ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ସହରର ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା ପଦଯାତ୍ରା ଆରମ୍ଭ ହୋଇ ଫାଣ୍ଡି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସମାପ୍ତ ହୋଇଥିଲା।

ଏହା ସହିତ ସହରର ଫକୀରମୋହନ ଗୋଲେଇରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁ ପାର୍କରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଷ୍ଟେସନ ରାସ୍ତାରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଓ ଡିଆଇସି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି ଅବସରରେ ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଞ୍ଜୀନିୟର ରବୀନ୍ଦ୍ର ଜେନା କହିଥିଲେ, “ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀ, ବ୍ଲକ, ପୌର ପରିଷଦ ଓ ଏନ୍ଏସିରେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମାଞ୍ଚଳର ବିକାଶ ଓ ମହିଳା ସଶକ୍ତିକରଣ କରିବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଘରେ ଘରେ ପହଂଚାଇବା ସହ ବିକାଶର ବାର୍ତ୍ତା ଦେବା ଓ ନୂଆ ଓଡ଼ିଶା ଗଠନ କରିବାକୁ ସଂକଳ୍ପ ନେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଦିଗ ରହିଛି। ସେହିପରି ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା, ଯୁବକ ଓ ଛାତ୍ର ସମାଜକୁ ଦଳରେ ସାମିଲ କରିଯିବ ବୋଲି ରବିନ୍ଦ୍ର ଜେନା କହିଥିଲେ।। ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ।

ଏହି ପଦଯାତ୍ରାରେ ରବିନ୍ଦ୍ର ଜେନାଙ୍କ ସହ ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେଡି ରାଜ୍ୟ ସମ୍ପାଦକ ଶ୍ୟାମାପ୍ରସାଦ ବେହେରା, ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ପଦଯାତ୍ରାକୁ ସଫଳ କରାଇଥିଲେ।

Comment