ଓଡ଼ିଶାଲାଇଭ ବ୍ୟୁରୋ

ଆଉ ନିର୍ବାଚନ ଲଢିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜେ ଏକଥା କହିଛନ୍ତି ଦାମ ରାଉତ।

ବିଜେପୁର ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଦଳ ଉପରେ ଅଭିମାନ କରି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

“ନିର୍ବାଚନ ପୂର୍ବରୁ ବିଜେପି ନେତା ଡାକି ମତେ ଦଳରେ ମିଶାଇଥିଲେ। ହେଲେ ନିର୍ବାଚନ ପରେ ମତେ ଆଉ ପଚାରୁ ନାହାନ୍ତି। ବର୍ତ୍ତମାନ ବିଜେପୁର ଉପନିର୍ବାଚନ ବେଳେ ମଧ୍ୟ ମତେ ପଚାରି ନାହାନ୍ତି। ଏଭଳି ପରିସ୍ଥିତିରେ ମୁଁ ଆଗାମୀ ଦିନରେ କେମିତି ନିର୍ବାଚନ ଲଢ଼ିବି?”, କହିଛନ୍ତି ଦାମ ରାଉତ।

ସେ ଆହୁରି ମଧ୍ୟ କହିଛନ୍ତି, “ଯେଉଁ ଦଳ ମୋତେ ପଚାରୁ ନାହିଁ ମୁଁ କ’ଣ ଗୋଡ଼େଇକି ପ୍ରାର୍ଥୀ ହେବି। ମୋର ସ୍ଥିତି ସେ ଦଳ ଆଉ ଅନୁଭବ କରୁ ନାହିଁ। ନିର୍ବାଚନ ପରେ ଦଳର କେହି ଆଉ ମୋ ସହ କଥା ହେଉନାହାନ୍ତି। କୌଣସି ମିଟିଂରେ ମତେ ଡାକୁ ନାହାନ୍ତି। ମୁଁ ନିଜ ଆଡୁ ୨ଥର ମିଟିଂ ଯାଇଥିଲି। ତେଣୁ ମୁଁ ନିଷ୍ପତ୍ତି ନେଇଛି ଲୋକଙ୍କ ସହ ରହିବି ଆଉ ନିର୍ବାଚନ ଲଢ଼ିବି ନାହିଁ।”

ବିଜେଡି ଥିବା ବେଳେ ଦାମ ତାଙ୍କରି ଦଳର ନେତାଙ୍କ ଗୁମର ଖୋଲି ବିଦା ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟରେ ସେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଦାମ ପରାଜିତ ହୋଇଥିଲେ।

Comment