ଓଡ଼ିଶାଲାଇଭ ବ୍ୟୁରୋ
ଅଭିଯୋଗକାରୀଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରଥମେ ଭୁବନେଶ୍ଵରସ୍ଥିତ ସହିଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଶୁଭାରମ୍ଭ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ।
ଡାକ୍ତରଖାନାରେ ଉଚିତ୍ ସେବା ମିଳୁଛି କି ନାହିଁ? ଥାନାରେ ଆପଣଙ୍କ ଅଭିଯୋଗର କେତେ ଗୁରୁତ୍ଵ ରହୁଛି? ପୋଲିସ ବାବୁ ଆପଣଙ୍କ ସହ କେମିତି ବ୍ୟବହାର କରୁଛନ୍ତି? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରେ ସାଧାରଣ ଲୋକଙ୍କୁ ସିଧାସଳଖ ଫୋନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୋ ସରକାର ଅଧିନରେ ଥାନାକୁ ଆସୁଥିବା ଲୋକଙ୍କର ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ ହେବ। ମୋ’ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ। ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଣ୍ଟା ଭିତରେ ଏକ ମେସେଜ ଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରିବାରେ ଥାନା ଅଧିକାରୀ ଯଦି ଅବହେଳା କରନ୍ତି ତାହାଲେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ୍ କରିପାରିବେ। ଥାନାରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ।