ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ ରାଜନୀତିରେ ରହିବେ।

‘‘ମୁଁ ରାଜନୀତିରେ ରହିବି। ଲୋକଙ୍କ ସହ ରହିବି। ହେଲେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବି ନାହିଁ। କାରଣ ରାଜନୀତିରେ ଅବସର ବୟସ କିଛି ନାହିଁ। ଗୋଡ଼ ହାତ ଚଳୁଥିଲା ଯାଏଁ ମୁଁ ରାଜନୀତି କରିବି’’, ଏହା ହେଉଛି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟା।

ଗତ ଗୁରୁବାର ଦିନ ଦାମ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ଜୋର୍ ଧରିଥିଲା। ଦାମ କାହିଁକି ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବାକୁ ଚାହୁଁଛନ୍ତି ତାକୁ ନେଇ କାରଣ ଖୋଜା ଚାଲିଲା। ହେଲେ ଦାମ ସ୍ପଷ୍ଟ କରିଛନ୍ତି ଯେ ସେ ଗୋଡ଼ ହାତ ଚଳିବା ଯାଏଁ ରାଜନୀତି କରିବେ।

ଦାମ ଆହୁରି କହିଛନ୍ତି, ‘‘ମୁଁ ୪୫ ବର୍ଷ ହେଲା ରାଜନୀତିରେ ରହିଛି। ୩୫ ବର୍ଷ ବିଧାୟକ ରହିଛି। ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛି। ଆଉ ଅଧିକ ହେବାର କିଛି ନାହିଁ।’’

ବିଜେପି ଉପରେ ଗର ଗର

‘‘ଓଡ଼ିଶାବାସୀ ଜାଣିଛନ୍ତି ମୁଁ ୨୪ ଘଣ୍ଟା ରାଜନୀତି କରେ। ଲୋକଙ୍କ ସହ ଯୋଡ଼ି ହୋଇ ରୁହେ। କିନ୍ତୁ ନିର୍ବାଚନ ପରେ ମତେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଲୋଡ଼ାଗଲା ନାହିଁ। ଏହା ମତେ ଅଶ୍ୱସ୍ତିକର ମନେହେଲା’’, ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

ଦାମ ସିଧା ବିଜେପି ନେତୃବୃନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କୁ ଦଳରେ କେହି ଖୋଜୁ ନଥିବାରୁ ବିଜେପି ଉପରେ ଦାମ ରାଗରେ ଗର ଗର ହୋଇଛନ୍ତି।

ଘଟଣାଚକ୍ରରେ ବିଜେପି ଆସିଲି

‘‘ସ୍ୱର୍ଗତ ବିଜୁ ପଟ୍ଟନାୟକ ମତେ ରାଜନୀତିକୁ ଆଣିଥିଲେ। ତାଙ୍କ ନୀତି ଆଦର୍ଶକୁ ମାନି ମୁଁ ରାଜନୀତି କରୁଥିଲି। ଘଟଣାଚକ୍ରରେ ମତେ ବିଜେଡିରୁ ବହିଷ୍କାର କରାଗଲା। ବିଜେପି ନେତୃବୃନ୍ଦ ମତେ ଡାକି ତାଙ୍କ ଦଳରେ ସାମିଲ କରିଥିଲେ। ହେଲେ ନିର୍ବାଚନ ପରେ ବିଜେପିର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମତେ ସୁଯୋଗ ଦିଆଯାଉ ନାହିଁ। ଏଣୁ ନିଛକ ରାଜନୀତିକ ବ୍ୟକ୍ତି ଭାବେ ମତେ ଅଶ୍ୱସ୍ତିକର ବୋଧ ହେଉଛି’’, ଏହା କହିଛନ୍ତି ଦାମ।

‘‘ବିଜେପୁର ଉପନିର୍ବାଚନରେ ବି ମତେ ପଚାରିଲେନି’’

ବିଜେପୁର ଉପନିର୍ବାଚନକୁ ନେଇ ଦାମ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେପୁର ଉପନିର୍ବାଚନ ସମ୍ପର୍କରେ ଦଳ ତରଫରୁ କିଛି ସୂଚନା ଦିଆଯାଇ ନାହିଁ ବୋଲି ଦାମ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

‘‘ନିର୍ବାଚନ ପୂର୍ବରୁ ବିଜେପିର ଆବଶ୍ୟକ ଥିଲା। ତେଣୁ ମତେ ଦଳରେ ମିଶାଇ ଦେଲେ। ନିର୍ବାଚନ ପରେ ମୁଁ ଆଉ ତାଙ୍କର କାମରେ ଆସୁନି। ବିଜେପୁର ଉପନିର୍ବାଚନ ସମ୍ପର୍କରେ ମୁଁ ଗଣମାଧ୍ୟମରୁ ଖବର ପାଇଲି। ଦଳ ମୋ ସହ ଆଲୋଚନା କରିନି’’, ଏହା ହେଉଛି ଦାମଙ୍କ ବିଜେପି ଉପରେ କ୍ଷୋଭ।

ଏବେ ଅମଲା ଶାସନ ଚାଲିଛି

ଏବେ ଗଣତନ୍ତ୍ରର ସଜ୍ଞା ବଦଳି ଯାଇଛି। ଲୋକମାନଙ୍କର ସରକାର ନହୋଇ ଅମଲା ଓ ରାଜନେତାଙ୍କ ସରକାର ଚାଲିଥିବା ଦାମ କହିଛନ୍ତି। ଲୋକଙ୍କ ଟିକସରୁ ଯେଉଁମାନେ ଦରମା ନେଉଛନ୍ତି ସେମାନେ ଲୋକଙ୍କୁ ଶୋଷଣ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ମନେପକାଇ ଦେଲେ ଯେ ସରକାର ହେଉଛି ଲୋକଙ୍କର। ଲୋକଙ୍କ ପଇସାରେ ଅମଲାମାନେ ଦରମା ପାଉଛନ୍ତି। ଲୋକେ ଯଦି ସଚେତନ ହେବେ ତାହାଲେ ଭଲ କଥା।

Comment