ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା
  • ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ
  • ବିଜେପି ଦେଲା ସନତ ଗଡ଼ତିଆଙ୍କୁ ଟିକେଟ

ବିଜେପୁର ଉପ-ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ତିନି ଦଳ ଏବେ ପ୍ରାର୍ଥୀ ଘୋଷଣା କରି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଏସବୁ ଭିତରେ କେଉଁ ଦଳ ବିଜେପୁର ମଇଦାନରେ ବାଜି ମାରିବ ତାକୁ ନେଇ ଅଙ୍କ କଷା ଚାଲିଛି।

ପ୍ରାର୍ଥୀ ଘୋଷଣା ପରେ ବିଜେପୁର ମଇଦାନରେ ତ୍ରିମୁଖି ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀ ପଣ୍ଡାଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି।

ପ୍ରଥମେ ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଥିଲା ପ୍ରାର୍ଥୀ। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ନିର୍ବାଚନୀ ମାହୋଲକୁ ସରଗରମ କରିଥିଲା। ଦିଲ୍ଲୀପ ହେଉଛନ୍ତି ବିଜେପୁର ପାଇଁ ନୂଆ ମୁହଁ। କଂଗ୍ରେସ ବି ତାଙ୍କୁ ପ୍ରଥମ ଥର ପାଇଁ ପ୍ରାର୍ଥୀ କରିଛି।

ପୂର୍ବରୁ କଂଗ୍ରେସର ସୁବଳ ସାହୁ ବିଜେପୁରରୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୦୪ରୁ ୨୦୧୭ ଯାଏଁ ସୁବଳ ବିଧାୟକ ରହିଥିଲେ। ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସ ପ୍ରଣୟ ସାହୁ ଏବଂ ରିପୁନାଥ ସେଠ୍‌ଙ୍କୁ ନେଇ ପରୀକ୍ଷା ଦେଇଥିଲା। ହେଲେ ଫେଲ୍ ମାରିଥିଲା କଂଗ୍ରେସ।

ନୂଆ ମୁହଁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବିଜେପୁର ମଇଦାନରେ ସ୍ଥିତି ମଜଭୁତ କରିବା ପାଇଁ ଗୋଟି ଚାଳନା କରୁଛି। ହେଲେ ଦିଲ୍ଲୀପଙ୍କୁ ଟକ୍କର ଦେବା ପାଇଁ ବିଜେଡି ରୀତା ସାହୁଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇଛି।

ରୀତା ହେଉଛନ୍ତି ସୁବଳ ସାହୁଙ୍କ ସ୍ତ୍ରୀ। ୨୦୧୮ ଉପ-ନିର୍ବାଚନରେ ରୀତା ବିଜେଡି ପ୍ରାର୍ଥୀ ହୋଇଥିଲେ। ଘରର ଏରୁଣ୍ଡି ଡେଇଁ ରୀତା ନିର୍ବାଚନ ରଣାଙ୍ଗନରେ ଲଢ଼େଇ କରିଥିଲେ। ଘମାଘୋଟ ଲଢ଼େଇ ଭିତରେ ରୀତା ହିଁ ବିଜୟୀ ହୋଇଥିଲେ।

ହେଲେ ରୀତା ମାତ୍ର ବର୍ଷେ ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ନିଜେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବାରୁ ରୀତା କେବଳ ପ୍ରଚାର କରିଥିଲେ। ହେଲେ ନବୀନଙ୍କ ଇସ୍ତଫା ପରେ ରୀତା ପୁଣି ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସର ଦିଲ୍ଲୀପ ଏବଂ ବିଜେଡିର ରୀତାଙ୍କୁ ଟକ୍କର ଦେବା ଲାଗି ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି। ସନତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ୫୩ ହଜାର ଭୋଟ ପାଇଥିଲେ। ଏଥର ସେ ରୀତାଙ୍କୁ କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି।

ତିନି ଦଳର ପ୍ରାର୍ଥୀ ଆସନ୍ତା ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ହିଁ ଅସଲ ପ୍ରଚାର ଆରମ୍ଭ ହେବ। ତିନି ଦଳର ବହୁ ହେଭିୱେଟ ବିଜେପୁର ଯିବେ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର କରିବେ।

ବିଜେପୁର ଥିଲା କଂଗ୍ରେସର ଗଡ଼। ୨୦୧୮ ଉପନିର୍ବାଚନରେ କଂଗ୍ରେସ ଗଡ଼ ବିଜେପୁରକୁ ଦଖଲ କରିନେଇଛି ବିଜେଡି। ୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବିଜୟ ବାନା ଉଡ଼ାଇଥିଲା। ବିଜେପି ଏବଂ କଂଗ୍ରେସ ବିଜେଡିକୁ ଟକ୍କର ଦେଇ ଫେଲ୍ ମାରିଥିଲେ। ତେବେ ଏହି ଉପ-ନିର୍ବାଚନରେ ତିନି ଦଳ ଭିତରୁ କିଏ ବାଜି ମାରୁଛି ଏବଂ କିଏ ବିଜେପୁରବାସୀଙ୍କ ହୃଦୟ ଜିତୁଛି ତାହା ଦେଖିବାକୁ ବାକି ରହିଲା।

Comment