ଓଡ଼ିଶାଲାଇଭ୍ ବ୍ୟୁରୋ

ପଦାରେ ପଡ଼ିଲା ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ କଳି। ପୋଲିସ କଳି ତୁଟାଇବାକୁ ଚେଷ୍ଟା କରୁଥିବାବେଳେ କେଉଁ ବାଟରେ ଗତି କରିବ ଶ୍ରୀୟା ଏବଂ ହ୍ୟୁମାନଙ୍କ ସମ୍ପର୍କ, ତା’ ଉପରେ ସମସ୍ତଙ୍କ ନଜର।

ନିଜ ଗୀତକୁ ନେଇ ବିଭିନ୍ନ ସମୟରେ ବିବାଦରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅଡ଼ୁଆ ବଢ଼ିଛି। ପାରିବାରିକ ବିବାଦକୁ ନେଇ ଥାନାରେ ମାମଲା ହୋଇଛି। ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଉପୁଜିଥିବା ସମାସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛି ପୋଲିସ।

ବୁଧବାର ଦିନ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାରେ ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଉନସେଲିଂ ମାଧ୍ୟରେ ସମସ୍ୟାର ସମାଧାନ କରିବାକୁ ଗୁରୁବାର ଦିନ ଥାନାରେ ହାଜର ହେବାକୁ ଉଭୟଙ୍କୁ ସମନ କରାଯାଥିଲା।

ଆଜି ହ୍ୟୁମାନ ସାଗର ଏବଂ ଶ୍ରୀୟା ନିଜ ନିଜ ପରିବାର ସହ ଥାନାରେ ହାଜର ହୋଇଥିଲେ। ଉଭୟଙ୍କର କାଉନସେଲିଂ କରାଯାଇଥିବାବେଳେ ପରସ୍ପର ମଧ୍ୟରେ ରହିଥିବା ମନୋମାଳିନ୍ୟ ସମାଧାନ କରିବା ଲାଗି ହୁମାନ ଏବଂ ଶ୍ରୀୟାଙ୍କୁ ସମୟ ଦିଆଯାଇଛି। ଦୁଇ ଦିନ ମଧ୍ୟରେ ବିବାଦ ନତୁଟିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି।

ଝିଅକୁ ମାରି ଦେବାକୁ ଉଦ୍ୟମ କରିଥିଲେ ହ୍ୟୁମାନ – ଶ୍ରୀୟାଙ୍କ ବାପା

ବର୍ତ୍ତମାନ ହ୍ୟୁମାନ ସାଗର ଏବଂ ଶ୍ରୀୟାଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଶ୍ରୀୟାଙ୍କ ବାପା ଦେଇଥିବା ବୟାନକୁ ନେଇ ହ୍ୟୁମାନଙ୍କ ଅଡୁଆ ବଢ଼ିଛି। ଶ୍ରୀୟାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, “ମଦ ପିଇ ହ୍ୟୁମାନ ଝିଅକୁ ମାଡ଼ ମାରୁଥିଲେ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ସେଥିପାଇଁ ୫ ମାସ ହେଲା ସେ ଝିଅକୁ ନେଇ ନିଜ ପାଖରେ ରଖିଛି। ଗତ ୫ ମାସ ହେଲା ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ।”

ହ୍ୟୁମାନଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଥିବା କଥା ଶୁଣିବାକୁ ମିଳୁଛି ବୋଲି କହିଥିଲେ ଶ୍ରୀୟାଙ୍କ ବାପା।

“ମୁଁ କ’ଣ ମର୍ଡରର ?”

ଶ୍ରୀୟାଙ୍କ ବାପାଙ୍କ ଅଭିଯୋଗ ପରେ ନିଜ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗର। ଶ୍ରୀୟା ତାଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିବା ସହ ତାଙ୍କୁ ମିଛରେ ଶ୍ରୀୟା ଓ ତାଙ୍କ ପରିବାର ଲୋକ ବଦନାମ କରିବାକୁ ଚେଷ୍ଟା କରୁଥିବା ହ୍ୟୁମାନ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଚିଡି ଯାଇ ହ୍ୟୁମାନ କହିଥିଲେ, “ମୁଁ କ’ଣ ମର୍ଡରର, କାହାର ମର୍ଡର କରିବି?”

ମୋ ବୋହୂ ମଦ ପିଏ – ହ୍ୟୁମାନଙ୍କ ମା’

ହ୍ୟୁମାନ ସାଗର ଏବଂ ଶ୍ରୀୟାଙ୍କ ମଧ୍ୟରେ ରହିଥିବା ବିବାଦ ପରେ ହ୍ୟୁମାନଙ୍କ ମା’ କହିଛନ୍ତି, “ମୋ ବୋହୂ ମଦ ପିଏ। ଶ୍ରୀୟା, ତା’ ବାପା, ମା’, ଭାଇ ଏବଂ ଡ୍ରାଇଭର ମୋ ପୁଅକୁ ମଦ ପିଆନ୍ତି। ମୁଁ ଏମିତି କିଛି ଘଟଣା ଦେଖିଛି ଯାହାରକୁ ନେଇ ଶ୍ରୀୟା ଏଭଳି କାଣ୍ଡ କରିଛି। ସମୟ ଆସିଲେ ସେ ବିଷୟରେ କହିବି।”

ହ୍ୟୁମାନ ସାଗରଙ୍କ ମା’ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀ ଆଣିଥିବା ସବୁ ଅଭିଯୋଗ ମିଛ। ଶ୍ରୀୟା ଏବଂ ହ୍ୟୁମାନଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ରହିଛି। ଜମି ମଧ୍ୟ ଶ୍ରୀୟା ନାଁରେ କିଣା ହୋଇଛି। ତାକୁ କୌଣସି ନିର୍ଯ୍ୟାତନ ଦିଆଯାଇ ନାହିଁ। ଉଭୟଙ୍କର କିଛି କିଛି ଭୁଲ ରହିଛି। ଆପସ ସମାଧାନ ହୋଇ ଦୁହେଁ ଏକାଠି ରହୁନ୍ତୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମା’।

ଏପଟେ ଶ୍ରୀୟାଙ୍କ ବାପା କହିଛନ୍ତି ୫ ବର୍ଷ ଧରି ହ୍ୟୁମାନଙ୍କୁ ବୁଝାଇବା ପରେ ମଧ୍ୟ କୌଣସି ଫରକ ପଡ଼ିଲା ନାହିଁ। ଝିଅ ସହ ହ୍ୟୁମାନ କୌଣସି ଯୋଗାଯୋଗ କରୁ ନାହାନ୍ତି। ତେଣୁ ବାଧ୍ୟ ଝିଅ ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି ଶ୍ରୀୟାଙ୍କ ବାପା।

ଆପସ ବୁଝାମଣା ପାଇଁ ପୋଲିସ ଉଭୟ ହ୍ୟୁମାନ ଏବଂ ଶ୍ରୀୟାଙ୍କୁ ଦୁଇ ଦିନର ସମୟ ଦେଇଥିବା ବେଳେ ଦୁହେଁ କି ନିଷ୍ପତ୍ତି ନେଉଛନ୍ତି ସେ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

Tags: #HumanSagar #ShreeyaMishra #Controversy #PoliceComplain #OdiaSinger

Comment