ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ହେଉଛି। ଏହାରି ମଧ୍ୟରେ ସାମିଲ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଗାନ୍ଧୀଜୀଙ୍କ ନୂତନ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ।

ଗାନ୍ଧୀ ଜୟନ୍ତୀ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ‘ଅହିଂସା ସ୍ଥଳ’ ନାମରେ ଗୋଟିଏ ଛୋଟ ଉଦ୍ୟାନ ନିର୍ମାଣ କରାଯାଇଛି। ଏହି ଉଦ୍ୟାନ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି। ଏହି ନୂତନ ମୂର୍ତ୍ତିର ଆଜି ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି।

ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, “ଗାନ୍ଧୀ ଥିଲେ ମଣିଷମାନଙ୍କ ମଧ୍ୟରେ ମହାତ୍ମା। ସେ ବିଶ୍ୱକୁ ଅହିଂସାର ଶିକ୍ଷା ଦେଇଛନ୍ତି। ଅହିଂସାର ଅର୍ଥ ହେଲା ଅନ୍ୟକୁ ଭଲପାଇବା। ଗାନ୍ଧୀଜୀଙ୍କ ନୀତି ଆପଣେଇବାକୁ ହେଲେ, ହିଂସା, ରାଗକୁ ତ୍ୟାଗ କରିବାକୁ ହେବ।’’

ଏହାସହ ଆଇନଷ୍ଟାଇନ୍ ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ କହିଥିବା କଥାକୁ ମନେ ପକାଇଥିଲେ ରାଜ୍ୟପାଳ। ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଆମର ପରବର୍ତ୍ତୀ ପିଢ଼ି ବୋଧହୁଏ ବିଶ୍ୱାସ ନ କରି ପାରନ୍ତି ଯେ, ଗାନ୍ଧୀଙ୍କ ଭଳି ଜଣେ ରକ୍ତ ମାଂସଧାରୀ ମହାନ ପୁରୁଷ ଦିନେ ଏଇ ପୃଥିବୀରେ ବାସ କରୁଥିଲେ।”

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ପିଜି କାଉନସିଲ ଚେୟାରମ୍ୟାନ୍ ସବିତା ଆଚାର୍ଯ୍ୟ ଓ ରେଜିଷ୍ଟାର ଦୟାନିଧି ନାୟକ ପ୍ରମୁଖ ଯୋଗଦେଇଥିଲେ।

ଆଜି ସନ୍ଧ୍ୟାରେ କ୍ୟାମ୍ପସ୍‌ ପରିସରରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରିବେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ।

Comment