙ୍ଗୀତକାର ଓ କଣ୍ଠଶିଳ୍ପୀ।

ମନ ଜିଣୁଛି କଣ୍ଠଶିଳ୍ପୀଙ୍କ ହସ

ବର୍ତ୍ତମାନ ୟୁଟ୍ୟୁବ୍‌ରେ ଆସୁଥିବା ପ୍ରାୟ ସବୁ ଆଲବମ୍ ଗୀତର ମୁଖ୍ୟ ଆକର୍ଷଣ ରହିଛି କଣ୍ଠଶିଳ୍ପୀଙ୍କ ହସ। ଉଭୟ ଗାୟକ ଓ ଗାୟିକାଙ୍କ ହସ ଦର୍ଶକଙ୍କ ମନ ଜିଣିବାରେ ସମର୍ଥ ହେଉଛି। ଏଠାରେ କିଛି ଉଦାହରଣ ଦିଆଯାଇପାରେ।

‘ରାନୁ ଲୋ ରାନୁ’, ‘ରବା ରବା’ ଆଦି ଗୀତରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ହସ ଖୁବ୍ ହୃଦୟସ୍ପର୍ଶୀ ଥିଲା। ଷ୍ଟେସନ ବଜାର ଝିଅଟି, ବୋଲେ ହୁଁଟି… ଗୀତରେ ଗାୟକ ଦେବସ୍ମୃତିଙ୍କ ଭଙ୍ଗୀ ଦର୍ଶକଙ୍କୁ ବାନ୍ଧି ରଖିପାରିଛି। ନିକଟରେ ହୋଲି ଉପଲକ୍ଷେ ମୁକ୍ତିଲାଭ କରିଥିବା ‘ବୋଳ ବୋଳ ବୋଳ ରଙ୍ଗ ବୋଳ’… ଗୀତରେ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ଶରଣାରବିନ୍ଦ ରେକର୍ଡିଂ ଷ୍ଟୁଡିଓରେ ନାଚି ନାଚି ଗୀତ ଗାଉଥିବା ଦୃଶ୍ୟକୁ ମଧ୍ୟ ଦର୍ଶକ ଉପଭୋଗ କରିଛନ୍ତି।

ୟୁଟ୍ୟୁବ୍ ସାହା

ଆଗରୁ ଗୋଟିଏ ଆଲବମ୍ କ୍ୟାସେଟ୍ ପ୍ରସ୍ତୁତ କଲାବେଳେ ଅନେକ କଥା ଚିନ୍ତା କରିବାକୁ ପଡ଼ୁଥିଲା। ଯେମିତି; ଗୀତ ରେକର୍ଡିଂ ପାଇଁ ଷ୍ଟୁଡିଓ, ନୃତ୍ୟ ପାଇଁ ନାୟକ, ନାୟିକା, ନୃତ୍ୟ ନିର୍ଦ୍ଦେଶକ, ସହ-ନୃତ୍ୟଶିଳ୍ପୀ ଓ ଲୋକେସନ୍ ଚୟନ, ସେମାନଙ୍କ ପେମେଣ୍ଟ ପାଇଁ ବଜେଟ୍, ସୁଟିଂ ପ୍ରକ୍ରିୟା, କ୍ୟାସେଟ୍ ବିତରଣ, ବିଜ୍ଞାପନ ଆଦି ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ୁଥିଲା।

ବର୍ତ୍ତମାନ ଏ ପୂରା ପ୍ରକ୍ରିୟାକୁ ସହଜ କରିଦେଇଛି ଡିଜିଟାଲ୍ ପ୍ଲାଟଫର୍ମ। କେବଳ ଗୀତ ରେକର୍ଡିଂ ସମୟର ଦୃଶ୍ୟକୁ ଉତ୍ତୋଳନ କରି ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ଅପଲୋଡ୍ କରୁଛନ୍ତି ଓ ଦର୍ଶକମାନେ ଏହାକୁ ଦେଖୁଛନ୍ତି। ସେହିଭଳି କିଛି ଏଫ୍ଏମ୍ ଚ୍ୟାନେଲ୍ ଭଜନ ଓ ଆଧୁନିକ ଗୀତ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଛାଡ଼ୁଛନ୍ତି ଓ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛନ୍ତି। ମୋଟାମୋଟି କହିଲେ, ୟୁଟ୍ୟୁବ୍ ହିଁ ଓଡ଼ିଆ ଆଲବମର ସାହା।

ପୁଣି ଆଶଙ୍କା !

କିଛି ଗୀତରେ ଓଡ଼ିଆ ଭାଷା ସହ ଇଂରାଜୀ ଏବଂ ହିନ୍ଦୀ ପଂକ୍ତି ରହୁଛି। ଗୀତରେ ଏହା ରହିବା ବି କିଛି ଭୁଲ୍ ନୁହେଁ। ଯେଉଁଠି ନିହାତି ଦରକାର ସେଇଠି ହିଁ ଇଂରାଜୀ, ହିନ୍ଦୀ ରଖିଲେ ଠିକ୍। ହେଲେ ଅଦରକାରୀ ଭାବେ ଲୋକପ୍ରିୟତା ପାଇବା ଆଶାରେ ଅନେକ ଗୀତରେ ଏହାକୁ ଭର୍ତ୍ତି କରାଯାଉଛି। ଏହି ‘ହିଙ୍ଗୋଡ଼ିଆ’ ବା ‘ଇଂଲୋଡିଆ’ ଗୀତ ଦର୍ଶକଙ୍କୁ ଭଲ ଲାଗୁଥାଇପାରେ। ହେଲେ ଅଳ୍ପ ଦିନ ପାଇଁ। କିଛି ଦିନ ପରେ ଏହିପରି ଗୀତର ଚର୍ଚ୍ଚା ହେବନାହିଁ କି ଏହା କେଉଁଠି ବାଜିବ ନାହିଁ। ଆଉ କିଛି ଗୀତ ଦ୍ୱିଅର୍ଥବୋଧକ ଭାବ ମଧ୍ୟ ପ୍ରକାଶ କରୁଛି। ତେଣୁ ପୁଣି ଥରେ ଆଲବମ୍ ଜଗତ ପ୍ରତି ବିପଦ ଦେଖାଦେବା ଆଗରୁ ନିର୍ମାତା, ଗୀତିକାର ଓ ସଙ୍ଗୀତକାରମାନେ ଏଥିପ୍ରତି ସଚେତନ ରହିବା ଦରକାର। ନହେଲେ, ଆଗାମୀ ପିଢ଼ି ଓଡ଼ିଆ ଆଲବମ୍ ଗୀତ ଶୁଣିବାରୁ କେବଳ ବଞ୍ଚିତ ହେବେ ନାହିଁ ବରଂ ଏଥିପାଇଁ ଏମାନଙ୍କୁ ଦାୟୀ କରିପାରନ୍ତି।

(ଲେଖକ ଆଇଆଇଏମ୍‌ସି, ଢେଙ୍କାନାଳର ଆକାଡେମିକ୍‌ ଆସିଷ୍ଟାଣ୍ଟ)

LEAVE A REPLY

Please enter your comment!
Please enter your name here