ଓଡ଼ିଶାଲାଇଭ୍ ବ୍ୟୁରୋ

ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆଇସିସି ଦ୍ୱାରା ଆୟୋଜିତ ବିଭିନ୍ନ କ୍ରିକେଟ ପ୍ରତିଯୋଗିତା ତଥା ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଆପଣଙ୍କୁ ଟିଭି କିମ୍ବା କୌଣସି ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେଶନର ଆବଶ୍ୟକତା ପଡିବ ନାହିଁ। ଆପଣ ଫେସବୁକ୍ ସାହାଯ୍ୟରେ ବିଭିନ୍ନ କ୍ରିକେଟ ଭିଡିଓ ଦେଖିପାରିବେ।

ଆଗାମୀ ୪ବର୍ଷ ପାଇଁ ଆଇସିସି ଦ୍ୱାରା ଆୟୋଜିତ ସମସ୍ତ ମ୍ୟାଚର ହାଇଲାଇଟସ୍ ଓ ଟିମ୍ ମାନଙ୍କର ମଜାଦାର ଭିଡିଓ ଲୋକମାନେ ଫେସବୁକରେ ଦେଖିପାରିବେ। ଗୁରୁବାର ଏନେଇ ଆଇସିସି ଓ ଫେସବୁକ ଘୋଷଣା କରିଛନ୍ତି।

ଆସନ୍ତା ୨୦୧୯ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଆଇସିସି ଦ୍ୱାରା ଆୟୋଜିତ ଆଇସିସି ମହିଳା ଟି-୨୦ ବିଶ୍ୱକପ୍(୨୦୨୦), ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍(୨୦୨୦), ଆଇସିସି  ମହିଳା ବିଶ୍ୱକପ୍(୨୦୨୧), ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍(୨୦୨୧)ର ବିଭିନ୍ନ ଭିଡିଓ ଦର୍ଶକ ଫେସବୁକରେ ଦେଖିବାକୁ ପାଇବେ।

ଏହାସହ ଆହୁରି ଅନେକ ପ୍ରତିଯୋଗିତ ଏହି ୪ବର୍ଷ ମଧ୍ୟରେ ଆୟୋଜନ କରିବ ଆଇସିସି। ତେଣୁ ଏହି ସବୁ ଟୁର୍ଣ୍ଣାମେଣ୍ଟର ଭିଡିଓ ଫେସବୁକରେ ଦର୍ଶକ ଦେଖିପାରିବେ। ଗତ ୨୦୧୯ ୱାର୍ଲ୍ଡକପକୁ ୪.୬ ବିଲିୟନ୍ ଲୋକ ଦେଖିଥିଲେ।

ବର୍ତ୍ତମାନ ଆଇସିସି ସହ ଫେସବୁକ ଯୋଡ଼ି ହେବାପରେ ଉଭୟ ଖୁସି ବ୍ୟକ୍ତ କରିଛନ୍ତି। ଏହାଦ୍ୱାରା କ୍ରିକେଟ ରୋମାଞ୍ଚକ ମ୍ୟାଚଗୁଡ଼ିକ ଆହୁରି ଅଧିକ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ବୋଲି କହିଛନ୍ତି ଭାରତରେ ଫେସବୁକର ଭାଇସ୍ ପ୍ରେସିଡେଣ୍ଟ ଅଜିତ୍ ମୋହନ।

Comment