ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପି ଓ ବିଜେଡି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ନିରାଡ଼ମ୍ବର ଭାବେ ପ୍ରାର୍ଥିପତ୍ର ଦାଖଲ କରିଛି।

ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥିପତ୍ର ଦାଖଲ। ଏଥର ଜମିବ ପ୍ରଚାର। ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗିବେ। ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ ନେତାମାନେ ବି ପ୍ରଚାର ମଇଦାନକୁ ଓହ୍ଲାଇବେ। ଆଜି ଏହା ସ୍ପଷ୍ଟ ହୋଇଯାଇଛି ପ୍ରାର୍ଥିପତ୍ର ଦାଖଲର ଚିତ୍ରରୁ।

ବିଜେପି ଏବଂ ବିଜେଡି ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ଯେମିତି ଶକ୍ତି ପ୍ରଦର୍ଶନ କରିଥିଲେ ଆଗକୁ ପ୍ରଚାର ମଇଦାନ ସେମିତି ସରଗରମ ହେବ ବୋଲି ସ୍ପଷ୍ଟ ହୋଇଛି।

ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସାଙ୍ଗରେ ଥିଲେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ସମ୍ବଲପୁରର ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ହଜାର ହଜାର ସମର୍ଥକଙ୍କ ଗହଣରେ ପଟୁଆରରେ ଆସି ରୀତା ପ୍ରାର୍ଥିପତ୍ର ଦାଖଲ କରିଥିଲେ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେପୁରବାସୀଙ୍କ ସମର୍ଥନ ରହିଛି। ରାଜ୍ୟ ସରକାର ଯେଉଁ ଲୋକପ୍ରିୟ ଯୋଜନା କରିଛନ୍ତି ତାକୁ ନେଇ ଆମେ ଭୋଟରଙ୍କ ପାଖକୁ ଯିବୁ। ଲୋକେ ଆମ କଥା ଶୁଣିବେ। ବିଜେପୁରରେ ବିଜେଡି ନିଶ୍ଚିତ ବାଜିମାତ୍‌ କରିବ’’, କହିଛନ୍ତି ରୀତା ସାହୁ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ବିଜେଡିର ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜେପୁରର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଥିବାରୁ ବିଜେପୁରବାସୀ ନିଶ୍ଚିତ ଭାବେ ବିଜେଡିକୁ ଆଶୀର୍ବାଦ କରିବେ ବୋଲି ସେ କହିଛନ୍ତି।

ବିଜେଡି ପ୍ରାର୍ଥୀଙ୍କ ପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ମଧ୍ୟ ବାଜା ବଜାଇ ବାଣ ଫୁଟାଇ ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେଭି ସିଂହଦେଓ ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

‘‘ରାଜ୍ୟ ସରକାର ଭୋଟ ପାଇଁ କେବଳ ଯୋଜନା କରୁଛନ୍ତି। ପିଠା, କାଳିଆ ଯୋଜନାର ଅବସ୍ଥା କ’ଣ ହୋଇଛି ତାହା ସମସ୍ତେ ଜାଣନ୍ତି। ଏହାକୁ ଆମେ ଭୋଟରଙ୍କ ପାଖକୁ ନେବୁ’’, କହିଛନ୍ତି ସନତ ଗଡ଼ତିଆ।

ଏପଟେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଛି। ନବୀନ କାହିଁକି ବିଜେପୁରରେ ପ୍ରାର୍ଥୀ ହୋଇଥିଲେ ଏବଂ କ’ଣ ପାଇଁ ଛାଡ଼ିଦେଲେ ବୋଲି ବିଜେପି ପ୍ରଶ୍ନ କରିଛି।

‘‘ବିଜେପୁରର ବିକାଶ କଥା ମୁଖ୍ୟମନ୍ତ୍ରୀ ନିଜେ ବୁଝିବେ ବୋଲି କହିଥିଲେ। ବିଜେପୁରରେ ଗଙ୍ଗାଧର ମେହେର ସେଚ୍‌ ପ୍ରକଳ୍ପ କରିବା ପାଇଁ ଘୋଷଣା କରିଥିଲେ। ଏସବୁ କ’ଣ ହେଲା? ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି’’, କହିଛନ୍ତି ବସନ୍ତ ପଣ୍ଡା।

ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ପରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବି କରିଥିଲେ ପ୍ରାର୍ଥିପତ୍ର ଦାଖଲ। ହେଲେ ସେ ଶୋଭାଯାତ୍ରାରେ ଆସି ନଥିଲେ। ହାତ ଗଣତି କିଛି ସମର୍ଥକଙ୍କୁ ସାଙ୍ଗରେ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

‘‘ଅନ୍ୟାୟ, ଦୁର୍ନୀତି ବଢ଼ି ଚାଲିଛି। ଏହା ବିରୋଧରେ ଆମେ ସଂଗ୍ରାମ କରିବୁ। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଦୁର୍ନୀତିର ଗୁମର ଖୋଲିବୁ। ଲୋକେ କଂଗ୍ରେସକୁ ହିଁ ବାଛିବେ’’, କହିଛନ୍ତି ଦିଲ୍ଲୀପ କୁମାର ପଣ୍ଡା।

ଏପଟେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇ ଦଳକୁ ସମାଲୋଚନା କରିଛନ୍ତି। ଯଦି ନିର୍ବାଚନରେ ବିଜେପି, ବିଜେଡି ଟଙ୍କା ଖର୍ଚ୍ଚ ନକରନ୍ତି ତାହାଲେ ଆମେ ନିଶ୍ଚିତ ଜିତିବୁ ବୋଲି କହିଛନ୍ତି ପ୍ରଦୀପ।

ଆଜି ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୪ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଗକୁ ବିଜେପୁରରେ ପ୍ରଚାର ଜମିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି।

Comment