ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ଦୁଇ ତାରିଖରୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ତିନି ଟିକିଆ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ବର୍ତ୍ତମାନ ନିଜର ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ଘରୋଇ ମାଟିରେ ବିଶ୍ୱର ନମ୍ବର ୱାନ୍ ଟେଷ୍ଟ ଟିମକୁ ହରାଇବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା। ଅନ୍ୟପଟେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ।

ଭାରତୀୟ ଉପମହାଦେଶରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ବେଶ ଭଲ ରହିଛି। ୧୯୯୯ ମସିହାରେ ଦକ୍ଷିଣ ଆଫ୍ରିକା ଏଠାରେ ସିରିଜ୍ ଜିତିବା ସହ ୨୦୦୭-୮ ଓ ୨୦୦୯-୧୦ରେ ସିରିଜକୁ ଡ୍ର ରଖିବାରେ ସମର୍ଥ ହୋଇଥିଲା।

ତେବେ ୨୦୧୬ ଅକ୍ଟୋବର ମାସରୁ ଟେଷ୍ଟ ରାଙ୍କିଙ୍ଗରେ ଭାରତ ନମ୍ବର ୱାନ୍ ସ୍ଥାନରେ ରହିଆସିଛି। ତେଣୁ ଏହି ସିରିଜ ଜିତିବା ଭାରତୀୟ ଦଳ ପାଇଁ ନିଶ୍ଚିତ ପକ୍ଷେ ଗୁରୁତ୍ୱପୂର୍ଣ୍ଣ ରହିବ। ପୂର୍ବୁରୁ ୨୦୧୫-୧୬ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚାରି ଟିକିଆ ଟେଷ୍ଟ ସିରିଜରେ ଭାରତ ତିନୋଟି ଟେଷ୍ଟ ଜିତି ସିରିଜ୍ ଅକ୍ତିଆର କରିଥିଲା।

ଆଗାମୀ ସିରିଜ୍ ପାଇଁ ଦୁଇ ଦଳ ନିଜର ଦଳ ଘୋଷଣା କରି ସାରିଛନ୍ତି। ତେଣୁ ଏବେ ରଣନୀତିକୁ କିଭଳି ପଡ଼ିଆ ଭିତରେ ପ୍ରୟୋଗ କରି ପ୍ରତିପକ୍ଷ ଦଳକୁ ଚକମା ଦେଇ ହେବ ସେନେଇ ଚିନ୍ତା କରୁଛନ୍ତି ଦୁଇଦଳ।

ତେବେ ଭାରତ ପାଇଁ ଓପନିଂ ଚିନ୍ତାର କାରଣ ପାଲଟିଛି। ଦଳଗତ ତିନୋଟି ସିରିଜ୍ ମଧ୍ୟରେ ମୁରଲୀ ବିଜୟ, ଶିଖର ଧାୱନ୍, କେ.ଏଲ.ରାହୁଲ,ପୃଥ୍ୱୀ ଶ୍ୱ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ଇଂନିସ ଓପନ କରିବାର ମୌକା ଦେଇଥିଲା। ତେବେ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳି ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିୁପାରିନଥିଲେ। ବର୍ତ୍ତମାନ ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଦଳ ଟେଷ୍ଟରେ ଓପନିଂ କରିବାକୁ ଦଳରେ ସୁଯୋଗ ଦିଆଯାଇଛି। ତେବେ ଅଭ୍ୟାସ ମ୍ୟାଚରେ ରୋହିତ ବିନା ରନରେ ଆଉଟ୍ ହେବା ପରେ ଦଳର ଚିନ୍ତା ବଢିଯାଇଛି।

Comment