ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୩୮୪ ରନରେ ଆଗୁଆ ରହିଛି। ଶନିବାର ଚତୁର୍ଥ ଦିନରେ ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଶତକ ହାସଲ କରିବା ସହ ଦଳ ୩୨୩ ରନରେ ଇଂନିସ ଘୋଷଣା କରିଥିଲା। ଯାହା ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୩୯୫ ରନର ବିଜୟ ଲକ୍ଷ୍ୟ ରହିଥିଲା।

ଶନିବାର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକ ଦଳ ତାର ପ୍ରଥମ ଇଂନିସରେ ୪୩୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଭାରତୀୟ ଦଳ ଦ୍ୱିତୀୟ ଇଂନିସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଭାରତୀୟ ଦଳ ପକ୍ଷରୁ ଦ୍ୱିତୀୟ ଇଂନିସରେ ଓପନର ରୋହିତ ଶର୍ମା ୧୨୭ରନର ଜବରଦସ୍ତ ଇଂନିସ ଖେଳିଥିଲେ। ତାଙ୍କ ସହ ଚେତେଶ୍ୱର ପୂଜାରା ୮୧ ରନ୍ କରିଥିଲେ। ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ମଧ୍ୟ କିଛି ଦ୍ରୁତ ଇଂନିସ ଖେଳିଥିଲେ। ଫଳରେ ଭାରତ ତାର ଦ୍ୱିତୀୟ ଇଂନିସରେ ୪ଟି ୱିକେଟ ହରାଇ ୩୨୩ ରନ କରି ଇଂନିସ ଘୋଷଣା କରିଥିଲା।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ଏହି ଟେଷ୍ଟରେ ବିଜୟୀ ହେବାକୁ ହେଲେ ୩୯୫ରନ୍ ସଂଗ୍ରହ କରିବାକୁ ପଡ଼ିବ। ଶନିବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇଂନିସରେ ଏକ ୱିକେଟ୍ ହରାଇ ୧୧ରନ କରିବା ପରେ ଅମ୍ପାୟାର ଚତୁର୍ଥ ଦିନର ଖେଳ ଶେଷ କରିଥିଲେ। ଦକ୍ଷିଣ ଆଫ୍ରିକର ଦ୍ୱିତୀୟ ଇଂନିସରେ ଓପନର ଡିନ୍ ଏଲଗାରଙ୍କୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।

ରବିବାର ଖେଳର ଶେଷଦିନ ବାକିଥିଲା ବେଳେ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକାକୁ ଆଉ ୩୮୪ ରନ୍ ଦରକାର। ସେହିପରି ଭାରତକୁ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାର ଆଉ ୯ଟି ୱିକେଟ ନେବାକୁ ପଡ଼ିବ।

Comment