ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ମାର୍ଶାଘାଇର ମାଣିକୁଣ୍ଡାଇର ଗଗନ ସାହୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭେଲୁ ଓ ତାହାର ନିକଟ ସହଯୋଗୀ ମିଟୁନାକୁ ଖୋଜିଖୋଜି ପୋଲିସ ଆଖିରୁ ନିଦ ହଜିଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ  ଏହି ୨ ଅପରାଧିଙ୍କୁ ଏନକାଉଣ୍ଟର କରି ପୋଲିସ ଫାଇଲ୍ କ୍ଲୋଜ କରିଛି। ଏହି ଘଟଣାରେ ପୂର୍ବରୁ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଙ୍ଗୁଳାଇ ରୋଡର କ୍ରସିଂ ଛକ ନିକଟରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଦୁଇ ଅପରାଧୀ ହେଲେ ମାର୍ଶାଘାଇ ଥାନା ମଣିକୁଣ୍ଡା ଗାଁର ଭେଲୁ ଓରଫ ଅନନ୍ତ ଜେନା ଆଉ ମାଣିତିରୀ ଗାଁର ମିଟୁନା ଓରଫ ପ୍ରଭାତ ନାୟକ।

ମଣିକୁଣ୍ଡା ଗାଁର ଯୁବ ବ୍ୟବସାୟୀ ଗଗନ ସାହୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଭେଲୁ ଓ ମିଟୁନା ତାହାର ସହଯୋଗୀ ଥିଲା। ଗତ ମାସ ୧୮ ତାରିଖରେ ହାତିଆ ହଜାରୀ ଛକ ମଝିରେ ଚୋରା ମଦ ବେପାରରେ ଟଙ୍କା ଧାର କରଜ ସୁଝିବା ଘଟଣାକୁ ନେଇ ଗଗନଙ୍କୁ  ଗୁଳିକରି ହତ୍ୟା କରାଯାଇଥିଲା। ଗଗନ ହତ୍ୟାକାଣ୍ଡରେ ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।   ଏହାଛଡା ଗତ ଅଗଷ୍ଟ ମାସ ୧୪ ତାରିଖରେ ସଦରଥାନା କଳପଡା ପୋଲ ନିକଟରେ ରଞ୍ଜନ ମୁଦୁଲି ଉପରକୁ ଗୁଳି କରିବା ଘଟଣାରେ ଏହି ଦୁଇ ଅପରାଧିଙ୍କର ସମ୍ପୃକ୍ତି ରହିଛି ବୋଲି ପୋଲିସ କହିଛି।

ଏହି ଦୁଇ ଅପରାଧିଙ୍କ ନାମରେ ମାର୍ଶାଘାଇ , କେନ୍ଦ୍ରାପଡା ସଦର ଓ ପାଟକୁରା ଥାନାରେ ଅନେକ ଦାଦାବଟି , ବୋମା ମାଡ , ଗୁଳିକାଣ୍ଡ ଆଦି ମାମଲା ବିଚାରାଧୀନ ରହିଛି। ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରି ଆସୁଥିବା ଏହି ଦୁଇ ଅପରାଧିଙ୍କ ପିଛା କରିଥିଲେ ମାର୍ଶାଘାଇ ଥାନା ପୋଲିସ ଓ କେନ୍ଦ୍ରାପଡା ସ୍ପେସାଲ ସ୍କ୍ଵାର୍ଡ ପୋଲିସ ଟିମ୍। ରାତିରେ ମାର୍ଶାଘାଇ ଥାନା ଅଙ୍ଗୁଳାଇ ରାସ୍ତାରେ କ୍ରସିଂ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ ଅପରାଧି ଓ ପୋଲିସ। ପାଖରେ ପୋଲିସକୁ ଦେଖି ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ବସିଥିବା ଏହି ଦୁଇ ଅପରାଧିଙ୍କ ଉପରକୁ ପୋଲିସର ବନ୍ଧୁକ ଗର୍ଜିଥିଲା। ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରାଙ୍କ ବନ୍ଧୁକରୁ ୪ରାଉଣ୍ଡ ଗୁଳି ବର୍ଷିଯାଇଥିଲା ଭେଲୁ ଓ ମିଟୁନା ଉପରକୁ। ବାଇକରୁ ଖସିପଡିଥିଲେ ଦୁଇ ଅପରାଧି।

ଭେଲୁର ଦୁଇ ଗୋଡରେ ଦୁଇଟି ଗୁଳି ଲାଗିଥିବା ବେଳେ ମିଟୁନାର ଡାହାଣ ଗୋଡରେ ବାଜିଛି ଗୁଳି। ଦୁଇ ଆହତ ଅପରାଧିଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ। ପରେ ଦୁଇ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଏହି ଅପରାଧି ବ୍ୟବହାର କରୁଥିବା ବେନମ୍ବରୀ କଳା ପଲସର ଓ ଏକ ବନ୍ଧୁକ ପଡିଛି। କେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କ ନିର୍ଦ୍ଦେଶରେ ଏକ ସାଇଣ୍ଟିଫିକ ଟିମଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି।

Comment